ଗଠନ ହେଲା ଓଡ଼ିଶା ଲଘୁ ଶସ୍ୟ ମିଶନ
ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଶା ଲଘୁ ଶସ୍ୟ ମିଶନ(ଓଡ଼ିଶା ମିଲେଟ ମିଶନ) ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଏହା ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏଥିପାଇଁ ୧୦୦କୋଟି ଟଙ୍କା ବିନିଯୋଗ ହେବ। ସଚିବାଳୟରେ ଓଡ଼ିଶା ଲଘୁଶସ୍ୟ ମିଶନ ସଂକ୍ରାନ୍ତ ଏକ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଲଘୁ ଶସ୍ୟ ଅମଳ କରୁଥିବା ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟ ବଦଳରେ ଖାଦ୍ୟ ଶସ୍ୟ ସଂଗ୍ରହ କରିବେ ଏବଂ ଏହାକୁ ବିଭିନ୍ନ ପୁଷ୍ଟି ସୁରକ୍ଷା ଯୋଜନାରେ ସାମିଲ କରାଯିବ। ଏହାଦ୍ୱାରା ରାଜ୍ୟର ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ୫ଲକ୍ଷ ଚାଷୀ ବିଶେଷତଃ ଜନଜାତି ବହୁଳ ଜିଲାଗୁଡ଼ିକର ଚାଷୀମାନେ ଉପକୃତ ହେବେ ଏବଂ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ଉନ୍ନତି ଆସିପାରିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲଘୁ ଶସ୍ୟଗୁଡ଼ିକ ହେଉଛି ଜନଜାତି ବହୁଳ ଅଞ୍ଚଳର ମୁଖ୍ୟ ପୁଷ୍ଟିକର ଖାଦ୍ୟ। ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ଏହା ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦ୍ୱାରା ଚାଷ କରାଯାଏ।
ସୂଚନାଯୋଗ୍ୟ ଯେ ୭ଟି ଜିଲାର ୩୦ଟି ବ୍ଲକରେ ଓଡ଼ିଶା ଲଘୁ ଶସ୍ୟ ମିଶନ ଏକ ପାଇଲଟ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେଉଛି। ଏହାକୁ ବର୍ତ୍ତମାନ ୧୧ଟି ଜିଲାର ୫୫ଟି ବ୍ଳକରେ କାର୍ଯ୍ୟକାରୀ କରାଯିବ। ଏଥିରେ କାଲସିୟମ, ଲୌହ ଓ ତନ୍ତୁଜାତୀୟ ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ରହିଛି। ତେଣୁ ଏହା ଏକ ପୁଷ୍ଟିକର ଖାଦ୍ୟ ଭାବରେ ପରିଗଣିତ ହେଉଛି।
ଓଡ଼ିଶା ଲଘୁଶସ୍ୟ ମିଶନର ଉଦ୍ଦେଶ୍ୟ ହେଉଛି ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ, ସୁଅାଁ, ଗୁରଜି, କାଙ୍ଗ, ଜନା ଓ ବାଜରାର ସାମଗ୍ରିକ ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ। ଏଥିସହ ଆଦିବାସୀ ପରିବାରର ଖାଦ୍ୟ ଓ ପୋଷକ ତତ୍ତ୍ୱର ଉନ୍ନତି, ପଞ୍ଚାୟତ ଓ ବ୍ଳକ ସ୍ତରରେ ବ୍ୟବସାୟିକ କ୍ଷୁଦ୍ର ଶସ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ମହିଳାଙ୍କ କଠିନ ଶ୍ରମ ଲାଘବ, କ୍ଷୁଦ୍ର ଶସ୍ୟ କୃଷକ ସଙ୍ଗଠନ ଓ ମହିଳା ଗୋଷ୍ଠୀ ଦ୍ୱାରା ଏହା ବଜାର ସୃଷ୍ଟି କରିବା। ଏହାକୁ ରାଜ୍ୟର ବିଭିନ୍ନ ପୁଷ୍ଟି ଯୋଜନା ଅନ୍ତର୍ଗତ ଖାଉଟି ବଣ୍ଟନ, ମଧ୍ୟାହ୍ନଭୋଜନ ଯୋଜନା ଓ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ସାମିଲ କରାଯିବ। ଏହି ଯୋଜନାରେ ଚଳିତ ଖରିଫ ୨୦୧୭-୧୮ରେ ରାଜ୍ୟରେ ୭ଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ୭୪୪୪ଏକର ଜମିରେ କ୍ଷୁଦ୍ର ଶସ୍ୟ ଚାଷ କରାଯାଇଛି।