ଲାଞ୍ଜିଗଡ଼ : ଧିରମନ୍ଥର ଗତିରେ ଚାଲୁଥିଲା ରାସ୍ତା ନିର୍ମାଣ କାମ। ବର୍ଷଟିଏରୁ ଅଧିକ ସମୟ ବିତିସାରିଥିଲା। ବିଲ ମିଳୁନି ବୋଲି କାମ ଅଧପନ୍ତରିଆ ଛାଡି ଦେଇଥିଲେ ଠିକାଦାର। ଏପରିକି ହାତ ଟେକି ଦେଇଥିଲା ପୂର୍ତ୍ତ ବିଭାଗ। କିନ୍ତୁ ରାସ୍ତାରେ ଧୂଳି ଉଡ଼ି ଜୀବନଯାତ୍ରା ବ୍ୟାହତ ହୋଇପଡୁଥିଲା। ଧୂଳି ଧୂସରିତ ରାସ୍ତା ଯୋଗୁଁ ଅଣ ନିଶ୍ୱାସୀ ହୋଇ ପଡୁଥିଲେ। ଦିନବେଳେ ରାସ୍ତା ସାରା ଧୂଳି ଉଡ଼ି ସୃଷ୍ଟି କରୁଥିଲା କୁହୁଡିର ଭ୍ରମ।
ଏସବୁ ହେଉଛି କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟି ରାସ୍ତାର କଥା ଓ ବ୍ୟଥା। ଏସବୁକୁ ଦେଖି କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସମାଜସେବା ସହିତ ସାମ୍ବାଦିକତା କରୁଥିବା ତଥା ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ଗୁରୁତର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସେହିପରି ଶ୍ରୀ ବାଗଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହର କର୍ମକର୍ତ୍ତା କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଥିଲେ। ଫଳସ୍ୱରୂପ, କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଏହି ରାସ୍ତା ନିର୍ମାଣ ଉପରେ ଚାପ ପଡିଥିଲା। ଏପରିକି ଜିଲ୍ଲା ପ୍ରଶାସନ ତରଫରୁ ତାଗିଦ କରାଯିବା ପରେ ଜିଲ୍ଲା ପୂର୍ତ୍ତ ବିଭାଗ ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା କାମ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଏବେ ନିର୍ମାଣ କାମ ଆଗେଇ ଚାଲିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଦଳୀଘାଟିରୁ କିଡିଙ୍ଗ ପର୍ଯ୍ୟନ୍ତ ଘାଟିରାସ୍ତାକୁ ୪ ଲେନ ବିଶିଷ୍ଟ ରାସ୍ତା କରିବାକୁ ଏକ ସାହସିକ ପଦକ୍ଷେପ ନେଇଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ। କୁହାଯାଉଛି ସାରା ପଶ୍ଚିମ ଓଡ଼ିଶାରେ ଏହା ହେଉଛି ପ୍ରଥମ ୪ ଲେନ ବିଶିଷ୍ଟ ଘାଟିରାସ୍ତା। ଯାହା ଏବେ ନିର୍ମାଣର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି। ଏହାକୁ ନେଇ ଲୋକେ ଖୁସି ବ୍ୟକ୍ତ କରିବା ସହିତ ସମାଜସେବୀ ଓ ସାମ୍ୱାଦିକ ଶ୍ରୀ ବାଗ ତଥା ଲାଞ୍ଜିଗଡ଼ ବ୍ଲକ ସାମ୍ବାଦିକ ସମୁହର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଲମ୍ବୋଦର ବେହେରାଙ୍କୁ ପଚାରିବାରୁ ରାସ୍ତା କାମକୁ ସମ୍ପୃକ୍ତ ଠିକାସଂସ୍ଥା ତରଫରୁ ତ୍ୱରାନ୍ୱିତ କରାଯାଇଛି। ତେବେ ମଝି ମଝିରେ ବର୍ଷା ଯୋଗୁଁ କାମ ଟିକେ ବିଳମ୍ବ ହେଉଛି କିନ୍ତୁ ଏହା ଶୀଘ୍ର ଶେଷ କରିବାକୁ ବିଭାଗ ତରଫରୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।
ପଶ୍ଚିମ ଓଡ଼ିଶାର ପ୍ରଥମ ୪ ଲେନ ହେବ ବଞ୍ଜାରିଘାଟି ରାସ୍ତା
Popular Categories



