ଡ୍ରେନ ପୁନଃରୁଦ୍ଧାର ଓ ଉନ୍ନତିକରଣ ଦାବି

କେନ୍ଦୁଝରଗଡ଼: ମାଷ୍ଟରପ୍ଲାନ ବୀହିନ କେନ୍ଦୁଝର ସହରରେ ଡ୍ରେନେଜ୍‌‌ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟାରେ ସହରବାସୀ ଆତଙ୍କିତ ହେବା କିଛି ନୂଆକଥା ନୁହେଁ। ବିଶେଷକରି ଯେଉଁ ସବୁ ଅଞ୍ଚଳରେ କିଛି ଡ୍ରେନ ରହିଛି ତାହାର ଆବଶ୍ୟକ ମରାମତି ଓ ଉନ୍ନତିକରଣ କାର୍ଯ୍ୟ କରାଯାଉ ନଥିବାରୁ ସାମାନ୍ୟ ବର୍ଷା ହେଲେ ଡ୍ରେନ ପାଣି ଘରେ ପଶି ଅସ୍ୱାସ୍ଥ୍ୟକର ପରିବେଶ ସହରବାସୀଙ୍କ ନିଦ ହଜାଇ ଦେଇଛି।

ସହରର ବହୁ ଡ୍ରେନକୁ ପୋତି ଡ୍ରେନ ଉପରେ ବେଆଇନ ଦୋକାନ ଗୃହ ନିର୍ମାଣ କରି ଅନାୟାସରେ ବ୍ୟବସାୟ ଚାଲି ଆସୁଥିବା ବେଳେ ଏଥିପ୍ରତି ପୌର ପ୍ରଶାସନ ଆଖି ବୁଜି ଦେଇଥିବାରୁ ବର୍ଷା ଋତୁରେ ଏଥିପାଇଁ ସହରବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନେକ ଡ୍ରେନର ଉନ୍ନତିକରଣ କାର୍ଯ୍ୟ କରାଯାଉନଥିବାରୁ ଡ୍ରେନ ପୋତି ହୋଇ ରାସ୍ତା ସହ ସମତୁଲ ହେବା କାରଣରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ଲୋକଙ୍କ ଘରେ ଦୂଷିତ ପାଣି ପଶି ପୁତିଗନ୍ଧମୟ ପରିବେଶ ଯୋଗୁଁ ସହରବାସୀ ତ୍ରାହି ତ୍ରାହି ଡାକିଲେଣି।

ବହୁ ଡ୍ରେନ ମୁକୁଳା ଥିବାରୁ ନିର୍ଗତ ଆବର୍ଜନା ଉକ୍ତ ଡ୍ରେନ ମାନଙ୍କରେ ପକାଇ ଦିଆଯାଉଥିବାରୁ ଡ୍ରେନ ଜାମ୍‌‌ ହୋବାସହ ପୁତିଗନ୍ଧମୟ ପରିବେଶ ସହରବାସୀଙ୍କୁ ବ୍ୟଥୀତ କରିଛି। ଖୋଦ୍‌‌ ପୌରପାଳିକା କାର୍ଯ୍ୟାଳୟ ଚତୁଃପାଶ୍ୱର୍କୁ ଲାଗିଥିବା ୮ନଂ, ୧୩ ନଂ, ୧୪ନଂ, ୧୫ନଂ ଓ ୧୬ନଂ ୱାର୍ଡରେ ଥିବା ସହରର ପ୍ରମୁଖ ବଜାର ମାନଙ୍କରେ ଥିବା ଡ୍ରେନ ପୋତିହେବା ସହ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିଲେ ହେଁ ଏହାର ମରାମତି କିମ୍ବା ପୁନଃରୁଦ୍ଧାର ନେଇ ପୌର ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷକ୍ରମେ ଉଗ୍ର ରୂପ ଧାରଣ କରିବାକୁ ଯାଉଛି।

୧୩ନଂ ୱାର୍ଡ ମୋଚ୍ଚିବନ୍ଧ ହାଇସ୍କୁଲକୁ ଲାଗିଥିବା ଗଳିରେ ଡ୍ରେନ ପୋତି ହେବା କାରଣରୁ ସାମାନ୍ୟ ବର୍ଷାରେ ମଇଳା ପାଣି ଲହଡି ଭାଙ୍ଗି ସ୍ଥାନୀୟ ଲୋକଙ୍କ ଘରେ ପଶୁଥିବା ନେଇ ବହୁବାର ଏ ସମ୍ପର୍କରେ ସ୍ଥାନୀୟ କାଉନସିଲରଙ୍କ ଠାରୁ ଆରମ୍ଭ କରି ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଗୁହାରୀ କରାଯାଇ ଆସୁଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ହିତାଧିକାରୀ ସୁନୀଲ ଶଙ୍କର ଅଭିଯୋଗ କରିଛନ୍ତି।

ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ସହରରେ ପୋତି ହୋଇ ପଡିଥିବା ଡ୍ରେନର ପୁନଃରୁଦ୍ଧାର ସହ ଆବଶ୍ରକ ମରାମତି କରାଯାଇ ଡ୍ରେନରେ ବର୍ଷାଜଳ ନିଷ୍କାସନ ନେଇ ସଡିକ୍‌‌ ପଦକ୍ଷେପ ଗ୍ରହଣ କରାନଗଲେ ସହରବାସୀଙ୍କ ଆନ୍ଦୋଳନ ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Comments are closed.