www.samajalive.in
Sunday, December 14, 2025
17.1 C
Bhubaneswar

ଜାତୀୟ ଫସଲ ବୀମା ପୋର୍ଟାଲ ଜରିଆରେ ଡିଜିକ୍ଲେମ ବ୍ୟବସ୍ଥାର ଶୁଭାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ  ନରେନ୍ଦ୍ର ସିଂ ତୋମର ନୂଆଦିଲ୍ଲୀର କୃଷି ଭବନ ଠାରେ ଗୁରୁବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧୀନରେ ଡିଜିକ୍ଲେମ ନାମକ ଏକ ଡିଜିଟାଲ ବ୍ୟବସ୍ଥାରର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ଜାତୀୟ ଫସଲ ବୀମା ପୋର୍ଟାଲ (ଏନସିଆଇପି) ଜରିଆରେ ବୀମା କ୍ଷତିପୂରଣ ଦାବି ପାଇଁ ଏକ ଡିଜିଟାଲ ବ୍ୟବସ୍ଥା। ଏହି ମଡ୍ୟୁଲ ଉନ୍ମୋଚନ ହେବା ପରେ ଇଲେକ୍ଟ୍ରୋନିକ ମାଧ୍ୟମରେ ବୀମା ଦାବିଗୁଡ଼ିକର ବିତରଣ କରାଯାଇପାରିବ ଯାହାଦ୍ୱାରା ଛଅଟି ରାଜ୍ୟର ଚାଷୀମାନେ ଲାଭ ପାଇପାରିବେ । ଏବେ ଏହି ସ୍ୱୟଂକ୍ରିୟ ଦାବି ସମାଧାନ ପ୍ରକ୍ରିୟା ସବୁ ବୀମାଭୁକ୍ତ ଚାଷୀମାନଙ୍କ ଜୀବନକୁ ସହଜ କରିବ ଏବଂ ସେମାନଙ୍କୁ ଏକ ଦୀର୍ଘସ୍ଥାୟୀ ଆର୍ଥିକ ପ୍ରବାହ ଓ ସହାୟତା ଯୋଗାଇ ଦେବା ନିମନ୍ତେ ଜାରି ରହିଥିବା କାର୍ଯ୍ୟରେ ବିଶେଷ ସହାୟକ ହେବ ।

ଏହି ଅବସରରେ ଶ୍ରୀ ତୋମରଙ୍କ ବ୍ୟତୀତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ, ଉତ୍ତର ପ୍ରଦେଶ କୃଷି ମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ମନୋଜ ଆହୁଜା, ପିଏମଏଫବିୱାଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଚୌହାନଙ୍କ ସମେତ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଭାରତୀୟ କୃଷି ବୀମା କମ୍ପାନୀ ଲିଃ., ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ସିଏମଡିମାନଙ୍କ ସହିତ ନେସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ (ଏନଆଇସି), ଏଚଡିଏଫସି ଇର୍ଗୋ, ବଜାଜ ଆଲିଆଞ୍ଜ, ରିଲାଏନ୍ସ ଜିଆଇସି, ଆଇସିଆଇସିଆଇ ଲୋମ୍ବାର୍ଡ, ଫ୍ୟୁଚର ଜେନେରାଲି, ଇଫକୋ ଟୋକିଓ, ଚୋଲାମଣ୍ଡଲମ ଏମଏସ, ୟୁନିଭର୍ସାଲ ସୋମ୍ପୋ ଏବଂ ଟାଟା ଏଆଇଜିର ପ୍ରତିନିଧିଗଣ ମଧ୍ୟ ଏଥିରେ ଉପସ୍ଥିତ ରହିଥିଲେ । ଏମାନଙ୍କ ବ୍ୟତୀତ ଭାରତୀୟ ଷ୍ଟେଟବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ୟେସ ବ୍ୟାଙ୍କର ପ୍ରତିନିଧିମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

- Advertisement -

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ତୋମର କହିଥିଲେ ଯେ, ଚାଷୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ସ୍ୱୟଂକ୍ରିୟ ଭାବେ ଡିଜିଟାଲ ମାଧ୍ୟମରେ ବୀମା ଦାବି ଅର୍ଥ ପ୍ରଦାନ କରିବା ଲାଗି କୃଷି ମନ୍ତ୍ରଣାଳୟ ଏଭଳି ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିବା ଖୁସିର ବିଷୟ। ଏହା ଆମ ଚାଷୀମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବାରେ ସହାୟକ ହେବ ।

