କାଶ୍ମୀର ଉପରେ ବଡ଼ ନିଷ୍ପତ୍ତି ପାଉଁ ପ୍ରସ୍ତୁତି; ବିଜେପି ନେତାଙ୍କ ସହ ଆଲୋଚନା ପୂର୍ବରୁ ଡୋଭାଲଙ୍କ ସହ ସାକ୍ଷାତ କଲେ ଶାହ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହ କାଶ୍ମୀର ପ୍ରସଙ୍ଗରେ ଏକ ବଡ଼ ବୈଠକର ଆୟୋଜନ କରିଛନ୍ତି। କାଶ୍ମୀର ମନ୍ତ୍ରିମଣ୍ଡଳରେ ସାମିଲ ଥିବା ମନ୍ତ୍ରୀଙ୍କ ସମେତ ଶୀର୍ଷସ୍ଥାନୀୟ ନେତାଙ୍କୁ ଏହି ବୈଠକରେ ମଙ୍ଗଳବାର ଦିଲ୍ଲୀ ଡାକରା ହୋଇଛି। ଦ୍ୱୀପହର ୧୨ଟାରେ ଏହି ବୈଠକ ଆରମ୍ଭ ହେବ।
ରାଜ୍ୟର ଗୃହ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କାଶ୍ମୀରରେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜମ୍ମୁ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ନେତାଙ୍କ ରାୟ ନେବା ଉଦ୍ଦେଶ୍ୟରେ ଦଳର ଅଧ୍ୟକ୍ଷ ଏହି ବୈଠକରେ ଆୟୋଜନ କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ସହ ଶାହ ବୈଠକ ପୂର୍ବରୁ ଆଲୋଚନା ସମ୍ପନ୍ନ କରିଛନ୍ତି।
ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ କାଶ୍ମୀରରେ ପିଡ଼ିପି ଓ ବିଜେପି ମେଣ୍ଟ ଅବ୍ୟାହତ ରହିଛି। ରାଜ୍ୟରେ ବକାଶକୁ ଅବ୍ୟାହତ ରଖିବା ଉଭୟ ଦଳର ଏଜେଣ୍ଡାରେ ସାମିଲ ରହିଛି। ଅଥଚ ରମଜାନ ମାସରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ରମଜାନରେ ସୀମାନ୍ତରେ କୋହଳ ମନୋଭାବ ଅବଲମ୍ବନ କରିବା ପାଇଁ କେନ୍ଦ୍ରକୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ବ୍ୟତୀତ ୨୦୧୯ ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ୨୦୧୯ରେ କାଶ୍ମୀରରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଆଜି ପର୍ଯ୍ୟନ୍ତ ବିଜେପି କାଶ୍ମୀର ପ୍ରସଙ୍ଗରେ ପିଡ଼ିପି ନେତା ମେହେବୁବା ମୁଫତିଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରି ଆସିଛି। ରମଜାନ ମାସରେ ସୀମାନ୍ତରେ ସୁରକ୍ଷା କୋହଳ କରିବା ହେଉଁ କିମ୍ବା କାଶ୍ମୀରର କଟ୍ଟୋରପନ୍ଥୀ ନେତାଙ୍କ ସହ ଆଲୋଚନା ପ୍ରସଙ୍ଗ ହେଉ। ହେଲେ ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୋଦି ସରକାର ଜମ୍ମୁ କାଶ୍ମୀରରେ ନେବାକୁ ଥିବା କୌଣସି ନିଷ୍ପତ୍ତି ସେଠାକାର ବିଜେପି ନେତାଙ୍କ ପରାମର୍ଶ ବିନା ନେବାକୁ ଚାହୁଁ ନାହାନ୍ତି।
ସେହିପରି ଅମରନାଥ ଯାତ୍ରାକୁ ନେଇ ମଧ୍ୟ ବିଜେପି ଆଶଙ୍କାରେ ରହିଛି। ଅମରନାଥ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ରାଜ୍ୟପାଳ ଶାସନ ବଳବତ୍ତର କରିବା ଦିଗରେ ମଧ୍ୟ ବିଜେପି ଆଜିର ବୈଠକରେ ନିଷ୍ପତ୍ତି ନେବ। ରାଜ୍ୟପାଳ ଶାସନ ଲାଗୁ ହେଲେ ପିଡ଼ିପି ଓ ବିଜେପି ସମ୍ପର୍କରେ ତିକ୍ତତା ଆସିବାର ସମ୍ଭାବନାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ।