ମେଳା ବୁଲିବା ହେଲା କାଳ, ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀ ମୃତ

କୁଆଁରମୁଣ୍ଡା : ମେଳା ବୁଲିବା କାଳ ହେଲା, ଅଜଣା ଗାଡି ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତ ତୁରୀ ବସ୍ତି ଅଞ୍ଚଳର ତିନି ବାଇକ ଆରୋହୀଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଶନିବାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବୀର ପଞ୍ଚାୟତ ଘାସୀ ଟୋଲା ଅଞ୍ଚଳର ଦିଲୀପ ସମାସୀ (୨୪), ସହରେଇ ଲାକ୍ରା (୨0) ଏବଂ ଟୁରି ଟୋଲା ଅଞ୍ଚଳର ୧୫ ବର୍ଷୀୟ ନାବାଳିକା ଝିଅ ଅଞ୍ଜଳି କୁସୁମା ଏକ ବାଇକ ଯୋଗେ ବେଦବ୍ୟାସ ମେଳା ଦେଖିବା ପାଇଁ ଯାଇଥିଲେ। ମେଳା ଦେଖି ସାରି ରାତ୍ର ପ୍ରାୟ ସାଢେ ୧୧ଟା ସମୟରେ ବେଦବ୍ୟାସ ଠାରୁ ନିଜ ଘରକୁ ଫେରୁଥିଲେ। ବୀରମିତ୍ରପୁର ଥାନା ଅନ୍ତର୍ଗତ ଷ୍ଟେସନ ଛକ ଚୁଙ୍ଗୀଗେଟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ମୋଡୋଣି ନିକଟରେ ସେମାନଙ୍କୁ ସମ୍ମୁଖ ପଟୁ ଆସୁଥିବା କୌଣସି ଏକ ଅଜଣା ଗାଡି ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ସେମାନେ ବାଇକରୁ ଛିଟିକି ପଡ଼ିଥିଲେ ଏବଂ ଘଟଣସ୍ଥଳରେ ୨ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ଜଣେ ଗୁରୁତର ଭାବେ ରାସ୍ତା ଉପରେ ପଡ଼ିଥିଲେ। ଖବର ପାଇ ବୀରମିତ୍ରପୁର ପୁଲିସ ଓ ଆମ୍ବୁଲାନ ଘଟଣାସ୍ଥଳରେ ପହଞ୍ଚିଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଗୁରୁତରଙ୍କ ମୃତ୍ୟୁ ଘଟିଥିଲା।
ରବିବାର ସ୍ଥାନୀୟ ପୁଲିସ ତିନି ମୃତଦେହ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଦୁର୍ଘଟଣା ଘଟାଇବା ପରେ ଫେରାର ଥିବା ଅଜଣା ଗାଡି ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।
Comments are closed.