ଚାଉଳସୁଖାରେ ଦୁଗ୍ଧଚାଷୀଙ୍କ ପାଇଁ ଦିନଟିଏ କାର୍ୟ୍ୟକ୍ରମ; ‘ସଚେତନତା ର ଏକ ଅଭିନବ ପ୍ରୟାସ’
କଣ୍ଟାବାଞ୍ଜିତା:ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ଚାଉଳସୁଖା ପଞ୍ଚାୟତ ସଦର ମହକୁମାରେ ଥିବା ମା ଝରିଆଣୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ପରିସରରେ ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ସାଧାରଣ ପରିଚାଳକ ଡ଼ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ତଥା ବିକେଏନ ପ୍ରଶାସକ ଚଞ୍ଚଳ ରାଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୁଗ୍ଧ ଚାଷୀମାନଙ୍କ ପାଇଁ ଥିବା ବିଭିନ୍ନ ପ୍ରକାରର ଲାଭାନ୍ୱିତ ଯୋଜନା ସମ୍ପର୍କରେ ସୂଚନା ଦେଇ ଚାଷୀମାନେ କିଭଳି ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ନ ଯାଇ ସ୍ୱାବଲମ୍ବୀ ହେବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।
ଏଥିରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ବଲାଙ୍ଗୀର ସିଡିଭିଓ ସନ୍ତୋଷ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲାପାଳ ଦୁଗ୍ଧ ସମିତି ବୁଲି ଦେଖିବା ସହ ଟେଲି ସର୍ଭିସିଂ ତଥା ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ନେଇ ଖୁସି ବ୍ୟକ୍ତ କରିବା ସହ ସଫଳ ଦୁଗ୍ଧଚାଷୀଙ୍କୁ ପୁରସ୍କୃତ କରିଥିଲେ। ଜଣେ ଦୁଗ୍ଧଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨୦ଲକ୍ଷ ପର୍ୟ୍ୟନ୍ତ ସବସିଡ଼ି ପ୍ରଦାନ କରିଥିଲେ। ଏହି ଅବସରରେ ପାଖରେ ଥିବା ୩ଟି ଗ୍ରାମରେ ଗୋ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା।
ଏଥିରେ ଚାଉଳସୁଖା ଦୁଗ୍ଧ ଉତ୍ପାଦକ ସମିତି ସଭାପତି ଯୁଧିଷ୍ଠିର ଜାଲ,ସମ୍ପାଦକ ତ୍ରିନାଥ ମେହେରଙ୍କ ସହ ଜିଲାର ସମସ୍ତ ଦୁଗ୍ଧ ସଂଗ୍ରହ କର୍ମଚାରୀ, ସମସ୍ତ ସମ୍ପାଦକ, ପ୍ରାଣିଚିକିତ୍ସା ବିଭାଗ କର୍ମଚାରୀ, ଶତାଧିକ ଦୁଗ୍ଧଚାଷୀ ପ୍ରମୁଖ ଯୋଗ ଦେଇ ସମ୍ପୂର୍ଣ୍ଣ ଗୋଟିଏ ଦିନ ଦୁଗ୍ଧଚାଷୀଙ୍କ ନିମନ୍ତେ ଉତ୍ସର୍ଗ କରିଥିଲେ।
Comments are closed.