www.samajalive.in
Monday, December 15, 2025
14.1 C
Bhubaneswar

ପଲ୍ଲିରୁ ଦିଲ୍ଳୀ ଯାଏ ଜନ ଅଧିକାର ପାଇଁ ସଂଗ୍ରାମର ଶାଣିତ ସ୍ୱର କ୍ରିଷ୍ଣା ମହାରଣା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ରହୁଥିବା କ୍ରିଷ୍ଣା ମହାରଣା ଜଣେ ବିପ୍ଳବୀ ନାରୀ ନେତ୍ରୀ ଭାବରେ ଜନ ସାଧାରଣରେ ଜଣାଶୁଣା। ମହିଳାମାନଙ୍କ ଅଧିକାର ପାଇଁ ଆନ୍ଦୋଳନଠାରୁ ଆରମ୍ଭ କରି ବିଡି କାରିଗରମାନଙ୍କ ନ୍ୟାଯ୍ୟ ହକ୍‍ ପାଇଁ ଆନ୍ଦୋଳନ, କ୍ଷେତ ମଜଦୁରମାନଙ୍କ ହକ୍‍ ପାଇଁ ଆନ୍ଦୋଳନ, ହୀରାକୁଦ ବିସ୍ଥାପିତଙ୍କୁ ଥାଇଥାନ ଏବଂ କ୍ଷତିପୂରଣ, ଶୋଷିତ ଏବଂ ନିଷ୍ପେସିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ହୋଇଥିବା ଆନ୍ଦୋଳନରେ ନେତୃତ୍ୱ ନେଇ ଜଣେ ନିର୍ଭିକ ସଂଗ୍ରାମୀ ନାରୀନେତ୍ରୀ ତଥା ସମାଜସେବୀ ଭାବରେ ନିଜକୁ ପ୍ରତିପାଦିତ କରିଛନ୍ତି କ୍ରିଷ୍ଣା ମହାରଣା। କ୍ରିଷ୍ଣା ସିପିଆଇ ପକ୍ଷରୁ ଆୟୋଜିତ ଶତାଧିକ ଜନ ଆନ୍ଦୋଳନରେ ନିଜକୁ ସାମିଲ କରି ଏହାର ନେତୃତ୍ୱ ନେଇ ରେଙ୍ଗାଲିର ପୁରପଲ୍ଲିରେ ଜନ ଜାଗରଣ ସୃଷ୍ଟି କରବା ସହିତ ସମ୍ବଲପୁରଠାରୁ ଆରମ୍ଭ କରି ଭୁବନେଶ୍ୱର ଏପରି କି ଦିଲ୍ଲୀରେ ହୋଇଥିବା ଆନ୍ଦୋଳନରେ ସଂଗ୍ରାମର ସ୍ୱରକୁ ଶାଣିତ କରି ଅଧିକାର ସାବ୍ୟସ୍ତ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ନଜିର ରହିଛି। ନାରୀ ଶିକ୍ଷାର ପ୍ରସାର ପାଇଁ ରେଙ୍ଗାଲିଠାରେ ବାଳିକା ହାଇସ୍କୁଲ ପ୍ରତିଷ୍ଠା କରାଇବାରେ ତାଙ୍କର ଅବଦାନ ରହିଛି। ରେଙ୍ଗାଲି ବାଳିକା ହାଇସ୍କୁଲ ପ୍ରଥମ ପରିଚାଳନା କମିଟୀର ସେ ସଦସ୍ୟ ଥିଲେ। ରେଙ୍ଗାଲିର ରାମ ସାଗର ବନ୍ଧ ଖୋଲାଇବା ପାଇଁ ହୋଇଥିବା ଆନ୍ଦୋଳନ ରେ ସେ ସାମିଲ ହୋଇ ସେ ନେତୃତ୍ବ ନେଇଥିଲେ। କୁରାଇ ନାନୀ ରୂପେ ରେଙ୍ଗାଲି ଅଞ୍ଚଳରେ ଖ୍ୟାତ କ୍ରିଷ୍ଣା ମହାରଣା କିଛି ବର୍ଷ ରେଙ୍ଗାଲି ବସ୍‍ଷ୍ଟାଣ୍ଡରେ ଆୟୋଜିତ ହେଉଥିବା ଦୁର୍ଗାପୂଜା ଆୟୋଜନ ଏବଂ ପରିଚାଳନା କମିଟିର ସକ୍ରିୟ ସଦସ୍ୟ ଥିଲେ।

୧୯୪୪ ମସିହା ଜୁନ୍‍ ୬ ତାରିଖ ଦିନ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅତବିରା ବ୍ଳକ୍‍ ଟୁକୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା କ୍ରିଷ୍ଣା ମହାରଣା ବର୍ତ୍ତମାନ ୭୮ ବର୍ଷ ବୟସରେ ଉପନୀତ। ବାଲ୍ୟକାଳରୁ ବାପାଙ୍କ ମୃତ୍ୟୁ ହୋଇଯିବାରୁ କ୍ରିଷ୍ଣା ତାଙ୍କ ମାଆଙ୍କ ସହିତ ରେଙ୍ଗାଲି ଚାଉଲଡିପୋରେ ରହୁଥିବା ତାଙ୍କ ସମ୍ପର୍କିୟ କାକାଙ୍କ ଘରେ ଆଶ୍ରୟ ନେଇଥିଲେ। ଏହାପରେ ରେଙ୍ଗାଲି ହେଲା ତାଙ୍କର କର୍ମଭୂମି। କ୍ରିଷ୍ଣା ମହାରଣା ବୈବାହିକ ଜୀବନର କିଛି ବର୍ଷ ପରେ ବିବାହ ବିଚ୍ଛେଦ ହେବାରୁ ରେଙ୍ଗାଲିରେ ଏକ ଛୋଟିଆ ଚାଉଳ ବରା, ପକୁଡି ଦୋକାନ କରି ଜୀବନ ବଞ୍ଚିବାର ସଂଗ୍ରାମ ଆରମ୍ଭ କରିଥିଲେ। ତାଙ୍କର କୌଣସି ସନ୍ତାନ ସନ୍ତତି ନହାନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବୈପ୍ଳବିକ ଚିନ୍ତାଧାରାର ମହିଳା ହୋଇଥିବାରୁ ୧୯୮୦ ମସିହାରେ ସେ ସିପିଆଇରେ ଯୋଗ ଦେଇ ଦଳ ପକ୍ଷରୁ ରେଙ୍ଗାଲି, ସମ୍ବଲପୁର, ଦିଲ୍ଲୀ, କୋଲକାତା ଆଦି ସ୍ଥାନରେ ଅନୁଷ୍ଠିତ ଶତାଧିକ ଜନ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଆନ୍ଦୋଳନ ପାଇଁ ସେ ଅନେକ ଥର କରାବରଣ ମଧ୍ୟ କରିଛନ୍ତି। ୨୦୦୭ ମସିହାରେ ରେଙ୍ଗାଲି ଗ୍ରାମ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଦାୟିତ୍ୱ ତୁଲାଇ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମରେ ସହଭାଗୀ ହୋଇଥିଲେ। ସମାଜସେବା ପାଇଁ ୨୦୧୧ ମସିହାରେ କ୍ରିଷ୍ଣା ମହାରଣାଙ୍କୁ ରାଜ୍ୟସ୍ତରୀୟ ଅକ୍ଷୟ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଅକ୍ଷୟ ପ୍ରଧାନ ସମ୍ମାନରେ ସମ୍ମାନିତ କରାଯାଇଥିଲା। କ୍ରିଷ୍ଣା ମହାରଣା ସିପିଆଇର ବିଭିନ୍ନ ପଦବୀରେ ଦକ୍ଷତାର ସହିତ ଦାୟୀତ୍ୱ ତୁଲାଇଥିବା ବେଳେ ଭାରତୀୟ ମହିଲା ଫେଡରେଶନର କାର୍ଯ୍ୟକାରୀ କମିଟିର ସଭ୍ୟ ଏବଂ ଓଡିଶାର ସର୍ବ ପୁରାତନ ମହିଳା ସଙ୍ଗଠନ ଉତ୍କଳ ମହିଳା ସମିତିର ରାଜ୍ୟ ଉପ-ସଭାନେତ୍ରୀ ପଦରେ ଅଧିଷ୍ଠିତ ଥିଲେ। ଏହାବ୍ୟତୀତ ଭାରତୀୟ କ୍ଷେତ ମଜଦୁର ୟୁନିୟନ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ, ଆଦିବାସୀ ମହାସଭା ରାଜ୍ୟ ପରିଷଦ ସଭ୍ୟ ଥିଲେ। ସଂପ୍ରତି ପରିଣତ ବୟସରେ ଉପନୀତ କ୍ରିଷ୍ଣା ମହାରଣା ନ୍ୟାର୍ଯ୍ୟ ଅଧିକାର ଏବଂ ହକ୍‍ ହାସଲ ପାଇଁ ସଂଗ୍ରାମ କରୁଥିବା ଯୁବପିଢି ପାଇଁ ପ୍ରେରଣାର ଉତ୍ସ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories