www.samajalive.in
Monday, December 15, 2025
15.1 C
Bhubaneswar

ଲାଞ୍ଜିଗଡ଼ ବ୍ଲକ ଉନ୍ନୟନ କାର୍ଯ୍ୟରେ ବାଧକ ସାଜିଛି କର୍ମଚାରୀ ଅଭାବ

ଲାଞ୍ଜିଗଡ଼: ଆକାଂକ୍ଷୀ ଜିଲ୍ଲା ଭାବେ ମାନ୍ୟତା ପାଇବା ପରଠାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି କଳାହାଣ୍ଡି। ଆଦିବାସୀ ଓ ଅନୁସୂଚିତ ବହୁଳ କଳାହାଣ୍ଡି ଜିଲ୍ଲାରେ ରହିଛି ଲାଞ୍ଜିଗଡ଼ ବ୍ଲକ। ଏହି ବ୍ଲକରେ ରହିଛି ୨୬ଗୋଟି ଗ୍ରାମପଞ୍ଚାୟତ ଓ ୪୮୩ ଗୋଟି ରାଜସ୍ୱ ଗାଁ। ବ୍ଲକର ୧୨ରୁ ଅଧିକ ପଞ୍ଚାୟତ ଆଜି ଦୁର୍ଗମ ଅଞ୍ଚଳ ପରିବେଷ୍ଟିତ ହୋଇଥିବାବେଳେ ଶତାଧିକ ଗାଁ ମଧ୍ୟ ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି। ସେହିପରି ସରକାରଙ୍କ ଅନେକ ଯୋଜନା ସହିତ ଲୁପ୍ତପ୍ରାୟ ଜନଜାତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ଦାଦନ ପ୍ରବଣ ବ୍ଲକ ଭାବେ ମନରେଗାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଦି କାର୍ଯ୍ୟକାରୀ ହେଉଛି। ତେବେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏସବୁ କାର୍ଯ୍ୟକାରୀ ହେଉଥିବାବେଳେ ବ୍ଲକରେ କିନ୍ତୁ ଦେଖାଦେଇଛି କର୍ମଚାରୀ ଅଭାବ।

ବ୍ଲକରେ ଦୀର୍ଘ ଦିନ ହେଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ପଡ଼ିଛି। ଆଜି ପର୍ଯ୍ୟନ୍ତ ଏହି ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହିତ ଜିଲ୍ଲା ପ୍ରଶାସନ ଆଦୌ ଦୃଷ୍ଟିପାତ କରୁନାହାନ୍ତି। ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକର ରୂପରେଖ ପ୍ରସ୍ତୁତି ବୈଷୟିକ ତଦାରଖ ପାଇଁ ୧୦ଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳରେ ରହିଛନ୍ତି ସାତଜଣ କନିଷ୍ଠ ଯନ୍ତ୍ରୀ। ଫଳରେ ବ୍ଲକର ଦୁର୍ଗମ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟଗୁଡିକର ଅଗ୍ରଗତି ଓ ତଦାରଖ କରିବାରେ ସମସ୍ୟା ଦେଖାଦେଇଛି। ସେହିପରି ଜଣେ ଏକାଉଣ୍ଟସ ଅଫିସର, ଜଣେ କନିଷ୍ଠ କିରାଣୀ ପଦବୀ ମଧ୍ୟ ଖାଲି ପଡ଼ିଛି। ଏପରିକି ବ୍ଲକର ୨୬ଗୋଟି ପଞ୍ଚାୟତ ପାଇଁ ୨୦ ଜଣ ନିର୍ବାହୀ ଅଧିକାରୀ ରହିଛନ୍ତି, ୬ଟି ପଦବୀ ଖାଲି ପଡ଼ିଛି। ସେହିପରି ୨୬ଗୋଟି ପଞ୍ଚାୟତରେ ୧୮ ଜଣ ଏଡିଇଓ ନିଯୁକ୍ତ ଥିବାବେଳେ ୮ଟି ପଦବୀ ଖାଲି ପଡ଼ିଛି। କେବଳ ଅଧିକାରୀ କି କର୍ମଚାରୀ ନୁହଁନ୍ତି ବ୍ଲକ କାର୍ଯ୍ୟାଳୟରେ ୬ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବଦଳରେ ମାତ୍ର ୨ ଜଣ ରହିଛନ୍ତି। ଯାହାଫଳରେ ଅଧିକାରୀ ଓ କର୍ମଚାରୀଙ୍କ ଉପରେ କାମର ଚାପ ରହୁଥିବାବେଳେ ବାରମ୍ବାର ସମୀକ୍ଷା ବୈଠକ କରାଯାଉଛି ସତ କିନ୍ତୁ ଖାଲି ଥିବା ପଦବୀ ପୂରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାଦ୍ୱାରା ବ୍ଲକର ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ପଛେଇ ଯିବାର ଆଶଙ୍କା ଦେଖାଦେଇଛି।

- Advertisement -

ବର୍ତ୍ତମାନ ବ୍ଲକର ମୁଖ୍ୟ କିରାଣୀ ଓ ହିସାବ ରକ୍ଷକ ଦାୟିତ୍ୱରେ ଥିବା ଦୁଇଜଣ କର୍ମଚାରୀଙ୍କ ବଦଳି ହୋଇଥିବାବେଳେ ସେମାନଙ୍କ ବଦଳରେ ଅନ୍ୟ କର୍ମଚାରୀ ଆସିବେ ବୋଲି ଜଣାପଡ଼ିଛି। ଲାଞ୍ଜିଗଡ଼ ବ୍ଲକର ବିକାଶ ଓ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେଲେ ବ୍ଲକର ଖାଲି ଥିବା ପଦବୀ ପୂରଣ କରିବା ଏକ ଆହ୍ୱାନରେ ପରିଣତ ହୋଇଛି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ପଦକ୍ଷେପ ନେବା ସହିତ ପ୍ରାଥମିକତା ଭିତ୍ତିରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପଦବୀ ପୂରଣ କରିବା ସହିତ ବ୍ଲକର ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories