www.samajalive.in
Monday, December 15, 2025
16.1 C
Bhubaneswar

କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ଆରମ୍ଭ, ଆଲୋକମାଳାରେ ଝଲସୁଛି ସହର

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ପ୍ରସିଦ୍ଧ କାଳୀପୂଜା ରବିବାର ବିଳମ୍ବିତ ରାତିରୁ ଯଥାରୀତି ଆରମ୍ଭ ହୋଇଥିବା ବେଳେ ୧୨ଦିନବ୍ୟାପୀ ଏହି ମେଳାକୁ ମନଭରି ଉପଭୋଗ କରିବା ପାଇଁ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଅନୁକୂଳ ପାଗ ସାଙ୍ଗକୁ ମୀନାବଜାର, ବାଣିଜ୍ୟମେଳା, ଖାଦ୍ୟମେଳା ଆୟୋଜନ ଭକ୍ତ ଓ ଦର୍ଶକଙ୍କ ମନରେ ପୂଜା ଆରମ୍ଭରୁ ପୂଜାବଜାରକୁ ସରଗରମ କରିଛି।

ରବିବାର ରାତିରୁ ଯଥାରୀତି କଳସ ଶୋଭାଯାତ୍ରା ପରେ ନିଶାର୍ଦ୍ଧରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କାଳୀପଡିଆସ୍ଥିତ କାଳୀତୀର୍ଥ ପୂଜା କମିଟି ପକ୍ଷରୁ ଆୟୋଜିତ କାଳୀପୂଜା, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀପୂଜା କମିଟି, କାଶୀପୁର ଶ୍ମଶାନକାଳୀ, ମାଇନିଂରୋଡସ୍ଥିତ କାଳୀପୂଜା କମିଟି ପକ୍ଷରୁ ୪ଟି ପୂଜାମଣ୍ଡ ସାଙ୍ଗକୁ ମାଧପୁରସ୍ଥିତ ମା’କାଳୀ ଓ କେନ୍ଦୁଝର ସହର ଉପକଣ୍ଠ ସରାସସ୍ଥିତ ମା’କାଳୀଙ୍କ ଶକ୍ତି ପୀଠରେ ମଧ୍ୟ ଏହି ପୂଜା ରବିବାର ରାତିରୁ ବେଶ୍‍ ଧୁମଧାମ୍‍ରେ ଆରମ୍ଭ ହୋଇଛି। ତେବେ କାଳିତୀର୍ଥ, ଟେଲିଫୋନ ଏକ୍ସଚେଞ୍ଜ ଛକ ଓ କାଶୀପୁରର ପ୍ରମୁଖ ୩ଟି ପୂଜାମଣ୍ଡପର ସୁଦୃଶ୍ୟ ତୋରଣ ଓ ମା’ଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ସାଙ୍ଗକୁ ଆଲୋକ ସାଜସଜ୍ଜା କେନ୍ଦୁଝର ସହରକୁ ଏକ ନବବଧୂ ବେଶରେ ସଜାଇଛି।

- Advertisement -

ନଗରଭବନ ସମ୍ମୁଖ କାଳୀତୀର୍ଥ କମିଟି ଚଳିତବର୍ଷ ୮୩ବର୍ଷରେ ପଦାର୍ପଣ କରିଥିବା ବେଳେ ମୀନାବଜାର ସାଙ୍ଗକୁ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ୪ଦିନବ୍ୟାପୀ ‘ତୁଳସୀ ଗଣନାଟ୍ୟ’ ଏବଂ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ୫ଦିନବ୍ୟାପୀ ‘କଳିଙ୍ଗ ଗଣନାଟ୍ୟ’ ପ୍ରଦର୍ଶନ ପୂଜାବଜାରକୁ ଅଧିକ ଚଳଚଞ୍ଚଳ କରିଛି। ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା’କାଳୀ ପୂଜା କମିଟି ଚଳିତବର୍ଷ ୫୫ବର୍ଷରେ ପଦାର୍ପଣ କରିଥିବା ବେଳେ ରୂପାରେ ନିର୍ମିତ ମା’ଙ୍କ ମୁକୁଟ ଭକ୍ତଙ୍କୁ ବେଶ୍‍ ଆକୃଷ୍ଟ କରିଛି। କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଲଟେରୀ ଉଠାଣ, ମୀନାବଜାର ଓ ଫେସନବଜାର, ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସମେତ କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନସ୍ଥାନରୁ ଆସିଥିବା ହୋଟେଲ ବ୍ୟବସାୟୀଙ୍କ ପକ୍ଷରୁ ଖାଦ୍ୟମେଳାର ଆୟୋଜନ ପୂଜାବଜାରକୁ ଅଧିକ ଉତ୍ସବମୁଖର କରିଛି।

କାଶୀପୁର ଶ୍ମଶାନ କାଳୀପୂଜା ଚଳିତବର୍ଷ ୩୬ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତିବର୍ଷ ଭଳି ସୁଊଚ୍ଚ ତୋରଣ ସାଙ୍ଗକୁ କାଶୀପୁର ଠାରୁ ମଣ୍ଡୁଆ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍କୁ ବିଭିନ୍ନ ଆଲୋକମାଳାରେ ସାଜସଜ୍ଜା ଦର୍ଶକଙ୍କୁ ବେଶ୍‍ ଆକୃଷ୍ଟ କରିଛି। ଓଡିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ ସମ୍ମୁଖ ପଡିଆରେ ଆୟୋଜିତ କାଳୀପୂଜା ଚଳିତଥର ପଞ୍ଚମବର୍ଷରେ ପାଦ ଥାପିଥିବା ବେଳେ ଆୟୋଜକଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିଛି। ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜେଲରୋଡ ଠାରେ ଚଳିତମାସ ୧୬ରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ଦିନବ୍ୟାପୀ ବୟନିକା ପକ୍ଷରୁ ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା ଆୟୋଜନ କେନ୍ଦୁଝର ପୂଜା ବଜାରକୁ ଅଧିକ ସରଗରମ କରିଛି।

ମାଇନିଂରୋଡସ୍ଥିତ କାଳୀପୂଜା ଭସାଣୀ ଉତ୍ସବ ଆସନ୍ତା ୧୯ ତାରିଖରେ ଓ କାଶୀପୁର ଶ୍ମଶାନକାଳୀ ପୂଜା ଭସାଣୀ ଆସନ୍ତା ୨୨ତାରିଖରେ ଅନୁଷ୍ଠିତ ହେବାକୁଥିବା ବେଳେ କାଳୀପଡିଆସ୍ଥିତ କାଳୀତୀର୍ଥ ଓ ଟେଲିଫୋନ ଏକ୍ସଚେଞ୍ଜସ୍ଥିତ ମା’କାଳୀ ପୂଜାକମିଟି ପକ୍ଷରୁ ୨୩ତାରିଖରେ ଭସାଣ ଉତ୍ସବ ମହାସମାରୋହରେ ପାଳନ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଦୀର୍ଘ ୧୨ଦିନବ୍ୟାପୀ ଅନୁଷ୍ଠିତ ଏହି ମେଳାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଆୟୋଜକ ପୂଜା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories