ଧରାକୋଟ : ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ। ଦୁଇଜଣ ଦଳିତଙ୍କୁ ଅଧାଲଣ୍ଡା କରି ଗାଁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଦୁଇ କିଲୋମିଟର ଚଳେଇବା ସହ ନର୍ଦମା ଜଳ ପିଆଇଛନ୍ତି। କେବଳ ସେତିକି ନୁହେଁ, ସେମାନଙ୍କୁ ଘାସ ମଧ୍ୟ ଖୁଆଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ। ଏହି ଦୁଇ ବ୍ୟକ୍ତି ହେଲେ ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଓ ବାବୁଲା ନାୟକ। ସୂଚନା ଅନୁସାରେ ଝିଅକୁ ଯୌତୁକ ଦେବା ପାଇଁ ବୁଲୁ ଓ ବାବୁଲା ହରିପୁରରୁ ତିନୋଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ। ବାଟରେ ଖାରିଗୁମ୍ମା ଠାରେ ସେମାନଙ୍କୁ କିଛି ଲୋକ ଅଟକାଇବା ସହ ଗୋ-ଚାଲାଣ କରୁଥିବା ଦ୍ବାହିଦେଇ ବଟି ମାଗିଥିଲେ। ବଟି ନଦେବାରୁ ଦୁଇଜଣଙ୍କୁ ମାଡ ମାରିବା ସହ ସେଲୁନରେ ଅଧା ଲଣ୍ଡା କରିଥିଲେ। ଅଧା ଲଣ୍ଡା କରି ଦୁଇଜଣଙ୍କୁ ଖାରିଗୁମ୍ମାଠାରୁ ପାଦରେ ଚଳାଇ ଜାହାଡା ପର୍ଯ୍ୟନ୍ତ ନେଇଥିଲେ। ପାଖାପାଖି ଦୁଇ କିଲୋମିଟର ଜାହାଡା ଗାଁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଳାଇଥିଲେ। ଦୁଇଜଣଙ୍କୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ। ଏତେସବୁ ନିର୍ଯାତନା ପାଇବା ପରେ ଦୁଇଜଣ କୌଶଳକ୍ରମେ ସେଠାରୁ ଖସି ଆସି ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ଜଣଙ୍କ ମୁଣ୍ଡ ଆଉ ପିଠିରେ ଆଘାତ ଲାଗିଛି। ଧରାକୋଟ ଥାନା ପୁଲିସ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଘଟଣାରେ ତଦନ୍ତ ଚଳାଇଛି। ଏ ନେଇ ଧରାକୋଟ ଥାନାରେ ମାମଲା ରୁଜୁ ହୋଇଛି। ଏହି ଅମାନୁଷିକ ଘଟଣାରେ ସାତରୁ ଆଠଜଣ ସମ୍ପୃକ୍ତ ଥିବା ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ସୂଚନା ଦେଇଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ଯେ କେହି ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଏ ସଂକ୍ରାନ୍ତରେ ଜଣକୁ ଧରାକୋଟ ଥାନା ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି।
Popular Categories



