୨୬ରୁ କେନ୍ଦୁଝରରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ

କେନ୍ଦୁଝରଗଡ଼: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା)ର ରାଜ୍ୟ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ନିର୍ବାଚନ ଚଳିତମାସ ୨୬ରୁ ୨୮ ତାରିଖ ୩ଦିନ ଧରି କେନ୍ଦୁଝରଠାରେ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି। କେନ୍ଦୁଝର କାଳୀପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ୩ଦିନିଆ ସମାବେଶର ପ୍ରଥମ ଦିନ ୨୬ ତାରିଖ ଅପରାହ୍ନରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ୨୭ ତାରିଖ ପୂର୍ବାହ୍ନରେ ରାଜ୍ୟସ୍ତରୀୟ ସମାବେଶ ଉଦ୍‌‌ଘାଟନ ହେବାପରେ ସମ୍ପାଦକୀୟ ବିବରଣୀ ଉପରେ ଆଲୋଚନା ଏବଂ ବିଗତ ୩ବର୍ଷର ଆୟବ୍ୟୟର ହିସାବ ପ୍ରଦାନ କାର୍ଯ୍ୟକ୍ରମ ରହିଛି। ଏହାପରେ ୨୮ ତାରିଖ ରାଜ୍ୟ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ସହ ଉଦ୍‌‌ଯାପନୀ ସମାରୋହ ଅନୁଷ୍ଠିତ ହେବାକୁ ସ୍ଥିତରୀକୃତ ହୋଇଛି। ଏହି ଉପଲକ୍ଷେ ୨୭ ଓ ୨୮ ତାରିଖ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ।
୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ରାଜ୍ୟ ସମାବେଶକୁ କିଭଳି ସୁଚାରୁରୂପେ ଆୟୋଜନ କରାଯାଇ ପାରିବ ସେ ନେଇ ବୁଧବାର ଶିକ୍ଷକ ଭବନ କେନ୍ଦୁଝର ପରିସରରେ ଓଷ୍ଟା ଜିଲା ସଭାପତି ରଘୁନାଥ ବେହେରାଙ୍କ ଅଧ୍ୟକ୍ଷତାରେ କୋର କମିଟି ଓ ଜିଲା ଓଷ୍ଟା କାର୍ଯ୍ୟକାରୀ ସମିତିର ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

prayash

ଓଷ୍ଟା ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ସଞ୍ଜୟ ବସନ୍ତ ଚକ୍ର, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଶରତ ଚନ୍ଦ୍ର ମିଶ୍ର, ଓଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, ସମ୍ପାଦକ କାହ୍ନୁଚରଣ ସାମଲ, ଓଷ୍ଟା ଜିଲା ସଭାପତି ରଘୁନାଥ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ଜିଲା କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ହଜାରୀ ଓ ଯୁଧିଷ୍ଠିର ମହାନ୍ତ, ଯୁଗ୍ମସମ୍ପାଦକ ଜ୍ଞାନେନ୍ଦ୍ର ଦେଓ, ମୃତ୍ୟୁଞ୍ଜୟ ସାମଲ, ଉପସଭାପତି ରଞ୍ଜନ କୁମାର ଘଡେଇ ଓ ମନ୍ମଥ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ଜଗବନ୍ଧୁ ମହାନ୍ତ ପ୍ରମୁଖ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିସହ ୩ଦିନିଆ ଏହି ସମାବେଶକୁ କିଭଳି ସଫଳତାର ସହ ଆୟୋଜନ କରାଯାଇ ପାରିବ ସେ ସମ୍ପର୍କରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ବୈଠକରେ ଉପସ୍ଥିତ ସଦସ୍ୟଙ୍କ ମତାମତକୁ ଭିତ୍ତିକରି ସମାବେଶର ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଓ ସବ୍‌‌କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି। ଆସନ୍ତା ୧୭ ତାରିଖ ପୂର୍ବାହ୍ନ ୧୧ଘଟିକାରେ ସମାବେଶ ଆୟୋଜନ ନିମନ୍ତେ ଶିକ୍ଷକ ଭବନଠାରେ ଜିଲା କୋର କମିଟି ଓ ଜିଲା ଓଷ୍ଟା କାର୍ଯ୍ୟକାରୀ ସମିତି କର୍ମକର୍ତ୍ତାଙ୍କୁ ନେଇ ପୁଣି ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା କେନ୍ଦୁଝର ଜିଲା ଓଷ୍ଟା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଜଣାଇଛନ୍ତି।

Comments are closed.