ତିନ୍ସୁକିଆ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ରେ ଦେଶର ଦୀର୍ଘତମ ରେଳ-ସଡ଼କ ସେତୁ ଲୋକାର୍ପଣ କରିବେ। ଏଥିସହିତ ସେଦିନ ସେ ଏହି ସେତୁ ଉପରେ ରେଳ ଚଳାଚଳର ଶୁଭାରମ୍ଭ କରିବେ। ସେଦିନ ତିନ୍ସୁକିଆ-ନାହାରଲାଗୁନ୍ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ଏହି ସେତୁରେ ଚଳାଚଳ କରିବ। ଏହି ସେତୁର ତାତ୍ପର୍ଯ୍ୟ ହେଉଛି ଏହା ଦୁଇଥାକିଆ ଓ ଏଥିରେ ରେଳ ସହ ଯାନବାହନ ଚଳାଚଳ କରିବ। ଏଥିପାଇଁ ରେଳ ଲାଇନ୍ ସହିତ ସ୍ବତନ୍ତ୍ର ସଡ଼କ ନିର୍ମାଣ ହୋଇଛି। ‘ବୋଗିବିଲ ବ୍ରିଜ୍’ ନାମରେ ପରଚିତ ୪.୯କିମି ଦୀର୍ଘ ଏହି ସେତୁ ବ୍ରହ୍ମପୁତ୍ରର ଦକ୍ଷିଣ କୂଳସ୍ଥିତ ଆସାମର ଦିବ୍ରୁଗଡ଼ ଜିଲାକୁ ଅରୁଣାଚଳପ୍ରଦେଶର ଧିମାଜୀ ଜିଲା ଅନ୍ତର୍ଗତ ଶିଳାପଥରକୁ ସଂଯୋଗ କରୁଛି। ଏହି ସେତୁରେ ରେଳ ଚଳାଚଳ ଦ୍ବାରା ଆସାମର ତିନ୍ସୁକିଆରୁ ଅରୁଣାଚଳର ନାହାରଲାଗୁନ୍କୁ ଯାତାୟାତ ସମୟ ୧୦ଘଣ୍ଟା ହ୍ରାସ ପାଇବ। ଏହାବ୍ୟତୀତ ଦୁଇ ରାଜ୍ୟ ମଧ୍ୟରେ ସଡ଼କ ପଥରେ ମଧ୍ୟ ଦୂରତ୍ବ ଯଥେଷ୍ଟ ହ୍ରାସ ପାଇବ। ବର୍ତ୍ତମାନ ଯାତ୍ରୀଙ୍କୁ ଉପରୋକ୍ତ ଦୁଇ ସ୍ଥାନକୁ ଯା’ଆସ କରିବା ପାଇଁ ଏକାଧିକ ଟ୍ରେନ୍ ପରିବର୍ତ୍ତନ କରିବାକୁ ପଡ଼ୁଛି ଓ ଏଥିପାଇଁ ୧୫ରୁ ୨୦ଘଣ୍ଟା ଲାଗୁଛି। ବୋଗିବିଲ ସେତୁ ଉଦ୍ଘାଟନ ପରେ ଏହି ସମସ୍ୟା ଦୂର ହେବ ବୋଲି କହିଛନ୍ତି ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତ ରେଳବାଇ ମୁଖପାତ୍ର ନୃପେନ ଭଟ୍ଟାଚାର୍ଯ୍ୟ। ନାହାରଲାଗୁନ୍ରୁ ଇଟାନଗର ୧୫କିମି ଦୂର ହୋଇଥିବାରୁ ଲୋକେ ଅଧିକ ଉପକୃତ ହେବେ।
ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପ ଅଧୀନରେ ଏହି ସେତୁ ନିମାଣ କରାଯାଇଛି। ଏହାର ନିର୍ମାଣ ପାଇଁ ଦୀର୍ଘ ୨୧ ବର୍ଷ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡ଼ା ୧୯୯୭ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୦୨ରେ ସେତୁ ସଂଲଗ୍ନ ସଡ଼କ ପଥର ଉଦ୍ଘାଟନ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ। ଏହି ସେତୁ ନିର୍ମାଣ ବାବଦରେ ୫୯୨୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ସେତୁ ଦୁଇ ରାଜ୍ୟର ଜନତାଙ୍କ ପାଇଁ ସ୍ବପ୍ନ ଥିଲା।
୨୫ରେ ଲୋକାର୍ପଣ ହେବ ଦେଶର ଦୀର୍ଘତମ ରେଳ-ସଡ଼କ ସେତୁ
Popular Categories



