ନେମାଳ ପୀଠରୁ ବ୍ୟକ୍ତିଙ୍କୁ ଅପହରଣ : ପୁଲିସର ତନାଘନା

ସାଲେପୁର : କଟକ ଜିଲା ସାଲେପୁର ଅନ୍ତର୍ଗତ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରୁ ରବିବାର ଜଣେ ଭକ୍ତଙ୍କୁ ବଳପୂର୍ବକ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଭକ୍ତ ଜଣକ ହେଉଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର ଶୁଭେନ୍ଦୁ ମହାନ୍ତି। ତେବେ ଅପହରଣର କାରଣ ଏଯାବତ୍ ଅସ୍ପଷ୍ଟ ଥିବା ବେଳେ ପୁଲିସ ତନାଘନା ଆରମ୍ଭ କରିଛି।
ସୂଚନା ଅନୁସାରେ, ଶୁଭେନ୍ଦୁ ତାଙ୍କ ପତ୍ନୀ ଲୋପାମୁଦ୍ରା ଓ ଦୁଇ ଝିଅଙ୍କ ସହ ନେମାଳ ସ୍ଥିତ ଏହି ପୀଠକୁ ବୁଲିବା ପାଇଁ ଆସିଥିଲେ। ସପରିବାରେ ମଠ ବେଢ଼ାରେ ବୁଲୁଥିବା ସମୟରେ କୌଣସି କାରଣ ବସତଃ ଶୁଭେନ୍ଦୁ ବେଢ଼ା ବାହାରକୁ ଆସିଥିଲେ। ଏହି ସମୟରେ ୫/୬ ଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ବସାଇ ନେଇଯାଇଥିଲେ। ତେବେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ନିଜକୁ ପୁଲିସର ପରିଚୟ ଦେଇଥିଲେ। ଏ ସମ୍ପର୍କରେ ଶୁଭେନ୍ଦୁଙ୍କ ପତ୍ନୀ ଲୋପାମୁଦ୍ରା ସାଲେପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଅପହରଣକାରୀଙ୍କ ପତ୍ତା ମିଳିପାରି ନାହିଁ।

Comments are closed.