ଲୋକକଳା ଦିବସ ସମାରୋହ 

ଆଠଗଡ :  ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ଲୋକକଳା ଦିବସ ସମାରୋହ- ୨୦୨୩ ପାଳିତ ହୋଇଯାଇଛି । ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଫୁଲ୍ଲ କୁମାର ଗଣ୍ଠିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସଂକୀର୍ତ୍ତନ ମହାମଣ୍ଡଳ ସଭାପତି ଅଜୟ କୁମାର ଦାସ, ଭାଗବତ ମହାମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ବ୍ରହ୍ମ ଓ ପାଲା ସଂଘର ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକକଳାକୁ ବଞ୍ଚାଇ ରଖିବା ଲାଗି କଳାକାରମାନେ କିପରି ସଂଘର୍ଷ କରି ଏକ କଷ୍ଟଦାୟକ ଜୀବନ ବିତାଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭୁ ଆଶୀର୍ବାଦ ଯୋଗୁଁ ବିଭିନ୍ନ ଲୋକକଳାକୁ କଳାକାରମାନେ ଅଦ୍ୟାବଧି ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି । ସରକାରୀସ୍ତରରୁ ନିରବଛିନ୍ନ ପ୍ରୋତ୍ସାହନ ମିଳିଲେ ଏବଂ ଜନସାଧାରଣଙ୍କର ଲୋକକଳା ପ୍ରତି ଅନୁରାଗ ଓ ଆଗ୍ରହ ରହିଲେ ନଦିଆ ସଂକୀର୍ତ୍ତନ, ପାଲା, ଦାସକାଠିଆ, ଭାଗବତ ସଂକୀର୍ତ୍ତନ ଆଦି ଲୋକକଳା ଆମ ଉତ୍ତରପିଢି ପାଇଁ ବଞ୍ଚିରହିବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ ।
prayash
ଏହି ଅବସରରେ ଲୋକକଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତିନିଜଣ ଅତିଥିଙ୍କ ସମେତ ସଂଘର ଉପସଭାତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ନିର୍ବାହୀ ଅଧିକାରୀ ମନୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ଅଞ୍ଚଳର ବହୁ ଲୋକକଳା କଳାକାର ଯୋଗଦେଇ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ସ୍ମରଣ, ଗାୟନ ମାଧ୍ୟମରେ ସମାଜରେ ଦେଖାଦେଇଥିବା ସମସ୍ତ ବିପତ୍ତିରୁ ମୁକ୍ତି ପାଇଁ ବିଶ୍ୱନିୟନ୍ତାଙ୍କ ଚରଣାରବିନ୍ଦରେ ଭକ୍ତି ପୁଷ୍ପ ଅର୍ପଣ କରିଥିଲେ ।

Comments are closed.