ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ କାର୍ତ୍ତି

0

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା କାର୍ତ୍ତି ଚିଦମ୍ବରମ୍‌ଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ସୋମବାର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ମାର୍ଚ୍ଚ ୨୪ ପର୍ଯ୍ୟନ୍ତ କାର୍ତ୍ତି ବିଚାର ବିଭାଗୀୟ ହାଜତରେ ରହିବେ। ତାଙ୍କୁ ଅଧିକ ଜେରା କରିବାକୁ ସିବିଆଇ ମନା କରିବା ପରେ ସ୍ୱତନ୍ତ୍ର ବିଚାରପତି ସୁନୀଲ ରାଣା ଏହି ନିର୍ଦେଶ ଦେଇଛନ୍ତି। ତିହାର ଜେଲ୍‌ରେ ସ୍ୱତନ୍ତ୍ର ସେଲ୍‌ ଏବଂ ସୁରକ୍ଷା ବ୍ୟବସ୍ଥା ନେଇ କାର୍ତ୍ତି ଆବେଦନ କରିଥିଲେ। ମାତ୍ର ଜେଲ୍‌ର ନିୟମାବଳୀ ପାଳନ କରାଯିବ ବୋଲି ବିଚାରପତି କହିଛନ୍ତି। ମାର୍ଚ୍ଚ ୧୫ରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ। ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଦାୟର ଏକ ମାମଲାରେ ଜେଲ୍‌ରେ ଥିବା କାର୍ତ୍ତିଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଏସ୍‌. ଭାସ୍କରରମଣ ଏହି ମାମଲାରେ ଆଗୁଆ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଫେବୃଆରୀ ୨୮ରେ ଗିରଫ ହେବା ପରଠାରୁ ଇତିମଧ୍ୟରେ କାର୍ତ୍ତି ୧୨ ଦିନ ପୁଲିସ ହାଜତରେ କଟାଇ ସାରିଛନ୍ତି। ଆଇଏନ୍‌ଏକ୍ସ ମିଡିଆକୁ ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡର କ୍ଲିଅରାନ୍ସ କରାଇ ଦେବା ଲାଗି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା କାର୍ତ୍ତିଙ୍କ ବିରୋଧରେ ଅଭିଯୋଗ ରହିଛି।

Leave A Reply