ସୁଆଣ୍ଡୋ: ସତ୍ୟବାଦୀ ଥାନା ରେଳଫାଟକ ନିକଟସ୍ଥ ଯାଦବ କଲୋନୀରେ ଲୁଟ୍ପାଟ ହୋଇଥିବା ଅଭିଯୋଗ ହୋଇଛି । ଘରେ ପଶି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଶୁକ୍ରବାର ରାତି ପ୍ରାୟ ସାଢେ ୧ଟା ରୁ ୨ଟା ମଧ୍ୟରେ କଲୋନୀରେ ରହୁଥିବା ଗଦାଧର ରଥଙ୍କ ଝରକା ଗ୍ରିଲ ଭାଙ୍ଗି ଚୋର ଦଳ ଘରେ ପଶି ଥିଲେ । ତଳ ମହଲାରେ ଶୋଇଥିବା ଶ୍ରୀ ରଥ ଓ ତାଙ୍କ ସ୍ତ୍ରୀଙ୍କୁ ଗୋଡହାତ ବାନ୍ଧି ବିଭିନ୍ନ ମାରଣାସ୍ତ୍ର ଦେଖାଇ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ । ଘରେ ଥିବା ଗଡରେଜ ଆଲମାରୀ ଭାଙ୍ଗି ଚାରିଭରି ସୁନା ଅଳଙ୍କାର ଓ ନଗଦ ଚାଳିଶ ହଜାର ଟଙ୍କା ଲୁଟି ନେଇଥିଲେ । ଏହାପରେ ଉପର ମହଲାରେ ରହୁଥିବା ଘର ମାଲିକ ଯାଦବ ନାୟକ ତାଙ୍କ ସ୍ତ୍ରୀ ମିନା, ଦୁଇ ଝିଅ ପୁଷ୍ପାଞ୍ଜଳୀ ଏବଂ ଗୀତାଞ୍ଜଳିଙ୍କୁ ସେହିପରି ବାନ୍ଧି ପକାଇଥିଲେ । ମୁଣ୍ଡରେ ବନ୍ଧୁ ଲଗାଇ ଲୁହା ଆଲମାରୀ ଭାଙ୍ଗି ଦେଢ ଶହ ଗ୍ରାମର ସୁନା ଅଳଙ୍କାର, ପାଞ୍ଚ ଶହ ଗ୍ରାମର ରୁପା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଚୋର ଦଳରେ ୮ରୁ ୧୦ ଜଣ ବ୍ୟକ୍ତି ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଓଡ଼ିଆରେ କଥା କହୁଥିଲେ ଏବଂ ଅନ୍ୟମାନେ ଖଣ୍ଡି ହିନ୍ଦୀରେ କଥା ହେଉଥିଲେ ବୋଲି ଶ୍ରୀ ରଥ କହିଛନ୍ତି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଁଟିଫିକ ଟିମ ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।



