www.samajalive.in
Sunday, December 7, 2025
18.1 C
Bhubaneswar

ବିକାଶରୁ ବଞ୍ଚିତ ଗାଁ ଶବରପଡ଼ା

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣି ଗାଁ ଶବରପଡାବାସୀଙ୍କଠୁ ବହୁ ଦୂରରେ ରହିଛି ବିକାଶ। ଅତୀତରେ ଦେଖିବାକୁ ଗଲେ ଲୋକମାନେ ଯେପରି ଅଙ୍କାବଙ୍କା, ଖାଲଖମା, ରାସ୍ତା ଦେଇ ଯିବାଆସିବା କରୁଥିଲେ ଏବେ ମଧ୍ୟ ସେହି ରାସ୍ତା ଦେଇ ସେମିତି ଅବସ୍ଥାରେ ଯିବାଆସିବା କରୁଛନ୍ତି। ଏହି ଅଗମ୍ୟ ଅଞ୍ଚଳର ବିକାଶ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ସରକାରଙ୍କ ନାଲିଫିତା ତଳେ ଚାପି ହୋଇ ରହିଯାଉଛି। ବିଗତ ୫୦ ବର୍ଷ ମଧ୍ୟରେ ଅନେକ ସରପଞ୍ଚ ଏଠାରେ କାର୍ଯ୍ୟ ତୁଲାଇ ସାରିଲେଣି। କିନ୍ତୁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କଥା ଦିନେ ହେଲେ କେହି ଚିନ୍ତା କରିନାହାନ୍ତି। ତେଲିଆ ମୁଣ୍ତରେ ତେଲ ନ୍ୟାୟରେ ପଞ୍ଚାୟତର କେତେକ ମୁଖ୍ୟ ଗାଁକୁ ଛାଡ଼ିଦେଲେ ଏହି ଗାଁ କଥା କେବେ କେହି ବୁଝିନାହାନ୍ତି। ଅନେକ ବାଧାବିଘ୍ନ ଦେଇ ଗତି କରୁଛି ପାଣି ଗାଁ ଶବରପଡା । ଗ୍ରାମବାସୀ କୁହନ୍ତି ଆମେ ଆଦିବାସୀ ବୋଲି ଆମକୁ ଅଣଦେଖା କରାଯାଉଛି କି? ରେଙ୍ଗାଲପାଲିଠାରୁ ଆମ ଗାଁକୁ ସଂଲଗ୍ନ ହେଉଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ଅତି ଶୋଚନୀୟ ହୋଇପଡ଼ିଛି। ରୋଗୀ, ଗର୍ଭବତୀ ମହିଳା ସମସ୍ତଙ୍କ ପାଇଁ ଆମ୍ବୁଲାନ୍ସ ସେବା କଷ୍ଟସାଧ୍ୟ ବ୍ୟାପାର। ପିଲାମାନେ ପାଠପଢ଼ା, ଗ୍ରାମବାସୀ ପଞ୍ଚାୟତକୁ ଚାଉଳ ଆଣିବା, ବଜାର ଯିବା ତଥା ଅନ୍ୟାନ୍ୟ କାମ ପାଇଁ ପ୍ରାୟ ଏ ରାସ୍ତା ଦେଇ ୩ କିମି ଯିବାଆସିବା କରୁଛନ୍ତି । ବର୍ଷା ମାସରେ ଏ ରାସ୍ତାର କିଛି ସ୍ଥାନରେ ପାଣି ଭର୍ତ୍ତି ହୋଇଗଲେ ରାସ୍ତା ଅଛି କି ନାହିଁ ତାହା ବି ଜଣା ପଡେନାହିଁ। ଏନେଇ ପଞ୍ଚାୟତକୁ ବାରମ୍ବାର କହିବା ପରେ ଗତ ବର୍ଷ ଥରେ ମାତ୍ର ମାଟି ମୋରମ୍ କାମ ହୋଇଛି, ତାହା ବି ନିମ୍ନମାନର। କେହି ଜଣେ କାମ କରିବା ନାଁରେ କାଦୁଅ ମୋରମ୍ ପକାଇ ଦେଇଥିଲା, ଯାହାଦ୍ୱାରା ବର୍ଷାଦିନେ ଆମ୍ବୁଲାନ୍ସ ତ ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟ। ଏହି ଅଗମ୍ୟ ଅଞ୍ଚଳର ଲୋକଙ୍କ ବେଉସା ହେଉଛି ଦୁଗ୍ଧ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ପ୍ରତିପୋଷଣ କରିବା। ପ୍ରାୟ ୩୦ ପରିବାର ବିଶିଷ୍ଟ ଏହି ଗ୍ରାମରେ ସମ୍ପୂର୍ଣ୍ଣ ଭାବେ ଗୋପାଳନ କରି ପ୍ରାୟ ୩୦ ବର୍ଷରୁ ୭୦ ରୁ ୮୦ ଲିଟର କ୍ଷୀର କୋକସରା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଦେଇଆସନ୍ତି । ଏହାସହ ଆବାସ ଯୋଜନା, ପେନସନ୍ ଯୋଜନାରୁ ମଧ୍ୟ ଅନେକ ଲୋକ ବଞ୍ଚିତ ହୋଇ ରହିଥିବା କହିଛନ୍ତି । ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ସତ କିନ୍ତୁ ଆମେ ଗ୍ରାମବାସୀ ତଥା ଚାଷୀ କୌଣସି ପ୍ରକାର ଯୋଜନାରେ ସାମିଲ ହୋଇପାରୁ ନାହୁଁ ବୋଲି କୁହନ୍ତି। ଲୋକ ପ୍ରତିନିଧିମାନେ ନିର୍ବାଚିତ ହୋଇ ନିଜ ପକେଟ ଗରମ କରୁଥିବା ବେଳେ ଲୋକଙ୍କ ସୁଖ ଦୁଃଖରେ କେବେ ସାମିଲ ହୋଇ ନାହାନ୍ତି। ଏବେବି ଏହି ଗାଁ ଅବହେଳିତ ଅବସ୍ଥାରେ ରହିଛି। ଗାଁଗୁଡ଼ିକୁ ରାସ୍ତାଘାଟ ନଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ଆଦି ଅସୁବିଧା ଲାଗି ରହିଛି।

