ଚିଠି ଖୋଲିଲା ବୋମାର ଗୁମର, ଫସିଲେ ଅଧ୍ୟାପକ
କଟକ: ବହୁ ଚର୍ଚ୍ଚିତ ପାଟଣାଗଡ ବୋମା ବିସ୍ପୋରଣ ଓ ୨ ଜଣଙ୍କର ମୃତ୍ୟୁ ଘଟଣା , ଏକ ଚିଠ ହିଁ ଏହାର ମାଷ୍ଟର ମାଇଣ୍ଡକୁ ଧରାଇବାରେ ସହାୟକ ହୋଇଛି । ଏହି ଚିଠି ଯୋଗୁଁ ବୋମାକୁ ପଠାଇଥିବା ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ପୁଲିସ ଧରିବାରେ ସଫଳ ହେବା ସହ ଏହି ପୂରା ଘଟଣା ଉପରୁ ପର୍ଦ୍ଦାଫାଶ କରିଛି । କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣା ସମ୍ପର୍କରେ ସବିଶେଷ ବିବିରଣୀ ଦେଇଛନ୍ତି ।
ଫେବ୍ରୁଆରୀ ୨୩ ତାରିଖରେ ନବ ବିବାହିତ ସୌମ୍ୟଶଖରଙ୍କ ଘରକୁ କୋରିଅରରେ ଏକ ଉପହାର ପାର୍ସଲ ଆସିଥିଲା । ରାୟପୁରରୁ ଏହି ପାର୍ସଲଟି ଆସିଥିଲା । ତେବେ ରାୟପୁରରେ ତାଙ୍କର କିଏ ବନ୍ଧୁ ନଥିବାରୁ ସାମାନ୍ୟ ଚିନ୍ତାରେ ପଡିଥିଲେ ସେ । ବାହଘର ଅଳ୍ପ ଦିନ ହୋଇଥିବାରୁ କେହି ପାର୍ସଲରେ ଉପହାର ପଠାଇଥିବା କଥା ସେ ଚିନ୍ତା କରିଥିଲେ । ସ୍ତ୍ରୀ ରିମାଙ୍କୁ ରୋଷାଇ ଘରୁ ଛୁରି ଆଣିବା ପାଇଁ କହିଥିଲେ । ପାଖରେ ସମ୍ପର୍କୀୟ ଜେଜେମା ଥିଲେ । ପରିବାରର ଆଉ କେହି ନଥିଲେ । ବନ୍ଧୁ ବାନ୍ଧବ ବି ଫେରିଯାଇଥିଲେ । ପାର୍ସଲ ଖୋଲିବା ବେଳେ ସେଥିରେ କିଛି ତାର ପରି ଥିବା କଥା ବି ସୌମ୍ୟ କହିଥିଲେ । ହଠାତ ପ୍ରଚଣ୍ଡ ଶଦ୍ଦ କରି ପାର୍ସଲ ଟି ବିସ୍ପୋରଣ ହୋଇଥିଲା । ଘରର କାନ୍ଥ ଫାଟିଯିବା ସହ ସବୁ କିଛି ଛିନ୍ ଛତର୍ ହୋଇଯାଇଥିଲା । ସୌମ୍ୟ ଶେଖର ଓ ତାଙ୍କ ଜେଜମା ଗୁରୁତର ହୋଇଥିଲା । ରିମା ସାହୁଙ୍କର ଅବସ୍ଥା ବି ଭଲ ନ ଥିଲା । ପାଖ ପଡୋଶୀ ବିସ୍ପୋରଣର ଶଦ୍ଦ ଶୁଣି ଦଉଡି ଆସିଥିଲେ । କେହି କିଛି ବୁଝି ପାରି ନ ଥିଲେ । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ଅଧିକ ଚିକିତ୍ସାପାଇଁ ସ୍ଥାନାନ୍ତର କରାଯିବା ସମୟରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ମୃତ୍ୟୁ ବରଣ କରିଥିଲେ । ରିମା ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ପ୍ରେମ କିମ୍ବା ପ୍ରତିଶୋଧ ପାଇଁ ଏହି ବିସ୍ପୋରଣ ହୋଇଥିବା ଚର୍ଚ୍ଚା ହୋଇଥିଲା ।
ପୁଲିସ ତଦନ୍ତ କରିଥିଲେ ବେଶୀ କିଛି ସଫଳତା ପାଇ ନ ଥିଲା । ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ଆଖିରେ ରଖି ୪ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । କୋରିଅର ବୟକୁ ଜେରାଠାରୁ ଆରମ୍ଭ କରି, ରାୟପୁର ଯାଇ ତଦନ୍ତ କରିଥିଲା । ଭବାନୀପାଟଣାର ଏକ ସାଇବର କେଫ୍ରେ ପଚରାଉଚରା କରିଥିଲା । ମାତ୍ର କିଛି ଜଣା ପଡି ନଥିଲା । ମାତ୍ର ଏକ ଚିଠିରୁ ସୁରାକ ପାଇଁ ତଦନ୍ତକୁ ଆଗକୁ ବଢାଇଥିଲା କ୍ରାଇମ୍ବ୍ରାଞ୍ଚ୍ । ଏହି ଚିଠିରୁ ହିଁ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲା ମେହେରକୁ ଗିରଫ କରାଯାଇଥିବା କ୍ରାଇମ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ପୁଞ୍ଜିଲାଲକୁ ଜେରା ବେଳେ ପ୍ରଥମେ ନ ମାନି ଯାଇଥିବା କଥା ସେ ସୂଚନା ଦେଇଛନ୍ତି । ୨ମାସ ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । ଏବେ ପୁଞ୍ଜିଲାଲକୁ ୧୪ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମ ବ୍ରାଞ୍ଚ ଅଦାଲତରେ ଆବେଦନ କରିବା ବୋଲି ଜଣା ପଡିଛି ।