କର୍ଣ୍ଣାଟକ ନାଟକ : ଆଜି ଶକ୍ତି ପରୀକ୍ଷା

0

ନୂଆଦିଲ୍ଲୀ : କର୍ଣ୍ଣାଟକ ନାଟକ ଶୁକ୍ରବାର ପୁଣି ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଛି। ପୂର୍ବ ଧାର୍ଯ୍ୟମତେ ସୁପ୍ରିମକୋର୍ଟ ଶୁକ୍ରବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ମାମଲାର ଶୁଣାଣି କରି କଂଗ୍ରେସ-ଜେଡି(ଏସ୍‍)ର ଦାବିକୁ ଗ୍ରହଣ କର ଆସନ୍ତାକାଲି ଶନିବାର ବିଧାନସଭାରେ ଶକ୍ତିି ପରୀକ୍ଷା ପାଇଁ ବି.ଏସ. ୟେଦୁରପ୍ପା ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ବିଜେପିକୁ ଧକ୍କା ହୋଇଛି। ବିଜେପିର ସମସ୍ତ ଦାବିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସୁପ୍ରିମକୋର୍ଟ ଘୋଡ଼ା ବେପାରକୁ ଅଟକାଇବା ଉଦ୍ଦେଶ୍ୟରେ ଶକ୍ତି ପରୀକ୍ଷା ପାଇଁ ରାଜ୍ୟପାଳ ଦେଇଥିବା ୧୫ଦିନର ଅବଧିକୁ ମାତ୍ର ୨୮ଘଣ୍ଟାରେ ସୀମିତ ରଖିଛନ୍ତି। ଶନିବାର ଅପରାହ୍ଣ ୪ଟାରେ ଶକ୍ତି ପରୀକ୍ଷା ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବି.ଏସ୍‍ ୟେଦୁରାପ୍ପା ଶକ୍ତି ପରୀକ୍ଷାର ଫଳାଫଳ ଘୋଷଣା ପର୍ଯ୍ୟନ୍ତ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି।
ବିଜେପି ପକ୍ଷରୁ ଶକ୍ତି ପରୀକ୍ଷା ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନିବେଦନ କରାଯାଇଥିଲେ ମଧ୍ୟ ବିଚାରପତି ଏହାକୁ ଗ୍ରହଣ କରି ନାହାନ୍ତି। ଏହାଛଡ଼ା କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଜଣେ ଲୋହିତ ଭାରତୀୟ ସଦସ୍ୟଙ୍କୁ ବିଧାନସଭାକୁ ମନୋନୀତ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତା’ଉପରେ ମଧ୍ୟ ସୁପ୍ରିମକୋର୍ଟ ରୋକ୍‍ ଲଗାଇଛନ୍ତି। ଶକ୍ତି ପରୀକ୍ଷା ପର୍ଯ୍ୟନ୍ତ କର୍ଣ୍ଣାଟକ ପୁଲିସ ମହାନିର୍ଦେଶକ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବେ ବୋଲି ସୁପ୍ରିମକୋର୍ଟ ତାଙ୍କ ନିର୍ଦେଶନାମାରେ କହିଛନ୍ତି। କେଉଁ ପଦ୍ଧତିରେ ଶକ୍ତି ପରୀକ୍ଷା ହେବ ତାହା ଅସ୍ଥାୟୀ ବାଚସ୍ପତି ସ୍ଥିର କରିବେ।
ଗୁପ୍ତ ଭୋଟିଂ ଦ୍ୱାରା ଶକ୍ତି ପରୀକ୍ଷା ନିମନ୍ତେ ଆଟର୍ଣ୍ଣି ଜେନେରାଲଙ୍କ ନିବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ଏହି ରାୟକୁ ସ୍ୱାଗତ କରାଯାଇଛି।
ବିଚାରପତି ଅର୍ଜନ କୁମାର ସିକ୍ରି, ଅଶୋକ ଭୂଷଣ ଓ ଶରଦ ଅରବିନ୍ଦ ବୋଡ୍‍ବେଙ୍କୁ ନେଇ ଗଠିତ ପୀଠ ପ୍ରାୟ ଦେଢ଼ ଘଣ୍ଟାର ଶୁଣାଣିବେଳେ ଉଭୟ ପକ୍ଷ କୋର୍ଟ ଚାହିଁବା ମୁତାବକ ସମସ୍ତ ତଥ୍ୟ ଓ ବିଧାୟକଙ୍କ ତାଲିକା ଉପସ୍ଥାପନ କରିଥିଲେ। ତେବେ ଏହି ତାଲିକା ବାହାରେ ପ୍ରକାଶଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ। କୋର୍ଟ ଦେଇଥିବା ରାୟ ଆଧାରରେ ରାଜ୍ୟପାଳ ବାଲା ଶନିବାର ପୂର୍ବାହ୍ଣ ୧୧ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିଛନ୍ତି। ଏଥିସହିତ ଅସ୍ଥାୟୀ ବିଚାରପତି ଭାବେ ବିଜେପିର ମନୋନୀତ କେ.ବି ବୋପୈୟାଙ୍କୁ ନିଯୁକ୍ତି ଦେଇଛନ୍ତି। ବିଧାନସଭାରେ ନବନିର୍ବାଚିତ ବିଧାୟକମାନେ ପ୍ରଥମେ ଶପଥ ଗ୍ରହଣ କରିବା ପରେ ଅପରାହ୍ଣରେ ଶକ୍ତି ପରୀକ୍ଷା ହେବ। ରାଜ୍ୟ ବାହାରେ ଥିବା ବିଧାୟକମାନେ ସକାଳ ସୁଦ୍ଧା ବେଙ୍ଗାଲୁରୁରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଅନ୍ୟ ଘଟଣାକ୍ରମେ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ଅସ୍ଥାୟୀ ବିଚାରପତିଙ୍କୁ ନେଇ ନୂଆ ଝଡ଼ ଉଠିଛି। କେ.ବି ବୋପୈୟାଙ୍କ ଭଳି ବିବାଦୀୟ ବ୍ୟକ୍ତି ଗଣତନ୍ତ୍ରକୁ ହତ୍ୟା କରିବେ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ବିରୋଧରେ କଂଗ୍ରେସ ଓ ଜେଡିଏସ୍‌ ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଶନିବାର ପୂର୍ବାହ୍ନ ୧୦.୩୦ରେ ଏହାକୁ ସୁପ୍ରିମକୋର୍ଟଙ୍କ ୩ଜଣିଆ ପୀଠ ଶୁଣାଣି କରିବେ।
ରାୟ ପ୍ରକାଶ ପରେ କୋର୍ଟ ବାହାରେ ବିଜେପି ନିଶ୍ଚୟ ଶକ୍ତି ପରୀକ୍ଷାରେ ବିଜୟ ହାସଲ କରିବ ବୋଲି ଏହାର ନେତାମାନେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍‍ଡେକର କହିଛନ୍ତି ଯେ ବିଜେପି ପ୍ରତି କଂଗ୍ରେସର ୪ ଓ ଅନ୍ୟ ତିନି ବିଧାୟକଙ୍କ ସମର୍ଥନ ରହିଛି। ଅପରପକ୍ଷରେ କଂଗ୍ରେସ-ଜେଡି(ଏସ୍‍) ମେଣ୍ଟ ମଧ୍ୟ ଶକ୍ତି ପରୀକ୍ଷାରେ ବିଜୟ ହାସଲ କରିବେ ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି। ସେମାନଙ୍କ ନିକଟରେ ୧୧୬ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଇଛି।
ଅପରପକ୍ଷରେ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିର ପରିହାସ ପୂର୍ବକ ବିହାର, ଗୋଆ ମଣିପୁରରେ ସଂଖ୍ୟାଗରିଷ୍ଠ ଦଳର ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାକୁ ଦାବି ଜଣାଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଦେଶ ତମାମ ‘ଗଣତନ୍ତ୍ର ସୁରକ୍ଷା ଦିବସ’ ପାଳନ କରାଯାଇଛି। ପ୍ରତିରାଜ୍ୟରେ ଦଳର ନେତାମାନେ ରାଜ୍ୟପାଳଙ୍କୁ ଭେଟି ଏହି ମର୍ମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Leave A Reply