ଆଠଗଡ ହେବ ଖୋ-ଖୋ ଖେଳର ପ୍ରୟୋଗଶାଳା

ଆଠଗଡ :  ଆଠଗଡ ସହର ତଥା ଗ୍ରାମାଞ୍ଚଳରେ ଖୋ ଖୋ ଖେଳକୁ ଅଧିକରୁ ଅଧିକ ପ୍ରୋତ୍ସାହିତ ଓ ତାଲିମ ପ୍ରଦାନ କରି ଆଠଗଡ ଅଞ୍ଚଳକୁ ଖୋ-ଖୋ ଖେଳର ଏକ ପ୍ରୟୋଗଶାଳାରେ ପରିଣତ କରାଯିବ ବୋଲି ଆଠଗଡ ଖୋ-ଖୋ ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ପ୍ରକାଶ କରିଛନ୍ତି । ଆଠଗଡ ଓ ତିଗିରିଆ ଅଞ୍ଚଳର ସମସ୍ତ ବିଦ୍ୟାଳୟରେ ବିଶେଷ କରି ଷଷ୍ଠ ଶ୍ରେଣୀରୁ ଉର୍ଦ୍ଧ୍ଵ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଖୋ-ଖୋ ଖେଳର ତାଲିମ ପ୍ରଦାନ କରି ସେମାନେ କିପରି ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବେ ସେଥିପାଇଁ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଭଞ୍ଜ ପ୍ରକାଶ କରିଛନ୍ତି। ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଖୋ-ଖୋ ଖେଳକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ ଲାଗି ପ୍ରୟାସ ଆରମ୍ଭ ହୋଇଛି । ଏହିକ୍ରମରେ ଆସୋସିଏସନ ପକ୍ଷରୁ ସ୍କୁଲ ପରିସରରେ ୨ଟି ଖୋ-ଖୋ ସ୍ତମ୍ଭ ସ୍ଥାପନ କରାଯାଇ ତାକୁ ସଭାପତି ଶ୍ରୀ ଭଞ୍ଜ ଉଦ୍‌‌ଘାଟନ କରିଥିଲେ । ସ୍କୁଲ ପ୍ରଧାନଶିକ୍ଷକ ଦେବରାଜ ନାୟକ ଏଥିରେ ଉଦ୍‌‌ବୋଧନ ଦେଇ ଏହି ସ୍କୁଲର ଜଣେ ଛାତ୍ର ଖୋ-ଖୋ ଖେଳରେ ଜାତୀୟସ୍ତର ପ୍ରତିଯୋଗିତାରେ ଯୋଗଦେଇ ସଫଳତା ହାସଲ କରିଥିବା ପ୍ରକାଶ କରିବା ସହ ଖୋ-ଖୋ ଆସୋସିଏସନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିଏସନର ଉପସଭାପତି ମନୋରଞ୍ଜନ ଦାସ, ସଭ୍ୟ ବିକ୍ରମ ରାୟସାମନ୍ତ, ଅମୀୟ କୁମାର ଦାସଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଶିକ୍ଷକ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.