ପୋକ୍ସ ଆଇନ ଓ ପୀଡିତା କ୍ଷତିପୁରଣ ସମ୍ବନ୍ଧୀୟ ସଚେତନା କର୍ମଶାଳା

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ପୋକ୍ସ ଆଇନ ଓ ପୀଡିତା କ୍ଷତିପୁରଣ ସମ୍ବନ୍ଧୀୟ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ସଚିବ ମାମୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଧିକରଣ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ଆଲୋକପାତ କରି ମହିଳା ଓ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ସହାୟତା ସମ୍ପର୍କରେ ଅବଗତ କରିଥିଲେ। ବିଶେଷକରି ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶିଶୁ ଯୌନ ସୁରକ୍ଷା (ପୋକ୍ସ) ଆଇନ କ’ଣ ଓ ଏହାରି ମାଧ୍ୟମରେ ଶିଶୁ ମାନେ କିଭଳି ସୁରକ୍ଷିତ ରହିପାରୁଛନ୍ତି, ଶିଶୁ ସୁରକ୍ଷା ପୁଲିସ ଷ୍ଟେସନ, ଶିଶୁ ଶିକ୍ଷାନୁଷ୍ଠାନ, ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା ଅଧିକାରୀ ତଥା ଜିଲା ଓ ତାଲୁକ ଆଇନ ସେବା ପ୍ରାଧିକରଣ ଶିଶୁ ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ଛାତ୍ରୀମାନଙ୍କୁ ପରାମର୍ଶ ଦେଇ ସୋସିଆଲ ମିଡିଆର ଦୁରୁପଯୋଗ, ମୋବାଇଲରେ ଅନ୍ତରଙ୍ଗ ସମୟର ରେକର୍ଡିଂ ଭଳି ଅପରାଧମୂଳକ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ସଚିବ ଶ୍ରୀମତୀ ବେହେରା ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଉକ୍ତ କାର୍ଯ୍ୟକ୍ରମର ଉପଯୋଗିତା ସମ୍ପର୍କରେ ଛାତ୍ରୀମାନଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ଉପଆରକ୍ଷୀ ଅଧିକ୍ଷିକା ସରୋଜିନୀ ସାମଲ ପୋକ୍ସ ଶୀକାର ପୀଡିତାଙ୍କୁ ଗୋପନୀୟତା ରକ୍ଷା କରି ଡାକ୍ତରୀମାଇନା ଓ ଦୋଷୀକୁ କିଭଳି ଉପଯୁକ୍ତ ଦଣ୍ଡବିଧାନ କରିବାରେ ପୁଲିସର ଭୂମିକାକୁ ଅବତାରଣା କରି ଉଦାହରଣ ମାଧ୍ୟମରେ ଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର ଯୋଗଦେଇ ପ୍ରାଧିକରଣ ମାଧ୍ୟମରେ କାର୍ଯ୍ୟକାରୀ ବିଭିନ୍ନ ଜନମଙ୍ଗଳ ଯୋଜନା ବିଶେଷକରି ମାଗଣା ଆଇନ ସେବା, ମଧ୍ୟସ୍ଥତା, ମହିଳା ଓ ଶିଶୁ ମାନଙ୍କ ପାଇଁ ମାଗଣା ଆଇନ ସେବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଶେଷରେ ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ମଞ୍ଜୁଳା ମଞ୍ଜରୀ ମିଶ୍ର, ନମିତା ବିଶ୍ୱାଳ, ପଲ୍ଲବୀ ପଣ୍ଡା, ଉମାଶଙ୍କରୀ ସାହୁ, ସୁଷମା ମହାନ୍ତ, ଇନ୍ଦୁମତୀ ନାଏକ, ପ୍ରାଧିକରଣକର୍ମୀ ଦେବବ୍ରତ କୁମାର ଦାସ, ଶିଶିର ସାହୁ, ନବକିଶୋର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.