www.samajalive.in
Wednesday, December 10, 2025
15.1 C
Bhubaneswar

କରୋନାର ଦୁଃଖଶୋକ : ଧୈର୍ଯ୍ୟ ଓ ସଂଯମ କେବଳ ପାଥେୟ

ନେତାମାନେ ନେତୃତ୍ବ ଦେବେ ଏବଂ ସଂକଟ କାଳରେ କିପରି ଚଳିବାକୁ ହେବ ସେ ବିଷୟରେ ପରାମର୍ଶ ଦେବେ। ଏଥିରେ ବିଶେଷ କିଛି ନୂତନତ୍ବ ନାହିଁ। ତଥାପି ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅଥବା ମୁଖ୍ୟମନ୍ତ୍ରୀ, କରୋନା ମହାମାରୀ ସମୟରେ ସେମାନେ ଯେଉ ଁସବୁ ପରାମର୍ଶ ଦେଉଛନ୍ତି ତାହାକୁ ଆମେ ଯଥାସମ୍ଭବ ପାଳନ କରିବାକୁ ଚେଷ୍ଟା କରିବା ଉଚିତ। ପରାମର୍ଶ ଦେବା ସହଜ; କିନ୍ତୁ ଗହନ ସଂକଟରେ ପଡ଼ିଥିବା ଲୋକ ପରାମର୍ଶଠାରୁ ବଞ୍ଚିବା ପାଇଁ ତୁରନ୍ତ ସହାୟତା ଅଧିକ ଲୋଡ଼ିଥାଏ। କରୋନା ମହାମାରୀ ସମୟରେ ଯେଉଁମାନେ ଅସଲ ନିର୍ଣ୍ଣାୟକ ଭୂମିକାରେ ଅଛନ୍ତି ସେମାନେ ହେଲେ ଚିକିତ୍ସକ ଓ ଭେଷଜ ବିଶେଷଜ୍ଞ। ସେମାନଙ୍କ ପରାମର୍ଶରେ ହିଁ ରାଜନୈତିକ ନେତୃତ୍ବ, ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଅନ୍ୟାନ୍ୟ ବିଶାରଦମାନଙ୍କ ଆନୁଷଙ୍ଗିକ ପରାମର୍ଶ ନିଆଯାଉଛି। ଏବେ ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ ମେ ୩ ପରେ ଭାରତରୁ ଲକ୍‌ଡାଉନ ଉଠିଯିବ ଏବଂ ଦେଶରେ ସ୍ବାଭାବିକ ସ୍ଥିତି କ୍ରମଶଃ ଫେରିବ।

କରୋନାଘାତ ମଣିଷ ମନରେ ଏଭଳି ଏକ  ଅପରିପକ୍ବ ଭାବନା ଦୃଢ଼ୀଭୂତ ହେଉଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ବିବୃତି ଚିନ୍ତା ବଢ଼ାଉଛି। ଆହୁରି ମଧ୍ୟ ଭାରତ ଓ ଓଡ଼ିଶାର ସ୍ଥିିତି ଦେଖିଲେ ଆମ ମନର ସେ ଅଙ୍କୁରିତ ଭାବନାଟି ପୁଣି ମରିଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍‌ଙ୍କ ଆଦନମଙ୍କ କହିବା ଅନୁସାରେ କରୋନା ଲଢ଼େଇ ଦୀର୍ଘ ଦିନ ଧରି ଚାଲିବ ଏବଂ ନିକଟ ଭବିଷ୍ୟତରେ ଏହାର ଅବସାନ ଆଶା କ୍ଷୀଣ। ଅଧିକାଂଶ ଦେଶ ଏହି ମହାମାରୀ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ରହିଛନ୍ତି। ତେଣୁ ଲକ୍‌ଡାଉନ୍‌, ସାମାଜିକ ଓ ଶାରୀରିକ ଦୂରତ୍ବ ରକ୍ଷା,ବିଭିନ୍ନ କଟକଣା ଆହୁରି ବେଶ କିଛିକାଳ ଚାଲିବା ପ୍ରାୟ ନିଶ୍ଚିତ। ଆମେରିକା ଓ ୟୁରୋପର ଅବସ୍ଥା ଦେଖିଲେ ଏହା ଯେ ଜୁଲାଇ ପର୍ଯ୍ୟନ୍ତ ଚାଲିବ ତାହା ଅନୁମାନ କରିବା କଷ୍ଟ ନୁହେଁ।

