ବଳାତ୍କାର ସମ୍ପର୍କରେ ଟ୍ୱିଟ୍‍ କରି ଅଡ଼ୁଆରେ କାଶ୍ମୀରର ପ୍ରଥମ ଆଇଏଏସ୍‍ ଟପ୍ପର

0

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୦୧୦ରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ପ୍ରଥମ ଜାମ୍ମୁ-କାଶ୍ମୀର ପ୍ରାର୍ଥୀ ତଥା ଏହି ପାହ୍ୟାର ଆଇଏଏସ୍‍ ଅଫିସର ସାହା ଫୈଜଲ ଏକ ଟ୍ୱିଟ୍‍କୁ ନେଇ ଅଡ଼ୁଆରେ ପଡ଼ିଯାଇଛନ୍ତି। ସରକାର ତାଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏପ୍ରିଲ ୨୨ରେ ଫୈଜଲ ବଳାତ୍କାରକୁ ସମାଲୋଚନା ପୂର୍ବକ ଏକ ବିଶ୍ଳେଷଣାତ୍ମକ ଟ୍ୱିଟ୍‍ କରିଥିଲେ। ଏଥିରେ ପୁରୁଷ ପ୍ରାଧାନ୍ୟ, ଜନସଂଖ୍ୟା, ଅଶିକ୍ଷା, ମଦ, ଅଶ୍ଳୀଳତା, ବୈଷୟିକ ଜ୍ଞାନକୌଶଳ ଓ ସ୍ୱେଚ୍ଛାଚାରିତା ମିଶି ‘ରେପିସ୍ତାନ’ର ସୃଷ୍ଟି ବୋଲି ସେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ଏହା ଉପରେ ମନ୍ତବ୍ୟ ରଖିଛି ଯେ ଫୈଜଲ କାର୍ଯ୍ୟ କ୍ଷେତ୍ରରେ ସାଧୁତା ରଖିନାହାନ୍ତି କି ସରକାରୀ କାର୍ଯ୍ୟ ସଠିକ ଭାବେ ତୁଲାଇ ନାହାନ୍ତି। ସେ ଜଣେ ସରକାରୀ ଅଧିକାରୀ ଭାବେ ମଧ୍ୟ ବ୍ୟବହାର କରି ନାହାନ୍ତି। ତାଙ୍କର ଏଭଳି କାର୍ଯ୍ୟର ତଦନ୍ତ ହେବା ଆବଶ୍ୟକ। ଏହାର ପ୍ରତିକ୍ରିୟାରେ ଫୈଜଲ କହିଛନ୍ତି ଯେ ‘ବଳାତ୍କାର ସରକାରୀ ନୀତି ନିୟମର ଅନ୍ତର୍ଭୁକ୍ତ ନୁହେଁ; ବଳାତ୍କାର ଘଟଣାର ସମାଲୋଚନା କରିବା ଅର୍ଥ ସରକାରୀ ନୀତି ନିୟମର ସମାଲୋଚନା ନୁହେଁ। ଏଥିପାଇଁ କାହାକୁ ଦଣ୍ଡ ଦିଆଯାଇପାରିବ ନାହିଁ; ଯଦି ସେଭଳି ହୁଏ ତେବେ ମୁଁ ନିଜକୁ ଦୋଷୀ ବୋଲି ଭାବିବି। ବ୍ୟକ୍ତିଗତ ଭାବେ ବଳାତ୍କାର ସଂସ୍କୃତିକୁ ସମାଲୋଚନା କରି କିଛି ହାଲ୍‍କା ମନ୍ତବ୍ୟ ଦେବାକୁ ଅପରାଧ ବୋଲି ଭାବିବା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ। ଏହା ବ୍ରିଟିଶ ଅମଳର ମାନସିକତା।’ ରାଜ୍ୟ ଶକ୍ତି ଉନ୍ନୟନ ନିଗମର ନିର୍ଦେଶକ ଥିବା ଫୈଜଲ ସମ୍ପ୍ରତି ଫୁଲ୍‍ ବ୍ରାଇଟ୍‍ ବୃତ୍ତି ପାଇ ଆମେରିକାରେ ଗବେଷଣାରତ।

Leave A Reply