୯୦ ବିଧାୟକଙ୍କ ଅପରାଧିକ ପୃଷ୍ଠଭୂମି, ୨୦୫ ଜଣ କୋଟିପତି

ଡେସ୍କ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ଫଳାଫଳ ପରେ ସେଠାରେ ନବ ନିର୍ବାଚିତ ୨୩୦ ବିଧାୟକଙ୍କ ମଧ୍ୟରୁ ୯୦ ଜଣ ବିଧାୟକଙ୍କର ଅପରାଧିକ ପୃଷ୍ଠଭୂମି ଥିବା ଜଣାପଡିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଆକଳନ ଅନୁଯାୟୀ ପ୍ରାୟ ୩୯ ପ୍ରତିଶତ ବିଧାୟକଙ୍କ ଅପରାଧିକ ପୃଷ୍ଠଭୂମି ରହିଛି।

ଏଡିଆର ରିପୋର୍ଟ ଅନୁଯାୟୀ, ଏହି ନିର୍ବାଚନରେ ୯୦ ଜଣ ବିଜୟୀ ପ୍ରାର୍ଥୀ ସେମାନଙ୍କ ନାଁରେ ଅପରାଧିକ ମାମଲା ଥିବା ସତ୍ୟପାଠରେ ଦର୍ଶାଇଥିବା ବେଳେ ୩୪ ଜଣ ବିଜୟୀ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଥିବା ଉଲ୍ଲେଖ କରିଛନ୍ତି। ସେହି ୯୦ ଜଣ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ୫୧ ଜଣ ବିଜେପିର ହୋଇଥିବା ବେଳେ କଂଗ୍ରେସର ୩୮ ଜଣ ଏବଂ ଜଣେ ଭାରତୀୟ ଆଦିବାସୀ ପାର୍ଟିର ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୧୮ ନିର୍ବାଚନରେ ଏହି ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକଙ୍କ ସଂଖ୍ୟା ୯୪ ଥିଲା ଓ ଗୁରୁତର ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ୪୭ ରହିଥିଲା।

କେବଳ ସେତିକି ନୁହେଁ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୨୦୫ ଜଣ କୋଟିପତି ଅଟନ୍ତି। ସେମାନଙ୍କ ମଧ୍ୟରୁ ୧୪୪ ଜଣ ବିଜେପିରୁ ଓ ୬୧ ଜଣ କଂଗ୍ରେସରୁ ଅଛନ୍ତି। ୨୦୧୮ ନିର୍ବାଚନରେ କୋଟିପତି ବିଧାୟକଙ୍କ ସଂଖ୍ୟା ୧୮୭ ଥିଲା।

ଏଡିଆର ତଥ୍ୟ ଅନୁଯାୟୀ, ୧୬୧ ଜଣ ବିଧାୟକଙ୍କ ଯୋଗ୍ୟତା ସ୍ନାତ୍ତକ ବା ତଦୁର୍ଦ୍ଧ ହୋଇଥିବା ବେଳେ ୬୪ ଜଣଙ୍କ ଯୋଗ୍ୟତା ୫ମରୁ ଦ୍ୱାଦଶ ମଧ୍ୟରେ ଏବଂ ୩ ଜଣ ଡିପ୍ଲୋମା ଯୋଗ୍ୟତାଧାରୀ। ୨୩୦ ଜଣ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ମାତ୍ର ୨୭ ଜଣ ମହିଳା ରହିଛନ୍ତି ଯାହା ମୋଟ ଆସନର ମାତ୍ର ୧୨ ପ୍ରତିଶତ ଅଟେ।

Comments are closed.