ଠିଆ ହେବା ଆଗରୁ ନଇଁଗଲା ଟ୍ରାନ୍ସଫର୍ମର

ଲଡୁଗାଁ: କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଗ୍ରାମରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦରେ ଜମିରେ ଜଳସେଚନ ପାଇଁ ଗଭୀର ନଳକୂପ ଖନନ କରାଯିବା ସହ ଏକ ଟ୍ରାନ୍ସଫର୍ମର ବସା ଯାଇଥିଲା। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଓ ଲାଭଖୋର ନୀତିରେ କରାଯାଇଥିବା କାମ ଯୋଗୁଁ ତାହା କାର୍ଯ୍ୟକ୍ଷମ ନହୋଇ ଠିଆ ହେବା ଆଗରୁ ନଇଁ ପଡ଼ି ଭାଙ୍ଗି ଯିବାକୁ ବସିଲାଣି । ଓଡ଼ିଶା ସରକାର କୃଷି ଓ କୃଷକର ଉନ୍ନତି ପାଇଁ ୨୦୦୧-୦୨ ମସିହାଠାରୁ ରାଜ୍ୟରେ ବିଜୁ କୃଷକ ବିକାଶ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ କେନ୍ଦୁଡଙ୍ଗରୀ ଗ୍ରାମରେ ସରକାରଙ୍କ ବିକାଶର ପରିଭାଷାକୁ ମୋଡ଼ି ମକଚି ଦେବା ପ୍ରୟାସ କରାଯାଇଛି । କୃଷିକ୍ଷେତ୍ରରେ ଚାଷିଙ୍କୁ ଗଭୀର ନଳକୂପ ଖନନରେ ରିହାତି ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ଏ ଅଞ୍ଚଳର ଚାଷୀମାନେ ନିଜ ଚାଷ ଜମିରେ ନଳକୂପ ଖନନ ପାଇଁ ଗତ ୨୦୧୮ ମସିହାରେ ଅନଲାଇନ ଆବେଦନ କରିବା ସହ ଧାର କରଜ କରି ପ୍ରକଳ୍ପର ସୁଫଳ ପାଇବା ଆଶାରେ ୟୁନିଅନ୍ ବ୍ୟାଙ୍କରେ ୨୦ହଜାର ଟଙ୍କା ଲେଖାଏଁ ଜମା କରିଥିଲେ । ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପର ଆରମ୍ଭରୁ ସୁଫଳ ପାଇବା ପରିବର୍ତ୍ତେ ଏବେ ଚାଷୀ ହନ୍ତସନ୍ତ ହେଉଛନ୍ତି ।

prayash

ଅଭିଯୋଗ ଅନୁସାରେ, କେନ୍ଦୁଡଙ୍ଗରୀ ଗ୍ରାମର ଚାଷୀ ସୁଦୀପ୍ତ ଦାସଙ୍କ ୬ ଏକର ୨୦ ଡେସିମିଲ, ଆଶାରାମ ନାଏକ ୫ ଏକର ୭୬ ଡେସିମିଲ, ପ୍ରଫୁଲ୍ଲ ପଟେଲ ୬ ଏକର ୧୦ ଡେସିମିଲ, ମନ୍ଦିର ବାରିକଙ୍କ ୫ ଏକର ୧୦ ଡେସିମିଲ ଜମିରେ ଜଳସେଚନ ପାଇଁ ଚାରି ବର୍ଷ ତଲେ ୨୦ ହଜାର ଟଙ୍କା ଲେଖାଏଁ ଡିପୋଜିଟ୍ କରିଥିଲେ। ଚାରିବର୍ଷ ଅପେକ୍ଷା କଲାପରେ ଗଭୀର ନଳକୂପ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପଏଣ୍ଟ ଖୋଲାଯାଇ ଟ୍ରାନ୍ସଫର୍ମର ବସାଯାଇଥିଲା। କେନ୍ଦୁଡଙ୍ଗରୀ ଗ୍ରାମର ଏହି ପ୍ରକଳ୍ପ ଆରମ୍ଭରୁ ଶେଷ ଯାଏଁ ସାମୂହିକ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଦିଗରେ ମସୁଧା ଚଲାଇ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଯାହାଦ୍ୱାରା ଟ୍ରାନ୍ସଫର୍ମର ଖୁଣ୍ଟ ଗୋଟିଏ ପଟେ ନଇଁ ପଡ଼ିଥିବା ବେଳେ ଦୁଇ ଖୁଣ୍ଟରେ ଫାଟ ଦେଖାଦେଇଛି। କେତେବେଳେ ଖୁଣ୍ଟ ପଡି ଧନ ଜୀବନ ନଷ୍ଟ ହେବ କହି ହେବନାହିଁ । ଖୋଦ୍ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ଗଡ଼ ବୋଲାଉଥିବା କୋକସରା ଅଞ୍ଚଳରେ ପ୍ରକଳ୍ପଗୁଡିକରେ କାର୍ଯ୍ୟରତ ଯନ୍ତ୍ରୀ, ପ୍ରଭାବଶାଳୀ ଠିକାଦାରଙ୍କ ଅଘୋଷିତ ବୁଝାମଣା ସ୍ପଷ୍ଟ ବାରି ହୋଇପଡିଥିବା ବେଳେ ଘଟଣାଟି ହାଟରେ ପଡି ଦାଣ୍ଡରେ ଗଡୁଛି। ପ୍ରକଳ୍ପଗୁଡିକ ଯେମିତି ସେମିତି କାର୍ଯ୍ୟ ସାରି ଠିକାଦାର ତାର ପ୍ରାପ୍ୟନେଇ ଛୁ ମାରିଲା ପରେ ବିଭାଗୀୟ ଅଧିକାରୀମାନେ ପରିଚାଳନାଗତ ପଦକ୍ଷେପ ନ ନେବାରୁ ଏବେ ଏପରି ଦୁରାବସ୍ଥା ହୋଇଛି । ‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’ ପରି ଟ୍ରାନ୍ସଫର୍ମର ଖୁଣ୍ଟକୁ ନେଇ ଚାଲିଥିବା ଅନିୟମିତତା ଏବେ ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଉଠା ଜଳସେଚନ ନିଗମର ଯନ୍ତ୍ରୀ ସି. ବାସ୍କେଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ସେ କହିଥିଲେ ମୋତେ କେହି ଫୋନ କରି ନାହାନ୍ତି। ଆମେ ଆମ କାମ ଚଲେଇଛୁ ବୋଲି କହିଥିଲେ।

ଅନ୍ୟପକ୍ଷରେ ଖୁଣ୍ଟଗୁଡିକୁ ଉତ୍ତମ ରୂପେ ପୋତା ନ ଯିବା ତଥା ଏଥିରେ ଉପଯୁକ୍ତ ପରିମାଣରେ କଂକ୍ରିଟ ବ୍ୟବହାର କରାଯାଇ ନଥିବାରୁ ନିମ୍ନମାନର ତଥା ଅସ୍ଥାୟୀ କାର୍ଯ୍ୟ କରି ସରକାରଙ୍କ ପଇସାକୁ ପାଣିରେ ପକାଇବାକୁ ଚାହୁଁଥିବା ଏପରି ଅସାଧୁ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚାଷୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments are closed.