- Advertisement -

ଏକ ବିଚିତ୍ର, ଅଭୂତପୂର୍ବ ମହାମାରୀର ପ୍ରକୋପରେ ଭୀତତ୍ରସ୍ତ ବିଶ୍ବବାସୀ ନିଜ ଆଖିରେ ଏହାର ସାମାଜିକ, ଅର୍ଥନୈତିକ ତାଣ୍ଡବଲୀଳା କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଦେଖୁଛନ୍ତି। କେବେ ପ୍ରତିଷେଧକ ବାହାରିବ ଅଥବା ସଂକ୍ରମଣ ପ୍ରାକୃତିକ ଉପାୟରେ କମିବ ସେ ଦିନକୁ ଅପେକ୍ଷା କରିବା ଛଡ଼ା ଗତ୍ୟନ୍ତର ନାହିଁ। ତଥାପି ବଞ୍ଚିବା ପାଇଁ ଲଢ଼େଇ ମଣିଷକୁ ଜାରି ରଖିବାକୁ ପଡ଼ିବ ଏବଂ ସେଥିରେ ଆର୍ଥିକ, ସାମାଜିକ, ସ୍ବାସ୍ଥ୍ୟଗତ ଓ ବ୍ୟକ୍ତିଗତ କ୍ଷତିମାନ ସହିବାକୁ ହେବ।

ମହାମାରୀ  ଜନସ୍ବାସ୍ଥ୍ୟ, ସାମାଜିକ ଅବସ୍ଥା ଓ ଆର୍ଥିକ ସ୍ଥିତିକୁ ବିପର୍ଯ୍ୟସ୍ତ କରିଥାଏ। କରୋନା ଭଳି ବୈଶ୍ବିକ ବିଚିତ୍ର ମହାମାରୀର ପ୍ରଭାବ ଏସବୁ କ୍ଷେତ୍ରକୁ ଦୋହଲାଇ ସାରିଲାଣି। କେବଳ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଯାଇନାହିଁ, ସବୁ ଦେଶର ଅର୍ଥନୀତି ଦୋହଲି ଯାଇଛି। ଲୋକ ରୋଜଗାର ହରାଇଛନ୍ତି, ଚାକିରି, ବୃତ୍ତି ଯାଇଛି, ଉତ୍ପାଦନର ସବୁ ଅଙ୍ଗ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଯେଉଁମାନେ ବଞ୍ଚିବେ ସେମାନେ ଆହୁରି କଠୋର ସମୟର ମୁକାବିଲା କରିବାକୁ ବାଧ୍ୟ ହେବେ। ଏ ନେଇ ଭାରତ ସମେତ ବିଶ୍ବର ସବୁ ନେତୃମଣ୍ଡଳୀ ଚିନ୍ତିତ ଏବଂ ଉପାୟ ବାହାର କରିବାରେ ବ୍ୟଗ୍ର। ଭାରତରେ ସେଥିପାଇଁ ପରୀକ୍ଷାମୂଳକ ଭାବେ କେତେକ କ୍ଷେତ୍ରରେ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ସ୍ବାଗତଯୋଗ୍ୟ। ବ୍ୟକ୍ତିଗତ ନିରାପତ୍ତା ରକ୍ଷା ସହ ସରକାରୀ ନୀତି ନିୟମମାନି କାମ ନ’କଲେ ସେସବୁ କ୍ଷେତ୍ର ପୁନର୍ବାର ସଂକ୍ରମିତ ହୋଇପାରେ। ତେଣୁ ସେଥିପ୍ରତି ସତର୍କ ରହିବାକୁ ହେବ।

ଯେଉଁମାନେ କରୋନାମାଡ଼​‌ରେ ନିଯୁକ୍ତି ହରାଇଛନ୍ତି ସେମାନେ ନିଜେ ଅନିଶ୍ଚିତ ଭବିଷ୍ୟତ ଦେଇ ଗତିକରୁଥିବାବେଳେ ଏହାର ପ୍ରଭାବ ଅର୍ଥନୀତି ଉପରେ ସିଧାସଳଖ ପଡ଼ୁଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିନମଜୁରିଆ ଶ୍ରେଣୀର। ଶ୍ରମ ଶକ୍ତିରେ ଏମାନଙ୍କ ସଂଖ୍ୟା ବହୁ ଅଧିକ। ସେମାନେ ଏବେ ରୋଜଗାର ସହ ସାମାଜିକ ନିରାପତ୍ତା ହରାଇବା ଆଶଙ୍କାରେ କାଳାତିପାତ କରୁଛନ୍ତି। ଏହି ବର୍ଗର ସମସ୍ତଙ୍କ ପାଇଁ ନିଶ୍ଚିତ ରୋଜଗାର ଓ ସାମାଜିକ ନିରାପତ୍ତା ବ୍ୟବସ୍ଥା ନାହିଁ। ବିଭିନ୍ନ ସଂସ୍ଥାରେ କାମ କରୁଥିବା ଅସ୍ଥାୟୀ ଶ୍ରମିକ ଓ କର୍ମଚାରୀମାନଙ୍କ ଛଟେଇ ଆରମ୍ଭ ହୋଇଯାଇଛି। ମଟରଯାନ ଶିଳ୍ପ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବା ଯୋଗୁଁ ଅନେକ ଉଦ୍ୟୋଗ ବନ୍ଦ ହୋଇଯାଇଛି। ଫଳରେ ସେଠାରେ କାମ କରୁଥିବା ପ୍ରାୟ ଏକ ନିୟୁତ କର୍ମଚାରୀ ଓ ଶ୍ରମିକ ରୋଜଗାର ହରାଇଲେଣି। ଚାକିରି ଓ ରୋଜଗାର ହରାଇଥିବା ଲୋକଙ୍କ ପାଖରେ ଖର୍ଚ୍ଚବାର୍ଚ୍ଚ କରିବାକୁ ବିଶେଷ ଧନ ନାହିଁ। ତେଣୁ ସେମାନେ ଖର୍ଚ୍ଚକାଟ କରିବାକୁ ବାଧ୍ୟ ହେବାସହ ସାମଗ୍ରୀର ଉପଯୋଗ କମିବ। ଏହାର ସିଧାସଳଖ ପ୍ରଭାବରୁ ଉପଭୋଗ ବା ସାମଗ୍ରୀ ବ୍ୟବହାର ହ୍ରାସ ପାଇ ବଜାରରେ ଜିନିଷପତ୍ରର ଚାହିଦା କମିବାକୁ ଲାଗିବ।

