www.samajalive.in
Saturday, December 13, 2025
23.1 C
Bhubaneswar

ମନର ଡାକ ସଫଳ ହେଲା, ଦେଢ଼ବର୍ଷ ଖୋଜିବା ପରେ ମିଳିଲେ ପତ୍ନୀ

ଅଲୱର : କେଦାରନାଥ ଧାମର ନାମ ଶୁଣିବା ମାତ୍ରେ ଆଖି ଆଗରେ ଭାସିଉଠେ ୨୦୧୩ ମସିହାର ପ୍ରଳୟଙ୍କରୀ ବନ୍ୟା ବିଭୀଷିକା, ଧ୍ବଂସଲୀଳାର ଚିତ୍ର। ପ୍ରକୃତିର ଏହି ତାଣ୍ଡବରେ କେତେ ଯେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି- ତା’ର ହିସାବ ନାହିଁ। ହେଲେ, ପ୍ରମାଣ ନପାଇବା ପର୍ଯ୍ୟନ୍ତ ଖୋଜିବା ଜାରି ରଖି ଶେଷରେ ଏହି ବ୍ୟକ୍ତି ନିଜ ପତ୍ନୀଙ୍କୁ ପାଇପାରିଛନ୍ତି ଏବଂ ପ୍ରମାଣ କରିଛନ୍ତି ଯେ ମନର ଡାକ କେବେ ବିଫଳ ହୁଏନାହିଁ। ରାଜସ୍ଥାନର ଅଲୱର ବାସିନ୍ଦା ୪୫ବର୍ଷୀୟ ବିଜେନ୍ଦ୍ର ସିଂହ ରାଠୋର ଅଜମେରର ଏକ ଟ୍ରାଭେଲ ଏଜେନ୍ସିରେ କାମ କରନ୍ତି। ବିଭିନ୍ନ ଐତିହାସିକ ତଥା ପର୍ଯ୍ୟଟନସ୍ଥଳକୁ ଯାତ୍ରୀମାନଙ୍କୁ ନେଇ ଯିବା ତାଙ୍କର କାମ। ୨୦୧୩ ମସିହାରେ ଏକ ପର୍ଯ୍ୟଟକ ଦଳଙ୍କୁ ନେଇ ସେ ଉତ୍ତରାଖଣ୍ଡର କେଦାରନାଥ ଆସିଥିଲେ। ସେହିବର୍ଷ ବିଜେନ୍ଦ୍ର ଓ ତାଙ୍କ ପତ୍ନୀ ଲିଲା ଚାରିଧାମ ଯାତ୍ରା କରିବା ଲାଗି ମନସ୍ଥ କରିଥିବାରୁ ପର୍ଯ୍ୟଟକମାନଙ୍କ ସହ ସେମାନେ ବି ନିଜ ଯୋଜନା ପ୍ରସ୍ତୁତ କଲେ। ୨୦୧୩ ଜୁନ୍‌ ୧୨ତାରିଖରେ ଅନ୍ୟ ୩୦ଜଣ ଯାତ୍ରୀଙ୍କ ସହ ବାହାରିଥିଲେ ସେମାନେ। ହେଲେ ପହଞ୍ଚିବା ବେଳକୁ କେଦାରନାଥରେ ଆରମ୍ଭ ହୋଇଗଲା ପ୍ରକୃତିର ତାଣ୍ଡବ। ବନ୍ୟାର କରାଳ ସ୍ରୋତରେ କିଏ କୁଆଡେ ଅଲଗା ହୋଇଗଲେ। ଶେଷଥର ପାଇଁ ଜୁନ୍‌
୧୬ତାରିଖରେ ଲିଲାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ବିଜେନ୍ଦ୍ର। ପାଣି ବଢିବା ସହିତ ଘରଗୁଡିକ ଭାସିଯାଉଥିବାର ଭୟଙ୍କର ପରିସ୍ଥିତିରେ ବି ସେ ପତ୍ନୀଙ୍କୁ ଖୋଜିଚାଲିଥିଲେ। ବନ୍ୟାର ପ୍ରକୋପ ଥମିଯିବା ପରେ ପରସ୍ପରକୁ ଖୋଜିବା ଆରମ୍ଭ କରିଥିଲେ। ସେମାନେ ସେହି ସ୍ଥାନ କିମ୍ବା ସେଠାକାର ବାସିନ୍ଦାଙ୍କ ସହ ପରିଚିତ ନଥିଲେ। ବାଟଘାଟର ସ୍ଥିତି ନଥିବାରୁ ଲିଲା ଆଉ ଫେରିପାରିଲେ ନାହିଁ। ବିଜେନ୍ଦ୍ର କିନ୍ତୁ ଖୋଜିବା ଅବ୍ୟାହତ ରଖିଥିଲେ। ତାଙ୍କ ପାଖରେ ସମ୍ବଳ ଥିଲା ଲିଲାଙ୍କର ଗୋଟିଏ ବୋଲି ଫଟୋ। ସେ ପ୍ରତ୍ୟେକଙ୍କୁ ସେହି ଫଟୋ ଦେଖାଇ ପତ୍ନୀଙ୍କର ସନ୍ଧାନ ଚଳାଇଥିଲେ। ପରିସ୍ଥିତି ସାମାନ୍ୟ ହେବା ସହିତ ମାସ ପରେ ମାସ ବିତିଲା। ତଥାପି ଲିଲାଙ୍କର ସନ୍ଧାନ ମିଳୁନଥିଲା। ସରକାରୀ ସ୍ତରରେ ଲିଲାଙ୍କୁ ମୃତ ବୋଲି ଗ୍ରହଣ କରାଯାଇ ବିଜେନ୍ଦ୍ରଙ୍କୁ ୯ଲକ୍ଷ ଟଙ୍କା କ୍ଷତିପୂରଣ ଯଚାଗଲା। ହେଲେ, ସେ ତାହା ଗ୍ରହଣ କଲେନାହିଁ। ତାଙ୍କର ଏପରି ଖୋଜାଖୋଜି ଦେଖି ଅନେକେ ଭାବିଲେ ସେ ପାଗଳ ହୋଇଗଲେଣି। ବିଜେନ୍ଦ୍ରଙ୍କ ପାଞ୍ଚଜଣ ପିଲା ଏବଂ ପରିବାରବର୍ଗ ତାଙ୍କୁ ଫେରିଆସିବାକୁ କହୁଥିଲେ ବି ସେ ଶୁଣୁନଥିଲେ।
ଲିଲା ହଜିବା ଦିନଠାରୁ ଉତ୍ତରାଖଣ୍ଡ ଛାଡିନଥିଲେ ବିଜେନ୍ଦ୍ର। ହଜାରେରୁ ଊର୍ଦ୍ଧ୍ବ ଗାଁରେ ସେ ପତ୍ନୀଙ୍କୁ ଖୋଜିସାରିଥିଲେ। ତଥାପି ଭାଗ୍ୟ ଏବଂ ଈଶ୍ବରଙ୍କ ଉପରୁ ତାଙ୍କର ଆସ୍ଥା ତୁଟି ନଥିଲା। ସମ୍ପତ୍ତି ବିକ୍ରି କରି ପିଲାମାନଙ୍କ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରିବା ସହିତ ବହୁ ପ୍ରତିକୂଳ ପରିସ୍ଥିତିରେ ବି ପତ୍ନୀଙ୍କୁ ଖୋଜିଚାଲିଥିଲେ ସେ। ୨୦୧୫ ଜାନୁଆରୀ ୨୭ତାରିଖରେ ଉତ୍ତରାଖଣ୍ଡ ଗଙ୍ଗୋଲି ଗ୍ରାମର କେତେଜଣ ବାସିନ୍ଦା ଫଟୋ ଦେଖି ତାଙ୍କୁ କହିଥିଲେ ଯେ ଏପରି ଜଣେ ମହିଳା କିଛିଦିନ ହେବ ତାଙ୍କ ଗାଁରେ ବୁଲୁଛନ୍ତି। ତେବେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ। ବିଜେନ୍ଦ୍ର ତୁରନ୍ତ ସେହି ଗ୍ରାମବାସୀଙ୍କ ସହ ଯାଇ ଦେଖିବା ବେଳକୁ ମହିଳାଜଣକ ହିଁ ଲିଲା ଥିଲେ। ସେ କିନ୍ତୁ ନିର୍ବାକ ହୋଇଯାଇଥିଲେ ଏବଂ ବିଜେନ୍ଦ୍ରଙ୍କୁ ବି ଚିହ୍ନିପାରିଲେ ନାହିଁ। ତଥାପି ପତ୍ନୀଙ୍କୁ ଫେରିପାଇ ବିଜେନ୍ଦ୍ର ଭଗବାନଙ୍କୁ ଧନ୍ୟବାଦ ଦେଇ ଘରକୁ ଫେରିଥିଲେ। ଏବେ ପରିବାର ଲୋକେ ଲିଲାଙ୍କ ସ୍ମୃତିଶକ୍ତି ଫେରାଇ ତାଙ୍କୁ ସାଧାରଣ ସ୍ଥିତିକୁ ଆଣିବା ଲାଗି ଚେଷ୍ଟା ଚଳାଇଛନ୍ତି। ଏପରି ଏକ କାହାଣୀ ସମ୍ପର୍କରେ ଜାଣିବା ପରେ ନିର୍ମାତା ସିଦ୍ଧାର୍ଥ ରାୟ କପୁର ଏହା ଉପରେ ସିନେମା ନିର୍ମାଣ କରିବାର ଯୋଜନା କରୁଥିବା ଜଣାଯାଇଛି। ବିନୋଦ କାପରୀ ଏହାର ନିର୍ଦେଶନା ଦେବେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories