କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରବିବାର ପ୍ରକାଶିତ ପ୍ରାର୍ଥୀ ତାଲିକାରେ ୧୧ଜଣଙ୍କ ନାମ ରହିଛି। ଘୋଷିତ ତାଲିକା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦୁଇଟି ସ୍ଥାନରୁ ନିର୍ବାଚନ ଲଢିବେ । ସିଦ୍ଧରମୈୟା ଚାମୁଣ୍ଡେଶ୍ୱରୀ ଓ ଦେବରାଜ ପାଟିଲଙ୍କ ବାଦାମି ଆସନରୁ ନିର୍ବାଚନ ଲଢିବେ। ସେହିପରି କେପି ଚନ୍ଦ୍ରକଳା ଏଚଏସ୍‌ ଚନ୍ଦ୍ର ମୌଲିଙ୍କ ଆସନରୁ ନିର୍ବାଚନ ଲଢିବେ । ଉଲ୍ଲେଖ ଯେ ଏଚ୍‌ଏସ୍‌ ଚନ୍ଦ୍ର ମୌଲି ହେଉଛନ୍ତି ପଳାତକ ଅଳଙ୍କାର ବ୍ୟବସାୟୀ ମେହୁଲ ଚୌକସୀଙ୍କ ଓକିଲ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ୨୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁସାରେ ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର ବରୁଣ ଆସନରୁ, ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡିଙ୍କ ଝିଅ ସୌମ୍ୟ ଜୟନଗର ଆସନରୁ ନିର୍ବାଚନ ଲଢିବେ। ଦୁଇଟି ଆସନରୁ ସିଦ୍ଧରମୈୟାଙ୍କ ନିର୍ବାଚନ ଲଢିବାକୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଗଡ଼ଗେ ସମର୍ଥନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଇଟି ଆସନରୁ ନିର୍ବାଚନ ଲଢି ସାରିଛନ୍ତି ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି । ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ୧୫ରେ ଭୋଟ ଗଣତି ହେବ। ଏପ୍ରିଲ ୨୪ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି।

Leave A Reply