ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ୍ ଯୁଦ୍ଧରେ ହଠାତ୍ ଆମେରିକା ଲମ୍ପ ଦେବା ଦ୍ବାରା ଆଗକୁ ବଡ଼ ବିପଦର ଆଶଙ୍କା କରାଯାଉଛି। ଏହା ଏକ ଦୀର୍ଘ ଓ ପ୍ରଳୟଙ୍କରୀ ଯୁଦ୍ଧର ବାର୍ତ୍ତାବହ ବୋଲି ବିବେଚନା କରାଯାଉଛି। ଦୀର୍ଘ ୩୭ ଘଣ୍ଟା ଉଡ଼ି ଆମେରିକାର ଯୁଦ୍ଧବିମାନ ୧୧ ହଜାର ୪୦୦ କିମି ଦୂର ଇରାନ ଉପରେ ଆକ୍ରମଣ କରିବା ଏହାର ସୂଚନା। ଇରାନ ସମ୍ପର୍କରେ ଚିନ୍ତା କରିବାକୁ ଦୁଇ ମାସ ନେବାର ଦୁଇ ଦିନ ପରେ ଆମେରିକା ରାଷ୍ଟ୍ରପତି ହଠାତ୍ ଆକ୍ରମଣ କରିବା ଏହି ବିପଦକୁ ଆମନ୍ତ୍ରଣ କରିଛି। ରୁଷିଆ ଭଳି ରାଷ୍ଟ୍ର ଇରାନକୁ ସମର୍ଥନ ଘୋଷଣା କରିବା ଓ ଚୀନ୍ ଆମେରିକାକୁ ନିନ୍ଦା କରିବା ଦ୍ବାରା ଉପସାଗରୀୟ ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧକୁ ବାଟ କଢ଼ାଉଥିବା ପ୍ରତୀୟମାନ ହେଉଛି। ରବିବାର ୧୯୭୯ର ଇରାନ ବିଦ୍ରୋହ ପରଠାରୁ ପ୍ରଥମ ଥର ଆମେରିକାର ଅସ୍ତ୍ର ଇରାନ ମୁହାଁ ହୋଇଛି। ଏହାଦ୍ବାରା ସମଗ୍ର ପଶ୍ଚିମ ଏସିଆ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
କୂଟନୈତିକ କ୍ଷେତ୍ର ଓ ବିଶ୍ବ ତୈଳ ବଜାର ଓ ଆଞ୍ଚଳିକ ସ୍ଥିରତା ଦୋହଲି ଯାଇଛି। ଭାରତର ଶକ୍ତି ନିରାପତ୍ତା ବ୍ୟବସ୍ଥା ପ୍ରତି ମଧ୍ୟ ଆଞ୍ଚ ଆସିଛି। ଏବେ ଆମେରିକା ଉପରେ ଇରାନ ପ୍ରତି ଆକ୍ରମଣ ଯୋଜନା କରିବ କିମ୍ବା କୂଟନୈତିକ ଖେଳ ଖେଳିବ ତାହାକୁ ଅପେକ୍ଷା ରହିଥିବାବେଳେ ଆଣବିକ ନିରସ୍ତ୍ରୀକରଣ ଚୁକ୍ତିରୁ ଇରାନ ଓହରିବା କିମ୍ବା ହର୍ମୋଜ୍ ପ୍ରଣାଳୀ ବନ୍ଦ କରିବା ସମ୍ପର୍କରେ ଆଲୋଚନା ଚାଲିଛି। ଇରାନ ପାର୍ଲାମେଣ୍ଟ ହରମୋଜ୍ ପ୍ରଣାଳୀ ବନ୍ଦ ସମ୍ପର୍କରେ ସୂଚନା ଦେଇଛି। ଫଳରେ ଉକ୍ତ ପ୍ରଣାଳୀ ଦେଇ ଦୈନିକ ୨୦ନିୟୁତ ଟନ୍ ଅଶୋଧିତ ତୈଳ ଓ ପ୍ରାକୃତିକ ବାଷ୍ପ ପରିବହନ ବାଧାପ୍ରାପ୍ତ ହେବ। ଫଳତଃ ଆରବ ରାଷ୍ଟ୍ର ସମୂହ ଓ ପାଶ୍ଚାତ୍ୟ ରାଷ୍ଟ୍ର ପକ୍ଷରୁ ଇରାନ ବାସନ୍ଦର ସମ୍ମୁଖୀନ ବା ଆକ୍ରୋଶର ଶିକାର ହୋଇପାରେ।
ଇରାନ ସିହା ମୁସଲମାନ ଅଧ୍ୟୁସିତ ହୋଇଥିବାବେଳେ ସାଉଦି ଆରବ ସୁନ୍ନି ମୁସଲମାନ ଅଧ୍ୟୁସିତ। ଆମେରିକାର ବନ୍ଧୁ ଭାବେ ସାଉଦି ଆରବ ପରିଚିତ। ଯୁଦ୍ଧ ଦ୍ବାରା ଚାରିପଟୁ ଇରାନ ଆକ୍ରମଣର ସମ୍ମୁଖୀନ ହେବ ଓ ମଧ୍ୟପ୍ରାଚ୍ୟରେ କ୍ଷମତାର ସନ୍ତୁଳନ ଦୋହଲିଯିବ। ରୁଷିଆ ଓ ଚୀନ୍ ଇରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ଯୋଗାଇବେ। ଫଳରେ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯିବ। ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଆମେରିକାର ସାମରିକ ଘାଟୀ ରହିଛି। କୁଏତ୍, ବାହାରିନ୍, କ୍ବାତାର ଓ ସଂଯୁକ୍ତ ଆରବ ଏମିରେଟ୍ରେ ଆମେରିକାର ବହୁ ସଂଖ୍ୟକ ସୈନ୍ୟ ଅଛନ୍ତି। ଇରାନ ସେମାନଙ୍କୁ ନିଶାଣ କରିବ। ତା’ଛଡ଼ା ଯୁଦ୍ଧରେ ଯଦି ଇରାନ ଦୁର୍ବଳ ହୋଇପଡ଼େ; ତେବେ ଏହା ଲେବାନନ୍ର ହେଜ୍ବୋଲ୍ଲା ଓ ୟେମେନ୍ର ହାଉତି ଆତଙ୍କବାଦୀଙ୍କୁ ଲଗାଇ ଆମେରିକା ଓ ଇସ୍ରାଏଲରେ ଚ୍ଛାୟା ଯୁଦ୍ଧ ଚଳାଇପାରେ। ପୁନଶ୍ଚ ହରମୋଜ୍ ପ୍ରଣାଳୀରେ ଉପସ୍ଥିତ ତୈଳ ଟ୍ୟାଙ୍କର ଓ ଶକ୍ତି ଭିତ୍ତିଭୂମି ଉପରେ ମଧ୍ୟ ଇରାନ ଆକ୍ରମଣ କରିବା ସମ୍ଭାବନା ରହିଛି। ଏହାଦ୍ବାରା ବିଶ୍ବରେ ତୈଳ ଓ ପ୍ରାକୃତିକ ବାଷ୍ପ ଦର ବୃଦ୍ଧିପାଇବ ଏବଂ ବିଶ୍ବବ୍ୟାପୀ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେବ ତାହା ଆମେରିକା ବିରୋଧରେ ଯିବ ବୋଲି ଇରାନ ଚିନ୍ତା କରୁଛି। ଯାହା ହେଲେ ବି ଆମେରିକାର ପଦକ୍ଷେପ ସାରା ବିଶ୍ବକୁ ଅକଳରେ ପକାଇବା ନିଶ୍ଚିତ।



