ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ବିକ୍ଷୋଭ ହିଂସାର ରୂପ ନେଇଛି। ପାକିସ୍ତାନର କାଶ୍ମୀରବାସୀ ରିଆତି ଦରରେ ଖାଦ୍ୟ, ବିଜୁଳି ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା ଦାବିରେ ବିକ୍ଷୋଭ ଚଳାଇଥିବାବେଳେ ସରକାର ସେମାନଙ୍କ ଉପରେ ବଳ ପ୍ରୟୋଗ କରିଛନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଲୋକେ ରାସ୍ତାଘାଟ ଅବରୋଧ କରିଥିବାବେଳେ ସେନା ଓ ପୁଲିସ ସେମାନଙ୍କୁ ରାସ୍ତାରୁ ହଟାଇବା ଲାଗି ଗୁଳିମାଡ କରିଛି। ସୁରକ୍ଷା ବାହିନୀଙ୍କ ଗୁଳିମାଡରେ ୧୨ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ଶତାଧିକ ଆହତ ହୋଇଛନ୍ତି।
ଅନ୍ୟପଟେ ଲୋକଙ୍କ ପାଲଟା ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେପ୍ଟେମ୍ବର ୨୯ ତାରିଖରେ ପିଓକେରେ ସରକାରୀ ବିରୋଧୀ ବିକ୍ଷୋଭ ଆରମ୍ଭ ହୋଇଥିଲା। ଅକ୍ଟୋବର ୨ରେ ଏହି ବିକ୍ଷୋଭ ହିଂସା ରୂପ ନେଇଥିଲା। ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବାହିନୀ ବଳ ପ୍ରୟୋଗ କରିଥିଲା। ଜାମ୍ମୁ-କାଶ୍ମୀର ଜଏଣ୍ଟ ଆୱାମୀ ଆକ୍ସନ କମିଟି (ଜେକେଜେଏଏସି) ପକ୍ଷରୁ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। ପିଓକେର ନିଲମ ଭ୍ୟାଲି ପବ୍ଲିକ ଆକ୍ସନ କମିଟି ଓ ଜଏଣ୍ଟ ଆକ୍ସନ ମାର୍କେଟ କମିଟି ସମର୍ଥନ କରି ସମସ୍ତ ପ୍ରକାର ଦୋକାନ ବଜାରକୁ ବନ୍ଦ କରିଥିଲା। ଚୌଧୁରୀ ଅନୱର ଉଲ୍ ହକ୍ଙ୍କ ନେତୃତ୍ବାଧୀନ ପିଓକେ ସରକାର ଲୋକଙ୍କ ଦାବିକୁ ପୂରଣ କରିବାରେ ବିଫଳ ହୋଇଥିବା ପବ୍ଲିକ ଆକ୍ସନ କମିଟି କହିଛି। ସେନା ଓ ପୁଲିସ ଗୁଳିରେ ୧୨ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ଖବରକୁ ଚୌଧୁରୀ ଅନୱର ଉଲ୍ ହକ୍ ଇସଲାମାବାଦରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବୀକାର କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପିଓକେବାସୀଙ୍କ ୯୦ ପ୍ରତିଶତ ଦାବିକୁ ଗ୍ରହଣ କରାଯାଇଛି। ମାତ୍ର ଦୁଇଟି ଦାବି ଯଥା କାଶ୍ମୀରୀ ଶରଣାର୍ଥୀଙ୍କ ପାଇଁ ବିଧାନସଭାରେ ସଂରକ୍ଷଣ ଥିବା ଆସନକୁ ଉଚ୍ଛେଦ କରିବା ଓ ବିଧାନସଭାରେ ମନ୍ତ୍ରୀ ସଂଖ୍ୟା ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି।
ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ତାରିକ ଫୈଜଲ ଚୌଧୁରୀ ପିଓକେରେ ଦେଖାଯାଇଥିବା ହିଂସାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କାଶ୍ମୀର ଭଳି ସ୍ବର୍ଗୀୟ ସ୍ଥାନ ରଣକ୍ଷେତ୍ର ପାଲଟିବା ଠିକ୍ ନୁହେଁ। ସରକାର ସମସ୍ତ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଆଗ୍ରହୀ। ପିଓକେରେ ଚାଲିଥିବା ବିକ୍ଷୋଭକୁ ନେଇ ଇସଲାମାବାଦ ପୁଲିସ ସ୍ଥାନୀୟ ନ୍ୟାସନାଲ ପ୍ରେସ କ୍ଲବ (ଏନପିସି)ରେ ଚଢଉ କରି ସାମ୍ବାଦିକଙ୍କୁ ମାଡ ମାରିଛି। କେତେକ କ୍ୟାମେରା ମ୍ୟାନଙ୍କ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ପୁଲିସ ଭଙ୍ଗାରୁଜା କରିଛି। ପିଓକେରେ ଚାଲିଥିବା ବିକ୍ଷୋଭକୁ ସମର୍ଥନ ଜଣାଇ ପିଓକେର ଓକିଲ ସଂଘ ଏନସିପିରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଚଳାଇଥିଲେ। ଏହା ଜାଣିବା ପରେ ପୁଲିସ ଏନପିସିରେ ଚଢଉ କରିଥିଲା। ଚଢଉକୁ ସାମ୍ବାଦିକମାନେ ବିରୋଧ କରିବାରୁ ପୁଲିସ ସେମାନଙ୍କୁ ମାଡ ମାରିଥିଲା। ଗୁରୁବାର ପୁଲିସ କରିଥିବା ଏପରି ବର୍ବର କାର୍ଯ୍ୟକୁ ସାମ୍ବାଦିକ ସଂଘ ନିନ୍ଦା କରିବା ସହିତ କଳା ଦିବସ ପାଳନ କରିଛି। ପାକିସ୍ତାନ ଫେଡେରାଲ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ପିଏଫ୍ୟୁଜେ) ପ୍ରେସ କ୍ଲବରେ କଳା ପତାକା ଉତ୍ତୋଳନ କରିଛି। ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି।



