ଖେଳ ମାଧ୍ୟମରେ କିଶୋରୀ ସଶକ୍ତିକରଣ

ଡେସ୍କ : ଆକ୍ସନ ଏଡ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ କଟକ ଜିଲ୍ଲା ପ୍ରଶାସନ ତରଫରୁ ସାଲେପୁରର ଭାତପଡା ୟୁଜି ହାଇସ୍କୁଲ ଠାରେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ଅଣପାରମ୍ପାରିକ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୩ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରେ ଲିଙ୍ଗଗତ ସମାନତା ରକ୍ଷା କରି କିଶୋରୀମାନଙ୍କ ମଧ୍ୟରେ ନେତୃତ୍ବ ବୃଦ୍ଧି କରାଇବା। ଏହି ସମାନତାକୁ ବଜାୟ ରଖି କିଶୋରୀମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେବା। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସାଲେପୁର ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ପୂର୍ଣ ସାଲେପୁର ଅଞ୍ଚଳକୁ କିପରି ବାଲ୍ୟବିବାହ ମୁକ୍ତ କରି ପାରିବା ସେଥିପାଇଁ ସମସ୍ତେ ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ ବୋଲି ମତପ୍ରକାଶ କରିଥିଲେ।

ଉତ୍କଳ ସେବକ ସମାଜର ମୁଖ୍ୟ ଅମିୟ କୁମାର ବିଶ୍ବାଳ ପୁଅଝିଅ ମାନଙ୍କ ମଧ୍ୟରେ ଭେଦଭାବ ନ ରଖି ଶିକ୍ଷାକୁ ଗୁରୁତ୍ବ ଦେବା ଓ ବାଲ୍ୟବିବାହ ନ କରିବାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଏବଂ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା କରିଥିଲେ। ଖେଳ ମାଧ୍ୟମରେ କିଶୋରୀମାନଙ୍କ ମଧ୍ୟରେ ଦୃଢତା ଆଣିବା ସହିତ ଯୁବ ସମାଜ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂର କରିବା ବାଲ୍ୟ ବିବାହକୁ “ନା” ଓ ସ୍କୁଲ ଯିବାକୁ “ହଁ” କହିବା ବୋଲି ଆକ୍ସନ ଏଡ ଜିଲ୍ଲା ସଂଯୋଜିକା ନିବେଦିତା ପାଣିଗ୍ରାହୀ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୌଦ ଜିଲ୍ଲା ସଂଯୋଜିକା ପ୍ରବିଜ୍ଞା, ଉତ୍କଳ ସେବକ ସମାଜର କର୍ମକର୍ତ୍ତା ସୁଦୀପ ଦାସ, ଜିଲ୍ଲା ପୃଷ୍ଟି ସଂଯୋଜକ ସୁଧାଂଶୁ ମଣ୍ଡଳ, ସାଲେପୁର, ନିଶ୍ଚିତକୋଇଲି ଓ ମାହାଙ୍ଗାର ସିଡିପିଓ, ଇମ୍ଫାର କର୍ମକର୍ତା, ସରପଞ୍ଚ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ାରେ ସମସ୍ତ ବିଜୟୀ ଦଳଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ବାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ଆକ୍ସନ ଏଡର ଜିଲ୍ଲା ସଂଯୋଜିକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.