www.samajalive.in
Sunday, December 7, 2025
23.1 C
Bhubaneswar

ଖେଳରତ୍ନ ପାଇଁ ଶ୍ରୀଜେଶ,ଦୀପିକାଙ୍କ ନାମ ସୁପାରିସ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଭାରତୀୟ ପୁରୁଷ ହକି ଦଳର ଗୋଲକିପର ପି.ଆର ଶ୍ରୀଜେଶ ଓ ମହିଳା ହକି ଦଳର ରକ୍ଷଣାପନ୍ଥୀ ଖେଳାଳି ଦୀପିକାଙ୍କ ନାମ ହକି ଇଣ୍ଡିଆ ପକ୍ଷରୁ ସୁପାରିସ କରାଯାଇଛି। ସେହିପରି ହରମାନ୍‌ପ୍ରୀତ୍ ସିଂହ, ବନ୍ଦନା କଟାରିୟା ଓ ନବଜୋତ୍‌ କୌରଙ୍କ ନାମ ଅର୍ଜୁନ, ପୂର୍ବତନ ହକି ଖେଳାଳି ଆର.ପି ସିଂହ, ଏମ.ସିଏଚ୍‌ ସାଙ୍ଗି ଇବାମ୍‌ହାଲ୍‌ଙ୍କ ନାମ ମେଜର ଧ୍ୟାନଚାନ୍ଦ ଜୀବନବ୍ୟାପୀ ସାଧନା ପୁରସ୍କାର, ବି.ଜେ କାରିୟାପ୍ପା ଓ ସି.ଆର କୁମାରଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସୁପାରିସ କରାଯାଇଛି। ୨୦୧୭ ଜାନୁଆରୀ ୧୭ରୁ ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ନାମ ସୁପାରିସ କରାଯାଇଛି।
ଉକ୍ତ ସମୟ ମଧ୍ୟରେ ପି.ଆର ଶ୍ରୀଜେଶ ୨୦୧୮ ଚମ୍ପିଆନ୍ସ ଟ୍ରଫି ହକିରେ ରୌପ୍ୟ, ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ, ୨୦୧୯ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବ ସିରିଜ୍‌ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ହକି ଦଳର ପ୍ରମୁଖ ଭୂମିକା ତୁଲାଇଥିଲେ। ଶ୍ରୀଜେଶ ପୂର୍ବରୁ ୨୦୧୫ରେ ଅର୍ଜୁନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଦୀପିକା ୨୦୧୮ ଏସୀୟ କ୍ରୀଡ଼ା ଓ ଏସିଆନ ଚମ୍ପିଆନ୍ସ ଟ୍ରଫି ରୌପ୍ୟ ବିଜୟୀ ଭାରତୀୟ ମହିଳା ହକି ଦଳର ପ୍ରମୁଖ ଭୂମିକା ତୁଲାଇଥିଲେ। ଡ୍ରାଗ୍‌ ଫ୍ଲିକର ହରମନ୍‌ପ୍ରୀତ୍‌ ସିଂହ ୧୦୦, ବନ୍ଦନା କଟାରିୟା ୨୦୦ ଓ ନବଜୋତ୍‌ କୌର ୧୫୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସକ୍ଷମ ହୋଇଛନ୍ତି। ଗତ କିଛି ବର୍ଷ ହେବ ଉକ୍ତ ଖେଳାଳିମାନେ ଅନ୍ତର୍ଜାତୀୟ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବାରୁ ସେମାନଙ୍କ ନାମ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ହକି କ୍ଷେତ୍ରରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହକି ଇଣ୍ଡିଆ ଓଡ଼ିଆ ଖେଳାଳିଙ୍କୁ ଉପେକ୍ଷା କରିଛି। ପୁରୁଷ ଓ ମହିଳାରେ ଜଣେ ହେଲେ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିସ କରିନାହିଁ ହକି ଇଣ୍ଡିଆ। ପୁରୁଷ ଦଳର ରକ୍ଷାପନ୍ଥୀ ବୀରେନ୍ଦ୍ର ଲାକ୍ରା ଓ ମହିଳା ଦଳର ନିର୍ଭରଯୋଗ୍ୟ ରକ୍ଷାପନ୍ଥୀ ଦୀପ୍‌ ଗ୍ରେସ୍‌ ଏକ୍କାଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ହକି ଇଣ୍ଡିଆ ଏମାନଙ୍କ ନାମକୁ ବିଚାରକୁ ନେଇନାହିଁ। ଗତବର୍ଷ ଅନୁରୂପ ଭାବେ ହକି ଇଣ୍ଡିଆ ଜଣେ ହେଲେ ଓଡ଼ିଆ ହକି ଖେଳାଳିଙ୍କ ନାମ ଅର୍ଜୁନ କିମ୍ବା ଖେଳରତ୍ନ ପାଇଁ ସୁପାରିସ କରିନଥିଲା। ଓଡ଼ିଆ ହକି ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ସବୁବେଳେ ଜାତୀୟ ଦଳରେ ରହି ଆସୁଥିଲେ ମଧ୍ୟ ଏମାନଙ୍କୁ ହକି ଇଣ୍ଡିଆ ଉପେକ୍ଷା କରିଚାଲିଛି। ବୀରେନ୍ଦ୍ର ୯ବର୍ଷ ହେବ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି ୧୭୨ଟି ମ୍ୟାଚ ଖେଳିଥିବା ବେଳେ ୨୦୧୪ ଏସୀୟ କ୍ରାଡ଼ରେ ସ୍ବର୍ଣ୍ଣ, ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ, ୨୦୧୩ ଏସିଆ କପ୍‌ରେ ରୌପ୍ୟ,୨୦୧୮ ଚମ୍ପିଆନ୍ସ ଟ୍ରଫିରେ ରୌପ୍ୟ, ୨୦୧୬ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୨ ରୌପ୍ୟ, ୨୦୧୫ ବିଶ୍ବ ହକି ଲିଗ୍‌ ଫାଇନାଲରେ କାଂସ୍ୟ, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ା ଦୀପ୍‌ ଗ୍ରେସ ୧୮୧ଟି ମ୍ୟାଚ ଖେଳି ୧୩ଟି ଗୋଲ ଦେଇଛନ୍ତି। ସେ ୨୦୧୭ ଏସିଆ କପ୍‌ରେ ସ୍ବର୍ଣ୍ଣ, ୨୦୧୪ ଏସୀୟ କ୍ରୀଡ଼ାରେ କାଂସ୍ୟ ଓ ୨୦୧୮ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories