ପଳାଶପଙ୍ଗା ଅଞ୍ଚଳରେ ପାନୀୟଜଳର ଘୋର ଅଭାବ

କେନ୍ଦୁଝରଗଡ଼: ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ଓ ଏହାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଗତ କିଛିବର୍ଷ ଧରି ପାନୀୟଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ପଳାଶପଙ୍ଗା ଅଞ୍ଚଳରେ ୩ଟି ସ୍ପଞ୍ଜ ଲୁହାକାରଖାନା ଓ ୪ଟି କ୍ରସର କାର୍ଯ୍ୟକ୍ଷମ ଥିବାବେଳେ ଏମାନେ ସମସ୍ତେ ଗଭୀର ନଳକୂପ ଖନନ ଦ୍ୱାରା ଭୂତଳଜଳ ଉପରେ ବିଶେଷ ଭାବେ ନିର୍ଭର କରି ଚଳି ଆସୁଛନ୍ତି।

ଏହି କାରଣରୁ କାରଖାନା ସମେତ କ୍ରସର ସଂସ୍ଥାମାନ ନିଜ ନିଜ ପରିସରରେ ବେଆଇନ ଭାବେ ଗଭୀର ନଳକୂପ ଖନନକରି ଭୂତଳ ଜଳକୁ ସଂଗ୍ରହ କରି ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ କରି ଆସୁଥିବାରୁ ଚତୁଃପାର୍ଶ୍ବରେ ଥିବା କୂଅ, ପୋଖରୀ, ନାଳ ଓ ଝରଣା ଆଦି ଜଳାଶୟ ଗ୍ରୀଷ୍ମଋତୁ ବହୁ ପୂର୍ବରୁ ଶୁଖି ଯାଉଥିବାରୁ ଏଠାକାର ଜନସାଧାରଣ ଏବଂ ଗୃହପାଳିତ ପଶୁ ଓ ପକ୍ଷୀ ଟୋପାଏ ପାନୀୟଜଳ ପାଇଁ ସଦା ସଂଘର୍ଷରତ। ସେହିପରି ପାନୀୟଜଳର ଅଭାବ ହେଲେ ସମ୍ପୃକ୍ତ ଅଞ୍ଚଳରେ ତୁରନ୍ତ ନଳକୂପ ଖୋଳାଯାଇ ପାନୀୟଜଳ ଯୋଗାଣ ସମସ୍ୟାର ସମାଧାନ ତୁରନ୍ତ କରାଯିବାକୁ ସରକାରୀସ୍ତରରେ ନୀୟମ ଥିବାବେଳେ ଉକ୍ତ ଅଞ୍ଚଳରେ ସରକାରଙ୍କ ଏହି ନିୟମର ଘୋର ବ୍ୟତିକ୍ରମ ଦେଖାଦେଇଛି।

ସଦର ବ୍ଲକ ଅଧିନ ପଳାଶପଙ୍ଗା, ରାଇକଳା, କାଉଁରୀକଳା, ହାଣ୍ଡିଭଙ୍ଗା, ଗୋବର୍ଦ୍ଧନ, ପର୍ଜନପୁର, କଣ୍ଡରାପଶି ଆଦି ପଞ୍ଚାୟତ ମାନଙ୍କର ବହୁ ଗ୍ରାମରେ ବର୍ଷବର୍ଷ ଧରି କେତେକ ନଳକୂପ ଅଚଳ ଥିବାବେଳେ ଏହାର ମରାମତି କରାନଯିବା ସ୍ଥାନୀୟ ଲୋକଙ୍କୁ ଟୋପାଏ ପାନୀୟଜଳ ପାଇଁ ଆନ୍ଦୋଳନାତ୍ମକପନ୍ଥା ବାଧ୍ୟ ହୋଇ ଗ୍ରହଣ କରିବାକୁ ପଡୁଛି। ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପଳାଶପଙ୍ଗା ଓ ମୁରୁସୁଆଁ ଗ୍ରାମକୁ ପାଇପ୍‌‌ଯୋଗେ ସ୍ଥାନୀୟ ଅରଡ଼େଇ ନଦୀରୁ ପାନୀୟଜଳ ଯୋଗାଣ ହୋଇଆସୁଥିଲେ ହେଁ ପଳାଶପଙ୍ଗା ଠାରୁ ପାଟୁଙ୍ଗ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସମୟରେ ପାନୀୟଜଳ ଯୋଗାଣ ନିମନ୍ତେ ଉଦ୍ଦିଷ୍ଟ ପାଇପ ନଷ୍ଟ ହୋଇଯିବା କାରଣରୁ ଆଜକୁ ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ପଳାଶପଙ୍ଗାକୁ ପାନୀୟଜଳ ଯୋଗାଣ ହୋଇ ନପାରିବା ଯୋଗୁଁ ହିତାଧିକାରୀ ନିରାଶ ହୋଇପଡିଛି।

ଉକ୍ତ ଅଞ୍ଚଳରେ କାର୍ଯ୍ୟକ୍ଷମ କାରଖାନା ମାନଙ୍କରେ ପ୍ରଶାସନର ଅଗଚୋରରେ ଶିଳ୍ପାନୁଷ୍ଠାନମାନେ ମନଇଚ୍ଛା ଗଭୀର ନଳକୂପ ଖନନକୁ ବନ୍ଦ କରାଯିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କାର୍ଯ୍ୟକ୍ଷମ ଶିଳ୍ପସଂସ୍ଥା ସମୂହ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ତୁଲାଇବା ଅବସରରେ ଓଭରହେଡ୍‌‌ ଟ୍ୟାଙ୍କ ମାଧ୍ୟମରେ ପାଇପଯୋଗେ ପାନୀୟଜଳ ଯୋଗାଇଦେବାକୁ ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ ଦାବି କରିଛନ୍ତି।

Comments are closed.