ଚନ୍ଦ୍ରର ନିକଟତର ବିକ୍ରମ

ପ୍ରଥମ ଡିବୁଷ୍ଟିଂ ଶେଷ

ବେଙ୍ଗାଲୁରୁ :  ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଚନ୍ଦ୍ରପୃଷ୍ଠର ଅଧିକ ନିକଟତର ହୋଇଛି। ପ୍ରୋପୁଲଜନ ମଡ୍ୟୁଲ (ପିଏମ୍‌)ରୁ ଅଲଗା ହୋଇଥିବା ବିକ୍ରମକୁ ଶୁକ୍ରବାର ଡିବୁଷ୍ଟିଂ (ବେଗ ହ୍ରାସ) କରାଯାଇ ଚନ୍ଦ୍ର ପୃଷ୍ଠର ନିକଟତର କରାଯାଇଛି। ଯେତେବେଳେ ଲ୍ୟାଣ୍ଡର(ବିକ୍ରମ) ୯୦ଡିଗ୍ରୀ ବୁଲାଣି ନେଇ ଚନ୍ଦ୍ରପୃଷ୍ଠ ଆଡ଼କୁ ଗତି କରିଥାଏ ଓ ଏହା ଚନ୍ଦ୍ରପୃଷ୍ଠ ଠାରୁ ପ୍ରାୟ ୩୦କି.ମି. ଦୂରରେ ଥାଏ ସେତେବେଳେ ବୈଜ୍ଞାନିକମାନେ ଏହାର ଗତି କମାଇଥାନ୍ତି। ଏହି ପ୍ରକ୍ରିୟାକୁ ଡିବୁଷ୍ଟିଂ କୁହାଯାଏ। ଚନ୍ଦ୍ରପୃଷ୍ଠରେ ମହାକାଶଯାନ ଅବତରଣ ପାଇଁ ଡିବୁଷ୍ଟିଂ ଜରୁରୀ।
ଯୋଜନା ଅନୁଯାୟୀ ଅଗଷ୍ଟ ୨୩ରେ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ। ତେଣୁ ବିକ୍ରମକୁ ଚନ୍ଦ୍ରପୃଷ୍ଠର ନିକଟରୁ ନିକଟତମ ସ୍ତରକୁ ନେବା ଲାଗି ଏହାର ଡିବୁଷ୍ଟିଂ ପ୍ରକ୍ରିୟା ଜାରି ରହିବ। ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଡିବୁଷ୍ଟିଂ ପରେ ବିକ୍ରମ ଚନ୍ଦ୍ରର ୧୧୩ କି.ମି.x ୧୫୭ କି.ମି. କକ୍ଷ ପଥରେ ରହିଛି। ଅଗଷ୍ଟ ୨୦ ରବିବାର ଏହାକୁ ଦ୍ବିତୀୟ ଡିବୁଷ୍ଟିଂ କରାଯିବ। ଏପରିକି ବିକ୍ରମକୁ ଚନ୍ଦ୍ରପୃଷ୍ଠର ୩୦ କି.ମି. ନିକଟକୁ ନେବାକୁ ପ୍ରୟାସ କରାଯିବ। ଡିବୁଷ୍ଟିଂ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ବିକ୍ରମର ବେଗକୁ ହ୍ରାସ କରାଯାଇ ନିମ୍ନ କକ୍ଷ ପଥକୁ ନିଆଯାଇଥାଏ। ଗୁରୁବାର ବିକ୍ରମ ସହିତ ପ୍ରଜ୍ଞାନ ପ୍ରୋପୁଲଜନ ମଡ୍ୟୁଲରୁ ଅଲଗା ହୋଇଥିଲା।
ଅନ୍ୟପକ୍ଷରେ ଶୁକ୍ରବାର ଇସ୍ରୋ ଚନ୍ଦ୍ରର କେତେକ ଫଟୋକୁ ଜାରି କରାଯାଇଛି। ଅଗଷ୍ଟ ୧୫ ଓ ୧୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ଉତ୍ତୋଳନ କରିଥିବା ଫଟୋକୁ ଇସ୍ରୋ ଜାରି କରିଛି। ଲ୍ୟାଣ୍ଡର ପୋଜିସନ୍ ଡିଟେକସନ୍ କ୍ୟାମେରା ଏହି ଫଟୋକୁ ଉତ୍ତୋଳନ କରିଥିଲା। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ଏହାପୂର୍ବରୁ ଚନ୍ଦ୍ରଯାନ-୩ର ଅବତରଣକାରୀ ଅଂଶ (ଲ୍ୟାଣ୍ଡିଂ ମଡ୍ୟୁଲ)କୁ ପ୍ରୋପ୍ୟୁଲଜନ୍
ମଡ୍ୟୁଲରୁ ସଫଳତାର ସହିତ ଅଲଗା କରାଯାଇଥିଲା। ଲ୍ୟାଣ୍ଡିଂ ମଡ୍ୟୁଲ୍‌ରେ ଦୁଇଟି ଅଂଶ ରହିଛି। ଗୋଟିଏ ହେଉଛି ବିକ୍ରମ (ଲ୍ୟାଣ୍ଡର) ଓ ଅନ୍ୟଟି ହେଉଛି ପ୍ରଜ୍ଞାନ (ରୋଭର)। ପ୍ରୋପ୍ୟୁଲଜନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରାଯିବା ଚନ୍ଦ୍ରଯାନ-୩ର ଅଭିଯାନ ପାଇଁ ଏକ ମାଇଲଖୁଣ୍ଟ। ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଯିବା ପରେ ଏହା ମଧ୍ୟରେ ଥିବା ପ୍ରଜ୍ଞାନ ବାହାରକୁ ବାହାରି ଚନ୍ଦ୍ରପୃଷ୍ଠରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବ। ବୁଧବାର ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଧାର୍ଯ୍ୟ କକ୍ଷପଥ ୧୫୩ କି.ମି x ୧୬୩ କି.ମିରେ ପହଞ୍ଚିବା ପରେ ପ୍ରୋପ୍ୟୁଲଜନ ମଡ୍ୟୁଲ୍‌ରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବା ପ୍ରକ୍ରିୟାର ଆରମ୍ଭ ହୋଇଥିଲା। ଲ୍ୟାଣ୍ଡିଂ ମଡ୍ୟୁଲକୁ ଚନ୍ଦ୍ରର ଧାର୍ଯ୍ୟ କକ୍ଷପଥ​‌େ​‌ର ପହଞ୍ଚାଇବା ପରେ ଅଲଗା ହୋଇଯାଇଥିବା ପ୍ରୋପ୍ୟୁଲଜନ ମଡ୍ୟୁଲ ଏବେ ଅନ୍ୟ ମହାଜାଗତିକ ଜୀବନ ସମ୍ପର୍କରେ ସନ୍ଧାନ କରିବ। ବିଶେଷକରି ସୌରମଣ୍ଡଳ ବାହାରେ ରହିଥିବା ଅନ୍ୟଗ୍ରହରେ ଜୀବଜଗତ ଅଛି କି ନାହିଁ ତା’ ଉପରେ ସନ୍ଧାନ କରିବ। ପ୍ରୋପ୍ୟୁଲଜନ ମଡ୍ୟୁଲ ଏହାର ସ୍ପୋ‌େକ୍ଟ୍ରାପୋଲାରିମେଟ୍ରି ଅଫ୍ ହାବିଟେବୁଲ ପ୍ଲାନେଟ ଆର୍ଥ (ସେପ୍‌) ନାମକ ପ୍ଲେଲୋଡକୁ ଉପଯୋଗ କରି ଏହି ସନ୍ଧାନ କାର୍ଯ୍ୟ କରିବ। ସେପ୍‌କୁ ବ୍ୟବହାର କରି ପ୍ରୋପ୍ୟୁଲଜନ ମଡ୍ୟୁଲ ସଂଗ୍ରହ କରିଥିବା ତଥ୍ୟ ପୃଥିବୀର ବାୟୁମଣ୍ଡଳ ବାବଦରେ ଅଧିକ ବେଜ୍ଞାନିକ ଗବେଷଣା କରିବାରେ ସହାୟକ ହେବ। ପ୍ରୋପ୍ୟୁଲଜନ ମଡ୍ୟୁଲ ଏହାର ବର୍ତ୍ତମାନର କକ୍ଷ ପଥରେ କିଛି ମାସ କିମ୍ବା ବର୍ଷ ପାଇଁ ଯାତ୍ରା ଜାରି ରଖିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋ ସୂଚନାନୁଯାୟୀ, ୨୦୧୯ରେ ଭାରତ ପଠାଇଥିବା ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଚନ୍ଦ୍ରଯାନ-୩ର ଅର୍ବିଟର ମଧ୍ୟ ଏକ ଯୋଗାଯୋଗ ଉପଗ୍ରହ ଭଳି କାର୍ଯ୍ୟ କରିବ। ଭାରତ ବ୍ୟତୀତ ଚୀନ୍‌, ଆମେରିକା, ଦକ୍ଷିଣ କୋରିଆ ଓ ରୁଷିଆ ଚନ୍ଦ୍ର ପୃଷ୍ଠକୁ ନେଇ ଗବେଷଣା ଚଳାଇଛନ୍ତି। ନିକଟରେ ରୁଷିଆ ‘ଲୁନା’ ନାମରେ ଏକ ମହାକାଶ ଯାନ ଚନ୍ଦ୍ରକୁ ପଠାଇଛି। ଏହାକୁ ଅନେକ ଭାରତ ଓ ରୁଷିଆ ମଧ୍ୟରେ ଚନ୍ଦ୍ର ଅଭିଯାନର ପ୍ରତିଦ୍ବନ୍ଦ୍ବିତା ବୋଲି ଆଖ୍ୟା ଦେଉଛନ୍ତି। ଚନ୍ଦ୍ରଯାନ-୩ ଅଭିଯାନ ବିକ୍ରମ ଲ୍ୟାଣ୍ଡରର ଅବତରଣ ସହ ସଫଳ ହେଲେ ଭାରତ ବିଶ୍ବରେ ବିଶେଷ ମର୍ଯ୍ୟାଦାର ଅଧିକାରୀ ହେବ।

Comments are closed.