ସୂଚନା ଥାଉକି, ରେଙ୍ଗାଲପାଲି ପଞ୍ଚାୟତ ୭ ଟି ଗାଁ ରେଙ୍ଗାଲପାଲି, କାଦୋପଦର, କଛାରପଦର ଡଙ୍ଗରିଗୁଡ଼ା ଝରିଆଗୁଡ଼ା ପାଣିଗାଁ ଓ ଶବରପଡ଼ାକୁ ନେଇ ଗଠିତ। ୨୦୧୧ ଜନଗଣନା ଅନୁସାରେ ରେଙ୍ଗାଲପାଲି ପଞ୍ଚାୟତରେ ପ୍ରାୟ ୫୪୭୬ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଏହି ପାଣିଗାଁରେ ପ୍ରାୟ ୩୦୦ ଜନସଂଖ୍ୟା ରହିଛି। ଏମାନେ ସମସ୍ତେ ସବୁବେଳେ ଅଣଦେଖାର ଶିକାର ହେଉଥିବା ଅଭିଯୋଗ ହେଉଥିବା ବେଳେ ରହୁଥିବା ଗାଁଗୁଡ଼ିକର ବିକାଶ ହୋଇନଥିବା ଓ ଲୋକ ପ୍ରତିନିଧି, ଠିକାଦାର ମିଶି ପ୍ରକଳ୍ପ ଅର୍ଥ ଆତ୍ମସାତ୍ କରିବାରେ ଲାଗିପଡିଛନ୍ତି ବୋଲି କୁହନ୍ତି । ବିଭିନ୍ନ ସମୟରେ ପ୍ରତିନିଧି ଲୋକଙ୍କୁ ସେବା ଯୋଗାଇବା ବଦଳରେ ଆଗ ରୋଜଗାରକୁ ଆପଣେଇଛନ୍ତି ବୋଲି କିଛି ବୁଦ୍ଧିଜୀବୀ ଶ୍ରେଣୀୟ ବ୍ୟକ୍ତି ଅଭିଯୋଗ କରିଛନ୍ତି। ପିଲାଙ୍କୁ ୧୪ରୁ ୧୫ବର୍ଷ ହେବା ପରେ ଘର ଛାଡ଼ି ରୋଜଗାର କରିବାକୁ ଠିକାଦାରଙ୍କ ସହିତ ବାହାର ରାଜ୍ୟକୁ ଛାଡ଼ି ଦିଅନ୍ତି। ଏବେ ସରକାରଙ୍କ ତରଫରୁ ମିଳୁଥିବା ଚାଉଳ ଉପରେ ଲୋକେ ନିର୍ଭର କରିଛନ୍ତି। ଏହା ଭିତରେ ଦଲାଲମାନେ ଗାଁରେ ପଶି ଆବାସ, ରାସନ କାର୍ଡ, ଜବ୍‌କାର୍ଡ, ଲେବର‌୍ କାର୍ଡ, ଭତ୍ତା ଆଦି କରାଇ ଦେବାକୁ କହି ଶହଶହ ଟଙ୍କା ସେମାନଙ୍କଠାରୁ ଲୁଟ୍‌ କରୁଛନ୍ତି । ଗାଁ ସମସ୍ୟା ବିଷୟରେ ଗ୍ରାମବାସୀ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗ୍ରାମବାସୀଙ୍କ ଅସୁବିଧାକୁ ଆଖି ଆଗରେ ରଖି ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେହି କାଦୁଅ ଭରା ରାସ୍ତା ଦେଇ ୩ କିମି ଚାଲି ଚାଲି ଯାଇଥିଲେ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘଦିନରୁ ଜଣେ ଜନପ୍ରତିନିଧି ଗାଁରେ ପାଦ ଦେବା ପରେ ଅନେକ ଆଶା ଆକାଂକ୍ଷା ନେଇ ଗ୍ରାମବାସୀ ଫୁଲ ଚନ୍ଦନରେ ବନ୍ଦାପନା କରି ଉପାଧ୍ୟକ୍ଷଙ୍କୁ ପାଛୋଟି ନେଇଥିଲେ। ଉପାଧ୍ୟକ୍ଷ ମଧ୍ୟ ଲାଗିରହିଥିବା ସମସ୍ୟା ସମାଧାନ ଦିଗରେ ସେ ଆଗଭର ହୋଇ ତ୍ଵରିତ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଗ୍ରାମବାସୀ ମଧ୍ୟ ଗାଁ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ସାମିଲ କରାଯିବା ସହିତ ଗାଁରେ ଅଙ୍ଗନୱାଡି କେନ୍ଦ୍ର, ଡ୍ରେନେଜ ବ୍ୟବସ୍ଥା ତଥା ଅନ୍ୟାନ୍ୟ ସମସ୍ୟା ଉପସ୍ଥାପନ କରିଥିଲେ। କେବେ ଯୋଜନା ଶବରପଡ଼ାକୁ ବାଟବଣା ନ ହୋଇ ପହଞ୍ଚିବ ତାକୁ ହିଁ ଗ୍ରାମବାସୀ ଅପେକ୍ଷା କରି ରହିଛନ୍ତି ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories