ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଆରମ୍ଭ ହେଲା ବର୍ହିଃବିଭାଗ ରୋଗୀସେବା

କେନ୍ଦୁଝରଗଡ଼: ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କେନ୍ଦୁଝର ପରିସରରେ ଶନିବାର ଠାରୁ ଆରମ୍ଭ ହୋଇଛି ବର୍ହିଃବିଭାଗ ରୋଗୀସେବା। ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରଠାରେ କାର୍ଯ୍ୟକ୍ଷମ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୫୦୦ଶଯ୍ୟା ବିଶିଷ୍ଟ ରୋଗୀ ସେବାକୁ ଆଭାସୀ ମାଧ୍ୟମରେ ଉଦ୍‍ଘାଟନ କରିଥିଲେ। ଏହି ଉପଲକ୍ଷେ ଚିକିତ୍ସାଳୟ ପରିସରରେ ଆୟୋଜିତ ସଭାରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲାପରିଷଦ ସଭାପତି ସାଗରିକା ସାହୁ, ଜିଲାପାଳ ବିଶାଲ ସିଂହ ଓ ଧରଣୀଧର ଭେଷଜ ମହାବିଦ୍ୟାଳୟର ଡିନ୍‍ ପ୍ରଫେସର ଡାକ୍ତର ଚିନ୍ମୟୀ ମହାପାତ୍ର ମଞ୍ଚାସୀନ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଦର ବିଧାୟକ ମୋହନ ଚରଣ ମାଝୀ, ଧରଣୀଧର ଭେଷଜ ଚିକିତ୍ସାଳୟର ଅଧିକ୍ଷକ ପ୍ରଫେସର ଡାକ୍ତର ମହେନ୍ଦ୍ର କୁମାର ନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଜିଲା ମୁଖ୍ୟ ଚିକିତ୍ସାଳୟ କେନ୍ଦୁଝରର ସହକାରୀ ଅଧିକ୍ଷକ ଡାକ୍ତର ଅସୀମ କୁମାର ଦେ, ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଚର୍ମରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ମଞ୍ଜୁଲତା ଦାଶଙ୍କ ସମେତ ବିଭିନ୍ନ ବିଭାଗୀୟ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଡାକ୍ତରୀ ଛାତ୍ରଛାତ୍ରୀ, ନର୍ସିଂ ଛାତ୍ରଛାତ୍ରୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଦ୍‍ଘାଟନ ପରେ ଚିକିତ୍ସାଳୟରେ ଆରମ୍ଭ ହୋଇଥିଲା ବର୍ହିଃବିଭାଗ ରୋଗୀ ସେବା।

ପ୍ରାଥମିକ ପର୍ଯ୍ୟାୟରେ କେବଳ ଭେଷଜ, ଚର୍ମ ଓ ଯୌନ ରୋଗ, ମାନସିକ ରୋଗ ଓ ଦନ୍ତ ରୋଗର ବର୍ହିଃବିଭାଗ ଚିକିତ୍ସା ସେବା ଆରମ୍ଭ ହୋଇଛି ବୋଲି ଚିକିତ୍ସାଳୟର ଅଧିକ୍ଷକ ପ୍ରଫେସର ଡାକ୍ତର ମହେନ୍ଦ୍ର କୁମାର ନାୟକ ଏହା କହିଛନ୍ତି। ଚିକିତ୍ସାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନିମନ୍ତେ ଅନ୍ୟ ବିଭାଗ ମାନଙ୍କରେ କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଜାରି ରହିଥିବା ବେଳେ ଆସନ୍ତା ବର୍ଷକ ମଧ୍ୟରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବାସହିତ ରୋଗୀଙ୍କୁ ଅର୍ନ୍ତବିଭାଗ ସହ ପୂର୍ଣ୍ଣକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଅଧିକ୍ଷକ ଡାକ୍ତର ଶ୍ରୀ ନାୟକ କହିଛନ୍ତି।

Comments are closed.