www.samajalive.in
Saturday, December 6, 2025
23.1 C
Bhubaneswar

କୁଳିଅଣା ଗୁଳିକାଣ୍ଡ ମାମଲା: ୬ ଗିରଫ, ଜଣେ ଫେରାର

କୁଳିଅଣା : ବାଇକ ଚାଳକଙ୍କ ଉପରକୁ ଗୁଳି ଚଳାଇ ୮ଲକ୍ଷ ଟଙ୍କା ଥିବା ବ୍ୟାଗକୁ ଛଡାଇ ନେବା ଉଦ୍ୟମ ଘଟଣାରେ ୬ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାଏକ ସୂଚନା ଦେଇଛନ୍ତି। ଗତ ୨୩ ତାରିଖ ପୂର୍ବାହ୍ନରେ ୧୮ ନମ୍ବର ଜାତୀୟ ରାଜପଥର କୁଚେଇ -ବାଇଗଣବାଡିଆ ମଝିରେ ଏକ ନିଛାଟିଆ ସ୍ଥାନରେ ଏହି ଲୁଟ୍‌ ଉଦ୍ୟମ ହୋଇଥିଲା। ତେଣେ ମୟୂରଭଞ୍ଜ ପୁଲିସ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଆଜି କୁଳିଅଣା ଥାନାରେ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ଦୁଇଟି ବାଇକ, ଗୁଳିଭରା ଗୋଟିଏ ଦେଶୀ ପିସ୍ତଲ ଏବଂ ୫ଟି ମୋବାଇଲ ଫୋନ ସହ ୧୫ଟି ସିମ୍‌ କାର୍ଡ ଆଦି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଶୁଳିଆପଦା, ବାଲେଶ୍ୱର ଓ ଗଞ୍ଜାମ ଆଦି ଅଞ୍ଚଳରେ ଘଟିଥିବା ଲୁଟ ଘଟଣାରେ ମଧ୍ୟ ସଂପୃକ୍ତ ଥିଲେ। ଏସପିଙ୍କ ସହିତ ବାରିପଦା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଓ କୁଳିଅଣା ଥାନା ଆଇଆଇସି ମଧୁମିତା ମହାନ୍ତି ଉପସ୍ଥିତ ଥିଲେ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ଚଳାଇଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ ବସ୍ତା ଥାନା ମନୁଡିହା ଗ୍ରାମର ଦେବେନ୍ଦ୍ର ଦାସ ଓ ମାନସ ଗିରି ଏବଂ ଗଞ୍ଜାମ ଜିଲା ବୁଗୁଡା ଥାନା କାଂଚୁରୁ ଗ୍ରାମର ନାରାୟଣ ବେହେରା ରହିଛନ୍ତି। ଏହାସହ ଏହି ଲୁଟ ଘଟଣା ପାଇଁ ଯୋଜନା କରିଥିବା ତିନି ସହଯୋଗୀ ବହଳଦା ଥାନା ବାସିଙ୍ଗୀ ଗ୍ରାମର ଦେବବ୍ରତ ସାହୁ ଓରଫ ସନୁ , ବାରିପଦା ଭଞ୍ଜପୁର ଥାନା ୨୧ ନମ୍ବର ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁରର ଶିବଶଙ୍କର ବାରିକ ଓରଫ ରକି  ଓ ଗଞ୍ଜାମ ଜିଲା ଆସ୍କା ଥାନା ଗୁଲସାହି ଗ୍ରାମର ଦିଲ୍ଲୀପ କୁମାର ରାୟ ଅଭିଯୁକ୍ତ ରହିଛନ୍ତି। ପ୍ରକାଶ ଯେ, କୁଳିଅଣା ଥାନାରେ ଗୁଳିକାଣ୍ଡ ଘଟଣା ନେଇ କାମତା ଗ୍ରାମର ସଂଗ୍ରାମ କେଶରୀ ବେହେରାଙ୍କ ଅଭିଯୋଗକ୍ରମେ ଗତ ୨୩ ତାରିଖରେ ୧୧୭/୨୫ ନମ୍ବରର ଏକ ମାମଲା ରୁଜୁ ହୋଇଥିଲା।
ଅଭିଯୋଗ ଅନୁଯାୟୀ ବିଦେଶୀ ମଦ ଦୋକାନର ଜନୈକ କର୍ମଚାରୀ ଶିବାନନ୍ଦ ବାରିକ ବାଙ୍ଗିରିପୋଷି, ବୁଢାମରା ଓ କୁଳିଅଣା ମଦ ଦୋକାନରେ ବିକ୍ରି ହୋଇଥିବା ମୋଟ ୮ଲକ୍ଷ ଟଙ୍କାକୁ ଏକ ବ୍ୟାଗରେ ନେଇ ଗତ ୨୩ତାରିଖରେ ଜାତୀୟ ରାଜପଥ ଦେଇ ବାରିପଦା କାର୍ଯ୍ୟାଳୟକୁ ଜମା କରିବା ପାଇଁ ଏକ ବାଇକରେ ଆସୁଥିଲେ। ପୂର୍ବାହ୍ନ ୧୧ଟାରେ ଜାତୀୟ ରାଜପଥର କୁଚେଇ ଓ ବାଇଗଣବାଡିଆ ଛକ ମଧ୍ୟରେ ଥିବା ଏକ ନିଛାଟିଆ ସ୍ଥାନରେ ଦୁଇଟି ବାଇକରେ ପିଛା କରି ଆସୁଥିବା ଚାରି ଦୁର୍ବୃତ୍ତ ଟଙ୍କା ବ୍ୟାଗ ତାଙ୍କଠାରୁ ଛଡାଇ ନେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଟଙ୍କା ବ୍ୟାଗ୍ ଧରିଥିବା ଶିବାନନ୍ଦ ପ୍ରତିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଫଳରେ କର୍ମଚାରୀଙ୍କ ବାମ ଜଙ୍ଘ ଓ ମୁଣ୍ଡର ବାମପାଖ କାନ ପାଖରେ ଗୁଳି ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତେବେ ଶିବାନନ୍ଦଙ୍କ ପାଟିଶୁଣି ନିକଟ ବିଲରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ପହଞ୍ଚି ଯିବାରୁ ଅଭିଯୁକ୍ତମାନେ ଅନ୍ଧାରୀ ଗ୍ରାମ ଦେଇ ପଳାଇଥିଲେ। ଶିବାନନ୍ଦଙ୍କୁ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଜଙ୍ଘରେ ପଶିଥିବା ଗୁଳିକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି। ଖବର ପାଇ ପୁଲିସ ଦଳ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ୬ଟି ଗୁଳିର ଖୋକା ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ଘଟଣାରେ ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଫେରାର ହୋଇଯାଇଥିବା ଆସ୍କା ଥାନା ଡେଙ୍ଗାପଡ଼ା ଗ୍ରାମର କୁନା ବାରିକଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories