ବଳାତ୍କାର ଅଭିଯୁକ୍ତ ବିଧାୟକଙ୍କ କୁଳଦୀପଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର

0

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଳଦୀପ ସିଂହ ସେନଗରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଉତ୍ତରପ୍ରଦେଶ ସରକାର ପ୍ରତ୍ୟାହାର କରିନେଇଛନ୍ତି। ସେନ୍‌ଗରଙ୍କୁ ‘ୱାଇ-ବର୍ଗ’ର ସୁରକ୍ଷା ପ୍ରଦାନ କରାଯାଇଥିଲା। ଏଥିଅନୁଯାୟୀ ସେନଗରଙ୍କ ମାଖୀସ୍ଥିତ ବାସଭବନରେ ୪ ଜଣ ପୁଲିସ ମୁତୟନ ଥିବା ବେଳେ ତିନି ଜଣ ପୁଲିସ ଗନର୍‌ ତାଙ୍କ ସହିତ ରହୁଥିଲେ। କିନ୍ତୁ ଅପହରଣ ଓ ବଳାତ୍କାର ଅଭିଯୋଗକୁ ଭିତ୍ତି କରି ତାଙ୍କ ବିରୋଧରେ ଏପ୍ରିଲ ୧୨ରେ ଏଫ୍‌ଆଇଆର୍‌ ରୁଜୁ ହେବା ପରେ ଏହି ସୁରକ୍ଷା ବ୍ୟବସ୍ଥା ତୁରନ୍ତ ପ୍ରତ୍ୟାହାର କରାଯାଇଥିଲା ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ଶୁକ୍ରବାର ପ୍ରକାଶ କରିଛନ୍ତି। ଅଭିଯୋଗକାରିଣୀଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ପୁଲିସ ତାଙ୍କ ପିତାଙ୍କୁ ଗିରଫ କରିନେଇଥିଲେ। ପରେ ପୁଲିସ ହାଜତରେ ପିତାଙ୍କ ମୃତ୍ୟୁ ଘଟିଥିଲା। ତଥାପି ଅଭିଯୁକ୍ତଙ୍କ ବିରୋଧରେ ଉତ୍ତର ପ୍ରଦେଶ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ବିଜେପି ନେତୃତ୍ୱାଧୀନ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ସବୁ ସ୍ତରରୁ ସମାଲୋଚିତ ହେବାକୁ ପଡିଥିଲା। ଫଳରେ ସରକାର ବାଧ୍ୟ ହୋଇ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ସିବିଆଇ ସେନଗରଙ୍କୁ ବହୁ ସମୟ ଜେରା କରିବା ପରେ ଗିରଫ କରିଥିଲା। ଏବେ ସେ ସିବିଆଇ ହାଜତରେ ଅଛନ୍ତି।

Leave A Reply