କର୍ଣ୍ଣାଟକରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ସକାଳର ସମସ୍ତ କଳ୍ପନାଜଳ୍ପନାକୁ ଅପରାହ୍ଣ ସୁଦ୍ଧା ଓଲଟପାଲଟ କରିଦେଇଛି। ସକାଳର ଫଳାଫଳ ଆଧାରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଏକକ ସଂଖ୍ୟାଗରିଷ୍ଠ ଦଳ ବିଜେପିକୁ ଅପରାହ୍ଣରେ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଛି। କଂଗ୍ରେସ ସହାୟତାରେ ଏଚ୍‍.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜନତା ଦଳ(ଏସ୍‍) ବା ଜେଡିଏସ୍‍ ସରକାର ଗଠନ ପାଇଁ ରାଜ୍ୟପାଳ ବିଜୁଭାଇ ବାଲାଙ୍କ ନିକଟରେ ତୁରନ୍ତ ଦାବି ଉପସ୍ଥାପନ କରିଛି। ଅପରପକ୍ଷରେ ଏକକ ସଂଖ୍ୟାଗରିଷ୍ଠ ଦଳର ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍ ୟେଦୁରାପ୍ପା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛି। ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ସୁଯୋଗ ଦେବାକୁ ସେ ରାଜ୍ୟପାଳଙ୍କୁ ଗୋଟିଏ ସପ୍ତାହ ସମୟ ମାଗିଛନ୍ତି। ରାଜ୍ୟପାଳ ଏହି ସୁଯୋଗରୁ ବଞ୍ଚିତ କଲେ ଜେଡି(ଏସ୍‍) ଅଦାଲତକୁ ଯିବାର ପ୍ରସ୍ତୁତି ମଧ୍ୟ ଚଳାଇଛି। ବସ୍ତୁତଃ ସରକାର ଗଠନର ବଲ୍‍ ଏବେ ରାଜ୍ୟପାଳଙ୍କ କୋର୍ଟରେ ଥିଲାବେଳେ ଶେଷ ଖବର ଅନୁଯାୟୀ, କୁମାରସ୍ୱାମୀଙ୍କୁ ଅପେକ୍ଷା କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ଏବଂ ବିଜେପି ନେତା ବି.ଏସ୍‍ ୟେଦୁରାପ୍ପାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ୟେଦୁରାପ୍ପାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ରାଜ୍ୟପାଳ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ସମ୍ଭବତଃ ଆସନ୍ତା ୧୭ତାରିଖରେ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ନିର୍ବାଚନ ଫଳାଫଳ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।
ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ସକାଳେ ଭୋଟଗଣତି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ସୁଦ୍ଧା ଘଟିଥିବା ଅଗ୍ରଗତି ଅନୁସାରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବାର ସମସ୍ତ ସମ୍ଭାବନା ସୃଷ୍ଟି ହୋଇଥିଲା। ଏପରିକି ପ୍ରାରମ୍ଭିକ ଫଳାଫଳ ନେଇ ବିଜେପି ଶିବିର ଉଲ୍ଲସିତ ହୋଇଉଠିଥିଲା। ପୂର୍ବାହ୍ଣ ପ୍ରାୟ ୧୧ଟାବେଳକୁ ବିଜେପି ୧୨୦ରୁ ଅଧିକ ଆସନରେ ଅଗ୍ରଣୀ ଲାଭ କରିଥିବା ଦେଖି ବେଙ୍ଗାଲୁରୁ ଓ ଦିଲ୍ଲୀରେ ବିଜେପି କର୍ମକର୍ତ୍ତାମାନେ ନୃତ୍ୟ ଓ ଆତସବାଜି ଜରିଆରେ ବିଜୟ ଉତ୍ସବ ପାଳନ କରୁଥିବା ଲକ୍ଷ୍ୟ କରାଯାଇଥିଲା। ବିଜେପି ପକ୍ଷରୁ ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଦଳୀୟ ସଭାପତି ଅମିତ ଶାହା ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳତା ପାଇଁ ଭୋଟରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ; କିନ୍ତୁ ଅପରାହ୍ଣକୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଚୂଡ଼ାନ୍ତ ଫଳାଫଳ ଆସିବାବେଳକୁ ବିଜେପିର ସଂଖ୍ୟା ହ୍ରାସ ପାଇଁ ୧୦୪ରେ ପହଞ୍ଚିଥିଲା; ଯାହାକି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବରଠାରୁ ମାତ୍ର ୮ଟି ପଛରେ ରହିଥିଲା।
ନିର୍ବାଚନ ଫଳାଫଳରେ ପୂର୍ବାନୁମାନ ଅନୁସାରେ କାହାରିକୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ମିଳି ନଥିଲେ ମଧ୍ୟ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ନିର୍ବାଚନ ହୋଇଥିବା ମୋଟ ୨୨୨ଆସନରୁ ବିଜେପିକୁ ୧୦୪ଟି ଆସନ ମିଳିଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସକୁ ୭୮ ଓ ଜେଡି(ଏସ୍‍)କୁ ୩୮ ଆସନ ମିଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ସ୍ୱାଧୀନ ଓ ଅନ୍ୟାନ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ଗଠନରେ ସ୍ୱାଧୀନ ଓ ଅନ୍ୟମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର କୌଣସି ସୁଯୋଗ ନଥିବା ସ୍ପଷ୍ଟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅବଶିଷ୍ଟ ଦୁଇଟି ଆସନରେ ଆସନ୍ତା ୨୮ତାରିଖରେ ନିର୍ବାଚନ ହେବ।
କୌଣସି ଦଳ ମ୍ୟାଜିକ ନମ୍ବର ନ ଛୁଇଁବା ଫଳରେ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ କଂଗ୍ରେସ ଏହାର ଭରପୂର ସୁଯୋଗ ଉଠାଇଛି। ବିଜେପିକୁ ପାନେ ଚଖାଇବା ପାଇଁ ଗୋଆ ଓ ମଣିପୁରରେ କରିଥିବା ଭୁଲ୍‍ରୁ ଶିକ୍ଷାଲାଭ କରି ଜେଡିଏସ୍‍କୁ ସରକାର ଗଠନ ପାଇଁ ତୁରନ୍ତ ସମର୍ଥନ ଘୋଷଣା କରିଛି। ଏହି ଦୁଇ ରାଜ୍ୟରେ ବିଜେପି ଯେଉଁ ଖେଳ ଖେଳିଥିଲା, ଏଠାରେ କଂଗ୍ରେସ ସମାନ ଭାବରେ ଖେଳଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଜେପିକୁ ସରକାର ଗଠନରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ତୁରନ୍ତ ଜେଡି(ଏସ୍‍)କୁ ସମର୍ଥନ ଘୋଷଣା କରିବାର ପ୍ରସ୍ତାବ ଦେବା ଫଳରେ ଖେଳ ବଦଳିଯାଇଛି। ସୋନିଆ ତାଙ୍କ ପ୍ରସ୍ତାବରେ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରି ମିଳିତ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାରି ବଳରେ ତୃତୀୟ ସ୍ଥାନରେ ରହି ‘କିଙ୍ଗ୍‍ ମେକର୍‍’ ହେବାକୁ ଥିବା ଜେଡିଏସ୍‍ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। ଏହାର ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ‘କିଙ୍ଗ୍‍’ ହେବା ପାଇଁ ପାଗ ବାନ୍ଧିଛନ୍ତି।
ଉଲ୍ଲେଖଯୋଗ୍ୟ କି ପାଞ୍ଚ ବର୍ଷର ବ୍ୟବଧାନ ପରେ ବିଜେପି ଦାକ୍ଷିଣାତ୍ୟ ରାଜନୀତିରେ ପୁଣିଥରେ ପ୍ରଭାବ ଜାହିର କରିଛି। ୨୦୦୮ରେ ପ୍ରଥମ ଥର ପାଇଁ ପ୍ରଥମ ଦାକ୍ଷିଣାତ୍ୟ ରାଜ୍ୟ ଭାବେ କର୍ଣ୍ଣାଟକରେ ବିଜେପି ୟେଦୁରାପ୍ପାଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା। ଏବେ ପୁନର୍ବାର ତାଙ୍କରି ନେତୃତ୍ୱରେ କ୍ଷମତାକୁ ଫେରିବା ପାଇଁ ପ୍ରୟାସ ଚଳାଇଛି। ଏଥିରେ ସଫଳ ହେଲେ ବିଜେପିକୁ ଦାକ୍ଷିଣାତ୍ୟରେ ପ୍ରଭାବ ବିସ୍ତାର ପାଇଁ ସୁଯୋଗ ମିଳିଯିବ। ଅପରପକ୍ଷରେ କଂଗ୍ରେସର ସର୍ବଭାରତୀୟ ସଭାପତି ହେବା ପରେ ରାହୁଲ ଗାନ୍ଧି ତାଙ୍କ ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି। ଫଳରେ କଂଗ୍ରେସ ହାତରୁ ଆଉଗୋଟିଏ ରାଜ୍ୟ ଖସିଯାଇ କେବଳ ପଞ୍ଜାବ, ପୁଡୁଚେରୀ ଓ ମିଜୋରାମରେ କେବଳ ସୀମାବଦ୍ଧ ରହିଛି।

Leave A Reply