ମଦ ଦୋକାନରୁ ଚୋରି; ସମିତି ସଭ୍ୟଙ୍କ ସମେତ ୪ ଗିରଫ
ରାୟଗଡା: ରାୟଗଡ଼଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଷ୍ଟେସନ ରାସ୍ତାରେ ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ପୁଲିସ ଜଣେ ସମିତି ସଭ୍ୟଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କାର୍ତ୍ତିକଗୁଡ଼ା ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ମେଲକା, ଆକାଶ ହିକକା, ରମାକାନ୍ତ କୁଲେଶିକା ଓ ଶିବ କାଡ୍ରାକା। ସେମାନଙ୍କ ନିକଟରୁ ୨.୫ ଲକ୍ଷ ଟଙ୍କା, ଗୋଟିଏ ବୁଲେଟ୍ ମୋଟରସାଇକେଲ, ଗୋଟିଏ ଗଇନ୍ତି ଜବତ କରାଯାଇଛି। ଚାନ୍ଦିଲି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼଼ା ଏସଡିପିଓ ରଶ୍ମିରଞ୍ଜନ ସେନାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ ୫ ତାରିଖ ରାତିରେ ଥେରୁବାଲି ଷ୍ଟେସନ ରାସ୍ତାରେ ଥିବା ଏକ ବିଦେଶୀ ମଦ ଦୋକାନର ତାଲା ଭାଙ୍ଗି ୨ ଲକ୍ଷ ୮୦ ହଜାର ଟଙ୍କା ଓ ଗଣତି ହୋଇ ନ ଥିବା ଖୁଚୁରା କଏନ ଚୋରି କରି ନେଇଥିଲେ ଦୁର୍ବୃତ୍ତ। ଏହି ଚୋରି ରାତି ୧୦ଟା ୪୦ରୁ ରାତି ୧୧ଟା ୪୦ ମଧ୍ୟରେ ଘଟିଥିଲା। ମଦ ଦୋକାନ କର୍ମଚାରୀ ରାତିରେ ଖାଇବାକୁ ଯାଇଥିବା ବେଳେ ଚୋରି ହୋଇଥିଲା। ଏ ନେଇ ମଦ ଦୋକାନ ମ୍ୟାନେଜର ଅନୀଲ କୁମାର ଚାନ୍ଦିଲି ଥାନାରେ ୬ ତାରିଖରେ ଏତଲା ଦେଇଥିଲେ। ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରିଥିଲେ। ପୁଲିସ ସିସିଟିଭି ଫୁଟେଜ ଓ ସ୍ଥାନୀୟ ଲୋକଙ୍କ ବୟାନକୁ ଭିତ୍ତି କରି ତଦନ୍ତ କରିଥିଲା। ଚାନ୍ଦିଲି ଥାନା ଗେରାପୁଟ ଗାଁର କିଛି ଯୁବକ ଏଥିରେ ସାମିଲ ଥିବା ପୁଲିସ ଖବର ପାଇଥିଲା। ତା’ପରେ ସେମାନଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରିବା ପରେ ସେମାନେ ସମସ୍ତ ଘଟଣା ପୁଲିସ ଆଗରେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଏସଆଇ ଆଶୁତୋଷ ସାହୁ, ଥେରୁବାଲି ଫାଣ୍ଡି ଅଧିକାରୀ ଏଚ.କେ. ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.