ଡିଜିକ୍ଲେମ ମଡ୍ୟୁଲ ଶୁଭାରମ୍ଭ ହେବା ସହିତ ଆଜି ମୋଟ୍‌ ୧୨୬୦.୩୫ କୋଟି ଟଙ୍କାର ବୀମା ଦାବି ମାତ୍ର ଗୋଟିଏ ବଟନ କ୍ଲିକ୍‌ରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ଏହାଦ୍ୱାରା ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ ଓ ହରିୟାଣାର ଚାଷୀମାନେ ଲାଭବାନ ହୋଇଛନ୍ତି । ଆଗକୁ ମଧ୍ୟ ବୀମା କ୍ଷତିପୂରଣ ଦାବି ଅର୍ଥ ବିତରଣ ସମୟରେ ଏହି ପ୍ରକ୍ରିୟା ଅବଲମ୍ବନ କରାଯିବ। କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧.୩୨ ଲକ୍ଷ କୋଟି ଟଙ୍କାର ବୀମା ଦାବି ଚାଷୀମାନଙ୍କୁ ପ୍ରଦାନ କରାଯାଇ ସାରିଛି । ଏହି ଅବସରରେ ସେ ସ୍ୱତନ୍ତ୍ର ଭାବେ ‘ମେରୀ ପଲିସୀ, ମେରେ ହାତ୍‌’ ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ତୃଣମୂଳସ୍ତରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଦିଗରେ ଏହା ସହାୟକ ହୋଇପାରିବ ।

ଏହି ଯୋଜନାରୁ ଓହରି ଯାଇଥିବା ରାଜ୍ୟମାନଙ୍କ ସହିତ ଭାରତ ସରକାର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିବା ଫଳରେ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବ ପୁଣିଥରେ ଏହି ଯୋଜନାକୁ ଫେରୁଛନ୍ତି, ଏହା ସହଯୋଗୀ ସଂଘୀୟବ୍ୟବସ୍ଥାର ଏକ ଉଜ୍ଜ୍ୱଳ ଉଦାହରଣ । ତେଲଙ୍ଗାନା, ଗୁଜରାଟ, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଏ ଦିଗରେ ଆଲୋଚନା ଜାରି ରହିଛି । ଏସବୁ ରାଜ୍ୟ ମଧ୍ୟରୁ ତେଲଙ୍ଗାନା ଓ ଝାଡ଼ଖଣ୍ଡ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନକୁ ଆସିବା ଲାଗି ସେମାନଙ୍କର ଇଚ୍ଛା ପ୍ରକଟ କରିଛନ୍ତି ।

ବର୍ତ୍ତମାନର ବ୍ୟବସ୍ଥାରେ, ଏପରି କିଛି ଉଦାହରଣ ରହିଛି ଯେଉଁଥିରେ ବିଭିନ୍ନ କାରଣ ପାଇଁ ଚାଷୀଙ୍କ ବୀମା ଦାବି ମିଳିବାରେ ବିଳମ୍ବ ହେଉଛି । ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ବୈଧ ଫସଲ ହାନି ଦାବିର ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡିଜିକ୍ଲେମ ମଡ୍ୟୁଲର ଶୁଭାରମ୍ଭ କରାଯାଇଛି । ଏଥିସହିତ, ଏବେ ଚାଷୀମାନଙ୍କର ଦାବି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାରଦର୍ଶୀ ଓ ଉତ୍ତରଦାୟୀ ଢଙ୍ଗରେ ହସ୍ତାନ୍ତର କରାଯାଇପାରିବ । ଜାତୀୟ ଫସଲ ବୀମା ପୋର୍ଟାଲ (ଏନସିଆଇପି) ଏବଂ ପବ୍ଲିକ୍‌ ଫିନାନ୍ସ ମେନେଜମେଣ୍ଟ ସିଷ୍ଟମ (ପିଏଫଏମଏସ)ର ଏକୀକରଣ ଜରିଆରେ ଏହି ପ୍ରଯୁକ୍ତିକୁ କାର୍ଯ୍ୟକ୍ଷମ କରାଯିବ ।

ଡିଜିକ୍ଲେମ୍‌ ପ୍ରଚଳନ ଫଳରେ ଦାବି ଫେରସ୍ତ ଅନୁପାତ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହି ପ୍ରଯୁକ୍ତିଗତ ପ୍ରଗତିର ଆଉ ଏକ ଲାଭ ହେଉଛି ଚାଷୀମାନେ ନିଜ ମୋବାଇଲ ଫୋନରେ ଦାବି ସେଟଲମେଣ୍ଟ ପ୍ରକ୍ରିୟାକୁ ବାସ୍ତବ ସମୟରେ ଟ୍ରାକ୍‌ କରିପାରିବେ ଏବଂ ଯୋଜନାର ଲାଭ ପାଇପାରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ୭ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ ଯୋଜନାର ପ୍ରମୁଖ ସଫଳତା ବିଷୟରେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା ସବିଶେଷ ସୂଚନା ଦେଇଥିଲେ । ରାଜ୍ୟ ସରକାରମାନେ ଯୋଜନାରେ ସକ୍ରିୟ ଭାବେ ସହଭାଗୀ ହେବାକୁ କେନ୍ଦ୍ରୀୟ ସଚିବ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ରାଜ୍ୟମାନେ ଠିକ୍‌ ସମୟରେ ଫସଲ ବୀମା ପୋର୍ଟାଲରେ ଫସଲ ଅମଳ ତଥ୍ୟ ଅପଲୋଡ୍‌ କରିବା ଉଚିତ୍‌ ଏବଂ ରାଜ୍ୟମାନଙ୍କ ଭାଗ ଯଥାଶୀଘ୍ର ଜାରି କରିବା ଆବଶ୍ୟକ ଯାହାଫଳରେ ଚାଷୀମାନଙ୍କ ଆକାଉଣ୍ଟକୁ ବାଧାମୁକ୍ତ ଭାବେ ଫସଲ ବୀମା ଅର୍ଥ ହସ୍ତାନ୍ତର କରାଯାଇପାରିବ । ଫଳରେ ମନ୍ତ୍ରଣାଳୟ ଯେଉଁ ଉଦ୍ଦେଶ୍ୟ ନେଇ ଏହି ପ୍ରଯୁକ୍ତି ବିକଶିତ କରିଛି ତାହା ପୂରଣ ହୋଇପାରିବ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିବା ଉତ୍ତର ପ୍ରଦେଶ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ସାହୀ ମଧ୍ୟ ଯୋଜନାର ଉତ୍ତମ କାର୍ଯ୍ୟକାରିତା ନେଇ ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

ଦ୍ରୁତ ନବସୃଜନର ଯୁଗରେ ଡିଜିଟାଲକରଣ ଏବଂ ପ୍ରଯୁକ୍ତି କୃଷି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରସାର ଓ କାର୍ଯ୍ୟକାରିତାକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଫସଲ ଅନୁମାନ ଏବଂ ଫସଲ ହାନି ଆକଳନ ପ୍ରକ୍ରିୟାକୁ ଅଧିକ ସଠିକ କରିବା ଲାଗି ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ଅଭିନବ ପ୍ରଯୁକ୍ତି ଆରମ୍ଭ କରାଯାଇଛି ଏବଂ ସେଗୁଡ଼ିକୁ ଯୋଜନା ସହିତ ଏକୀକୃତ କରାଯାଇଛି । ୟେସ-ଟେକ, ୱିଣ୍ଡସ୍‌ ଏବଂ କ୍ରପିକ୍‌ ଆଦି ସେଗୁଡ଼ିକ ମଧ୍ୟରେ ପ୍ରମୁଖ। ଚାଷୀଙ୍କ ଅଭିଯୋଗକୁ ଠିକ୍‌ ସମୟରେ ସମାଧାନ କରିବା ଲାଗି, ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ ରାଜ୍ୟ ପାଇଁ ଚାଷୀ ଅଭିଯୋଗ ପୋର୍ଟାଲକୁ କାର୍ଯ୍ୟକାରୀ କରାଯାଇଛି ଏବଂ ଏହାକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଦ୍ୱିତୀୟ ପାର୍ଯ୍ୟାୟରେ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ ।

ଫସଲ ବୀମା ଦାବିର ସ୍ୱୟଂକ୍ରିୟ ହିସାବ ଏବଂ ବିତରଣ ଭଳି ଆଧୁନିକ ପ୍ରଯୁକ୍ତିଗତ ସମାଧାନ ଆରମ୍ଭ କରିବା ଲାଗି ଜାରି ରହିଥିବା ପ୍ରୟାସ ଦିଗରେ ଡିଜିକ୍ଲେମ ମଡ୍ୟୁଲ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories