ଦେବୀଙ୍କ ପୂଜାରେ ମଦ-ମାଛ; ଭଲ ହୋଇଯାଏ ଜଟିଳ ରୋଗ

0

ଜଗତସିଂହପୁର: ସ୍ଥାନୀୟ ପାଇକ ସାହି ଗ୍ରାମର ସଙ୍କୀର୍ଣ୍ଣ କୋଣରେ ବିରାଜମାନ ଦେବୀ ଉତ୍ତରେଶ୍ୱରୀ। ଦେବୀଙ୍କୁ ପ୍ରତିଦିନ ବୈଦିକ ରୀତିରେ କରାଯାଏ ପୂଜାର୍ଚ୍ଚନା। ତେବେ ଏଠାରେ ଦେବୀଙ୍କ ନିକଟରେ ଲାଗି ହୁଏ ମଦ-ମାଛ। ଏହି ବୈଚିତ୍ର୍ୟ ଉକ୍ତ ମନ୍ଦିରକୁ ରାଜ୍ୟର ଅନ୍ୟାନ୍ୟ ମନ୍ଦିରଠାରୁ ନିଆରା କରିଛି। ଭୋଗ ପାଇଁ ମନ୍ଦିର ପାଖରେ ଭୋଗ ଦୋକାନରେ ମିଳୁଛି ବିଭିନ୍ନ ବିଦେଶୀ ମଦ।
ଇବିରିସିଂ ପଞ୍ଚାୟତର ତିର୍ତ୍ତୋଲ ତହସିଲ ଅର୍ନ୍ତଗତ ଏହି ଗ୍ରାମର ଜମିଦାର କାନୁନଗୋ କୃପାସିନ୍ଧୁ ଦାସ ଉକ୍ତ ମନ୍ଦିରର ନିର୍ମାଣ କରିଥିଲେ। ଜନାର୍ଦ୍ଦନ ପାଣି ନାମକ ଜନୈକ ଗରିବ ବ୍ରାହ୍ମଣଙ୍କୁ ଦେବୀ ସ୍ୱପ୍ନାଦେଶ ଦେଇ ଉକ୍ତ ଗ୍ରାମରେ ରହିବାକୁ କହିଥିଲେ। ଦେବୀଙ୍କ ସ୍ୱପ୍ନାଦେଶ ପାଇ ଗରିବ ବ୍ରାହ୍ମଣ ଜନାର୍ଦନ ଏ ସମ୍ପର୍କରେ ଜମିଦାରଙ୍କ ସହଯୋଗ ଲୋଡ଼ି ଥିଲେ। ଫଳରେ ଜମିଦାରଙ୍କ ସହଯୋଗରେ ଗ୍ରାମରେ ନିର୍ମିର୍ତ ହୋଇଥିଲା ଉତ୍ତରେଶ୍ୱରୀ ମନ୍ଦିର।
ଇତିମଧ୍ୟରେ ବିତିଯାଇଛି ଦୀର୍ଘବର୍ଷ। ୧୯୬୭ ବାତ୍ୟାରେ ମନ୍ଦିରର ବ୍ୟାପକ କ୍ଷତି ହୋଇଥିଲା। ତେବେ ଜନାର୍ଦନ ପାଣିଙ୍କ ପରିବାରବର୍ଗ ଓ ମନ୍ଦିର ପୂଜାରୀ ମନ୍ଦିର ମରାମତି କରିଥିଲେ। ମନ୍ଦିର ନିର୍ମାଣ ପରେ ଦେବୀଙ୍କ ଆରାଧନାରେ ପାଣି ପରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ। ଦିନେ ଜନାର୍ଦନ ପାଣି ହୃଦ୍‍ରୋଗରେ ଆକ୍ରାନ୍ତ ହୋଇ ମନ୍ଦିର ପରିସରରେ ମୁର୍ଚ୍ଛା ହୋଇଯାଇଥିଲେ। ତେବେ ଦେବୀଙ୍କ ନିକଟରେ ଅର୍ପିତ ଭୋଗ ପାଇ ଜନାର୍ଦନ ଆରୋଗ୍ୟ ଲାଭ କରିଥିଲେ। ସେହିଦିନ ଠାରୁ ଜନାର୍ଦନ ଦେବୀଙ୍କୁ ମଦ ଓ ମାଛ ଭୋଗ ଦେବା ଆରମ୍ଭ କରିଥିଲେ। ସେହି ପରମ୍ପରା ଆଜି ମଧ୍ୟ ମନ୍ଦିରରେ ବଳବତ୍ତର ରହିଛି। ତେବେ କେତେକ ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଏହି ପ୍ରକ୍ରିୟାକୁ ଦିନରେ ନକରି କେବଳ ରାତ୍ରିରେ ପାଳନ କରାଯାଏ। ଏପରିକି ବାତ ରୋଗରେ ପୀଡ଼ିତ ଛୋଟ ପିଲାଙ୍କୁ ଦେବୀଙ୍କ ଏହି ଭୋଗ ସୁସ୍ଥ କରିଦିଏ ଭଳି ବିଶ୍ୱାସ ରହିଛି।
ମନ୍ଦିର ପାଶ୍ୱର୍ ଦେକାନରେ ଫୁଲ, ଚନ୍ଦନ ସମେତ ଛୋଟ ମଦ ବୋତଲ ମିଳେ। ଏହି ଦୋକାନରେ ସମସ୍ତ ପ୍ରକାଶ ବିଦେଶୀ ମଦ ମିଳୁଥିବାରୁ ଭକ୍ତ ନିଜ ସାମର୍ଥ୍ୟ ମୁତାବକ ଫୁଲ ଚନ୍ଦନ ସହ ମଦ ମଧ୍ୟ ଦେବୀଙ୍କୁ ଅର୍ପଣ କରିଥାନ୍ତି। ମନ୍ଦିରର ମୁଖ୍ୟ ପୂଜକ ବାନାମ୍ବର ମିଶ୍ର ଏହି ମଦକୁ ଏକ ପାତ୍ରରେ ଢାଳି ତାହା ଦେବୀଙ୍କ ମୁହଁରେ ସ୍ପର୍ଶ କରାଇ ଦେବା ପରେ ଅବଶିଷ୍ଟ ମଦକୁ ଭୋଗ ଆକାରରେ ଭକ୍ତଙ୍କୁ ବିତରଣ କରି ଦିଆଯାଏ। କେବଳ ମଦ ଭୋଗ ନୁହେଁ ଦେବୀଙ୍କ ବେତ ପାହାର ଖାଇ ରୋଗ ଭଲ ହେଉଥିବାର ଲୋକକଥା ଶୁଣିବାକୁ ମିଳେ।

Leave A Reply