ଲିପିକା ସାହୁଙ୍କ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା?

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୧ରେ ରହୁଥିବା ଗଜିନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଲିପିକା ସାହୁଙ୍କ ମୃତ୍ୟୁ ଘଟଣାକୁ ୧୦ଦିନରୁ ଅଧିକ ସମୟ ବିତିଲାଣି। ଅନୁସନ୍ଧାନୀ ଦଳ ସହ ଅନୁସନ୍ଧାନୀ କୁକୁର ମଧ୍ୟ ଆସି ଅନୁସନ୍ଧାନ କରି ଚାଲିଯାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଗର୍ଭବତୀ ଲିପିକାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ । ଏନେଇ ଜନ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲିପିକାଙ୍କ ଭାଇ ନିଜ ଭଉଣୀର ନ୍ୟାୟ ପାଇଁ ଅନେକ କାକୁତି ମିନତି ହୋଇଥିଲେ। ଲିପିକାଙ୍କ ମୃତଦେହ ଉଦ୍ଧାର କଲାବେଳେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିବା ବ୍ୟତୀତ ଘୋଡ଼ା ଯାଇଥିବା ଶେଯଟିରେ ମଧ୍ୟ ରକ୍ତର ଦାଗ ରହିଥିଲା । ମୃତଦେହଟି ଫୁଳିଯାଇ ଦୁର୍ଗନ୍ଧ ଆରମ୍ଭ ହୋଇଥିଲା । ମୃତ ଶରୀରର ଅବସ୍ଥା ଯାହା ରହିଥିଲା ନିଶ୍ଚିତ ଭାବରେ ଲିପିକାଙ୍କ ମୃତ୍ୟୁ ଦୁଇ ତିନି ଦିନ ପୂର୍ବରୁ ହୋଇସାରିଥିଲା। ତେବେ ତାଙ୍କ ପରିବାର ବର୍ଗ କାହିଁକି ଚୁପ୍ ରହିଥିଲେ ?

ସାଧାରଣତଃ ଗୋଟିଏ ପରିବାରର କୌଣସି ବ୍ୟକ୍ତିର ମୃତ୍ୟୁ ଘଟିଥିଲେ ପାଖ ପଡୋଶୀମାନେ ଜାଣିଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଲିପିକାଙ୍କ ମୃତ୍ୟୁର ଭନକ ସୁଦ୍ଧା ଆଖ ପାଖ ଲୋକ କେହି ପାଇ ନଥିଲେ । ଏପରିକି ଲିପିକାଙ୍କ ଭାଇଙ୍କ କହିବା ମୁତାବକ, ସେ ଯେତେବେଳେ ଭଉଣୀ ଘରକୁ ଆସିଥିଲେ ସେତେବେଳେ ଘରେ କେହି ନଥିଲେ । ଜଣେ ଘରେ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ମଧ୍ୟରେ ସ୍ଵାଭାବିକ ଜୀବନଚର୍ଯ୍ୟା ଚାଲିଥିବା, ନିହାତି ଭାବରେ ପ୍ରଶ୍ନବାଚୀ ସୃଷ୍ଟି କରିବ। ତେବେ ପରିବାର ଲୋକେ କାହିଁକି ଲିପିକାଙ୍କ ମୃତ୍ୟୁ ଘଟଣାକୁ ଛପେଇ ରଖିଥିଲେ ? ଲିପିକାଙ୍କ ସ୍ଵାମୀ ମଧ୍ୟ ସ୍ବାଭାବିକ ରହିଥିବା ଏବଂ ମନରେ ଦୁଃଖ ପ୍ରକାଶ କରିବାର ଲେସ ମାତ୍ର ଚିହ୍ନ ନଥିବା ଏବଂ ତାଙ୍କ ଦୋକାନ ମଧ୍ୟ ଖୋଲାଥିବା ମୃତ୍ୟୁ ଘଟଣାକୁ ଅଧିକ ରହସ୍ୟମୟ କରୁଛି । ସାତ ଦିନ ମଧ୍ୟରେ ବ୍ୟବଚ୍ଛେଦ ରିପୋର୍ଟ ଆସିଥାଏ, କିନ୍ତୁ ଆଜିକୁ ଦଶ ଦିନ ବିତି ଯାଇଥିଲେ ସୁଦ୍ଧା ରିପୋର୍ଟ ନଆସିବାର କାରଣକୁ ନେଇ ଜଣ ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି । ଏଭଳିକି ପଡ଼ାବାସୀ ଏଇ ଘଟଣାକୁ ନେଇ କାଉନସିଲରଙ୍କ ନେତୃତ୍ୱରେ ସ୍ଥାନୀୟ ବିଧାୟିକାଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି । କିନ୍ତୁ କୌଣସି କାରଣବଶତଃ ବିଧାୟିକାଙ୍କ ସହ ସାକ୍ଷାତ ହୋଇପାରି ନଥିବା ମଧ୍ୟ ଆଲୋଚନା ହେଉଛି । ପୁଲିସ ପକ୍ଷରୁ ତଦନ୍ତ ଚାଲିଛି ବୋଲି କୁହାଯାଉଛି । କିନ୍ତୁ ତଦନ୍ତର ଫଳାଫଳ ବିଷୟରେ କିଛି ଜଣାପଡିନାହିଁ । ଲିପିକା ଜଣେ, ସରଳ, ମିଷ୍ଟଭାଷୀ ତଥା ସୁଗୁଣ ସମ୍ପନ୍ନ ଥିଲେ ବୋଲି ପଡ଼ାବାସୀ କହୁଥିବା ଶୁଣିବାକୁ ମିଳୁଛି । ଯଦି ଲିପିକା ଆତ୍ମହତ୍ୟା କରିଥିଲେ, ଘଟଣା ସ୍ଥଳରୁ କୌଣସି ପ୍ରକାର ସଂକେତ ରହି ନଥିଲା କାହିଁକି ? ପୁନଶ୍ଚ ଲିପିକାଙ୍କ ଭାଇଙ୍କୁ ଲିପିକାଙ୍କ ସ୍ଵାମୀ ଟଙ୍କା ଦେଇ ମୁହଁ ବନ୍ଦ ରଖି ଶବ ସତ୍କାର କରିଦେବା ପାଇଁ କାହିଁକି କହିଥିଲେ? ଏମିତି ଅନେକ ପ୍ରଶ୍ନବାଚୀର ଘେରରେ ରହିଛି ଲିପିକାଙ୍କ ମୃତ୍ୟୁ ରହସ୍ୟ । ତେବେ ପୁଲିସ ନିରପେକ୍ଷ ଭାବରେ ଯଥା ଶୀଘ୍ର ଏହି ମୃତ୍ୟୁ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.