ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଲାଙ୍କ ଗ୍ରୀଷ୍ମକାଳୀନ ଶିବିର
କେନ୍ଦୁଝରଗଡ଼ : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ଚଳିତମାସ ୧୦ ଓ ୧୧ ତାରିଖ ଦୁଇଦିନ ଧରି କୁନି କୁନି ପିଲାମାନଙ୍କୁ ନେଇ ଏକ ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାର ବିଭିନ୍ନ ପ୍ରାନ୍ତରୁ ୫୫ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗଦେଇ ଥିବାବେଳେ ସେମାନଙ୍କୁ ନୈତିକ ତଥା ଚାରିତ୍ରିକ ଉନ୍ନତି ନିମନ୍ତେ ଶିକ୍ଷାଦାନ ସହ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସାକେନ୍ଦ୍ର କଟକର ପ୍ରଶାସନିକ ଅଧିକାରୀ ବ୍ରହ୍ମାକୁମାରୀ ପ୍ରତିଭା ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶନିବାର ପୂର୍ବାହ୍ନରେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ମୁକୁନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ଥାଟୋଇ, କେନ୍ଦୁଝର ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ପ୍ରମୁଖ ଯୋଗଦେଇ ଅଂଶଗ୍ରହଣକାରୀ ସମସ୍ତ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମାକୁମାରୀ ଜୟନ୍ତୀ ବହୁତ ସୁନ୍ଦର ଭାବେ ଆତ୍ମଜ୍ଞାନ ପ୍ରଦାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ କିଭଳି ପିଲାମାନଙ୍କୁ ପରମାତ୍ମାଙ୍କୁ ସ୍ମରଣ କରିବାକୁ ପଡିବ ସେ ସମ୍ପର୍କରେ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ନୃତ୍ୟ, ସଙ୍ଗୀତ, ପ୍ରବନ୍ଧ, ସାଧାରଣ ଜ୍ଞାନ, ଚିତ୍ରକଳା, ମ୍ୟୁଜିକ୍ ଚେୟାର, ବେଲୁନ ରେସ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ରହ୍ମାକୁମାରୀ ମୁଖ୍ୟାଳୟ ମାଉଣ୍ଟଆବୁରୁ ଆସିଥିବା ବ୍ରହ୍ମାକୁମାର ତ୍ରିଲୋଚନ ପିଲାମାନଙ୍କୁ ଭଲ ପାଠପଢ଼ିବା ଓ ଜୀବନରେ ଆଧ୍ୟାତ୍ମିକତାକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ। ବ୍ରହ୍ମାକୁମାର କୁଳମଣି, କୃତ୍ତିବାସ, ଝରିଲାଲ, ବିଷ୍ଣୁ ପ୍ରମୁଖ ପାୱାର ପ୍ରେଜେଣ୍ଟେସନ ଓ କାହାଣୀ ମାଧ୍ୟମରେ ପିଲାମାନଙ୍କୁ ଚରିତ୍ର ଗଠନ ଓ ଦିବ୍ୟ ଗୁଣ ଧାରଣ କରି ଜୀବନରେ ସଫଳ ହେବାର ରାସ୍ତା ବତାଇଥିଲେ । ରବିବାର ଶିବିରର ଉଦ୍ଯାପନୀ ସମରୋହରେ ଝାରସୁଗୁଡା ଷ୍ଟିଲ କାରଖାନାର ସାଧାରଣ ପରିଚାଳକ ଆର.ପ୍ରିୟଦର୍ଶୀ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଓଡିଆ ଚଳଚ୍ଚିତ୍ର ଜଗତର ଶିଶୁ କଳାକାର ଆଦ୍ୟାଶା ମୁଖ୍ୟ ଆକର୍ଷଣ ଭାବେ ଯୋଗଦେଇ କଳାଭିନୟ ପ୍ରଦର୍ଶନ କରିବା ସହ କିଭଳି ଜଣେ ସଫଳ ବ୍ୟକ୍ତି ହୋଇପାରିବେ ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି. ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଭାଗୀଙ୍କୁ ଭଲ ମଣିଷ ହେବାପାଇଁ ପରାମର୍ଶ ଦେବାସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ସେବାକେନ୍ଦ୍ରର ସମସ୍ତ ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାର ଉପସ୍ଥିତ ରହି ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.