ଭାରତ ଓ ଓଡ଼ିଶାରେ କରୋନାର ସଂକ୍ରମଣ ଯେଉଁ ପର୍ଯ୍ୟାୟରେ ଥାଉ ନା କାହିଁକି ଏହା ଯେ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ତାହା ସ୍ପଷ୍ଟ। ଆଭ୍ୟନ୍ତରୀଣ ସଂକ୍ରମଣର ପର୍ବ ଆହୁରି ବେଶ୍‌ କିଛି ଦିନ ଚାଲିପାରେ। ଏହି ପ୍ରକ୍ରିୟାରେ ଆମେ କେତେ ଧନଜୀବନ ହରାଇବା ତାହା ଅନୁମାନ କରିବା ସହଜ ନୁହେଁ। ତଥାପି ଆମେ ଯଦି ଏ କ୍ଷତିକୁ ସୀମିତ କରି ବିଜୟୀ ହୋଇପାରିବା ସମଗ୍ର ବିଶ୍ବରେ ଉଦାହରଣ ସୃଷ୍ଟି କରିବା।

ଦୁଃସମୟ ଚିରସ୍ଥାୟୀ ନୁହେଁ। ସଂକଟ ସମୟରେ ଅଳ୍ପରେ ଚଳିବା, ସତର୍କ ରହିବା ଏବଂ ଧୈର୍ଯ୍ୟ ଧରି ସାହାଯ୍ୟ ସହଯୋଗ ଭିତ୍ତିରେ ଶୃଙ୍ଖଳାରସହ ସମୟ ଅତିବାହିତ କରିବା ବଞ୍ଚିବାର ମୌଳିକ କଳା। ଏତେବେଳେ ଭଲ ସମୟର ଅୟସର ସ୍ଥାନ ନାହିଁ। କରୋନା ବିଶ୍ବକୁ ଅନେକ କଥା ଶିଖାଇଛି। ସତେ ଯେପରି ଏସବୁ ଶିକ୍ଷା ପ୍ରକୃତି ଏକ ମହାମାରୀ ଆକାରରେ ଆମକୁ ଶିକ୍ଷା ଦେଇଛି। ଆମ ଜଳସ୍ଥଳ, ଆକାଶ, ବନାନୀ, ପରିବେଶ, ପ୍ରତିବେଶ, ଜୀବଜଗତ କିପରି ପ୍ରାକୃତିକ ଭାରସାମ୍ୟ ରକ୍ଷାକରି ବଞ୍ଚିରହିବ ସେ ବାର୍ତ୍ତାଟି ଏହା ସିଧାସଳଖ ଦେଇଛି। ଏହା ବାର୍ତ୍ତାକୁ ବୁଝି ଏଥିରୁ କିିଛି ଆମେ ଶିଖିପାରିଲେ ଆମର ମଙ୍ଗଳ, ଜଗତର ମଙ୍ଗଳ ହେବ। ଆମକୁ ଗୋଟିଏ କଥା ମନେ ରଖିବାକୁ ପଡ଼ିବ କୌଣସି ମହାମାରୀ ଏଯାଏ ମଣିଷ ସମାଜକୁ ନିଃଶେଷ କରିପାରିନାହିଁ। ମଣିଷ ବଞ୍ଚୁଛି ଓ ବଞ୍ଚିବ; କିନ୍ତୁ ମହାମାରୀରୁ ଆମକୁ ବୁଦ୍ଧିଶିଖି ଆଗକୁ ବଢ଼ିବାକୁ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories