ଦିଲ୍ଲୀ ଅଭିମୁଖେ ଲକ୍ଷ ଲକ୍ଷ କୃଷକ

ଆଜି କୃଷକ ମହାପଞ୍ଚାୟତ

ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଲା ମୈଦାନରେ ସୋମବାର ହେବ କୃଷକ ମହାପଞ୍ଚାୟତ। ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଉଥିବାବେଳେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଲକ୍ଷ ଲକ୍ଷ କୃଷକ । ଏସ୍‌କେଏମ୍ ନେତା ଦର୍ଶନ ପାଲ କହିଛନ୍ତି ଯେ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ କୃଷକ ଏବେ ଦିଲ୍ଲୀ ଅଭିମୁଖେ ବାହାରିସାରିଛନ୍ତି। ସୋମବାର ମହାପଞ୍ଚାୟତ ସ୍ଥଳରେ​‌ ସେମାନେ ଉପସ୍ଥିତ ରହିବେ। ମହାପଞ୍ଚାୟତରେ କୃଷି ଉତ୍ପାଦିତ ସାମଗ୍ରୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ କରିବା ଦିଗରେ କେନ୍ଦ୍ର ସରକାର ଗ୍ୟାରେଣ୍ଟି ଦିଅନ୍ତୁ ତାହା ଦାବି କରାଯିବ। ଏହା ସହିତ ୨୦୨୧ ଡିସେମ୍ବର ୯ରେ କେନ୍ଦ୍ର ସରକାର ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ପାଳନ ଲାଗି ଚାପ ପକାଯିବ। ନୂଆ କୃଷି ଆଇନକୁ ବିରୋଧ କରି ବର୍ଷ ବର୍ଷ ଧରି ଆନ୍ଦୋଳନ କରୁଥିବା କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ସମୟରେ ସରକାର ଏମଏସପି ଉପରେ ଗ୍ୟାରେଣ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.