ନୂଆଦିଲ୍ଲୀ: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତକି ଆଗାମୀ ସପ୍ତାହରେ ଭାରତ ଆସୁଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର କଟକଣା ମୁକ୍ତି ପରେ ତାଙ୍କୁ ୯ରୁ ୧୬ ଅକ୍ଟୋବର ମଧ୍ୟରେ ନୂଆଦିଲ୍ଲୀରେ ପହଞ୍ଚିବାକୁ ଅନୁମତି ଦିଆଯାଇଛି। ୨୦୨୧ରେ ତାଲିବାନ କ୍ଷମତା ହାସଲ ପରେ ଏହା ଆଫଗାନିସ୍ତାନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଏହି ଗସ୍ତ ଭାରତ-ଆଫଗାନିସ୍ତାନ ସମ୍ପର୍କ ମଜଭୁତ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଭାରତ ଆସିବା ପୂର୍ବରୁ ମୁତ୍ତକି ରୁଷ୍ ଯିବେ। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଭାରତ ଆସିବା ପାଇଁ ଅନୁମତି ପ୍ରଦାନ କରିଛି। କାତାରସ୍ଥିତ ତାଲିବାନର ରାଜନୈତିକ କାର୍ଯ୍ୟାଳୟ ପ୍ରମୁଖ ସୁହୈଲ ଶାହିନ ନିକଟରେ କହିଥିଲେ କି, ମୁତ୍ତକିଙ୍କ ଗସ୍ତ ଅନ୍ୟ ଦେଶ ସହ ବ୍ୟାପାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। ଯଦି ଯାତ୍ରା ସଫଳ ହୁଏ ତେବେ ଏହା ଭାରତ-ଆଫଗାନିସ୍ତାନ ସମ୍ପର୍କର ଐତିହାସିକ ମୁହୂର୍ତ୍ତ ହେବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଭାରତ ସହିତ ତାଲିବାନର ସମ୍ପର୍କ ଧୀରେ ଧୀରେ ବଢିବାରେ ଲାଗିଛି। କେବଳ ବିକାଶକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମୁତ୍ତକିଙ୍କ ସହ ଦୁଇ ଥର ଫୋନରେ ଆଲୋଚନା କରିଛନ୍ତି।



