ଭିଡିଓକୁ ନେଇ ରାଜନୀତି ବନ୍ଦ ହେଉ : ପଦ୍ମଶ୍ରୀ କମଳା
ଜୟପୁର : ମୁଁ ଜଣେ ସରଳ ଆଦିବାସୀ। ଗତ ଅଗଷ୍ଟ ୨୧ରେ ଅସୁସ୍ଥ ଥିଲି। କୋରାପୁଟରୁ କଟକ ବଡ଼ ଡାକ୍ତରଖାନା ଯାଇ ସୁସ୍ଥ ହୋଇ ଘରରୁ ଫେରିଛି। ବଡ଼ ଡାକ୍ତରଖାନାରେ ଢେମେସା ନାଚର ମାତ୍ର ୩୧ ମିନିଟର ଭିଡିଓକୁ ଦେଖାଇ ଯେଉଁ ରାଜନୀତି ହେଉଛି, ତାହାକୁ ବନ୍ଦ କରାଯାଉ ବୋଲି ପଦ୍ମଶ୍ରୀ କମଳା ପୂଜାରୀ କହିଛନ୍ତି। ବଡ଼ ଡାକ୍ତରଖାନାକୁ ପଦ୍ମଶ୍ରୀ କମଳାଙ୍କୁ ସ୍ଥାନାନ୍ତରିତ କରାଯିବା ସମୟରେ ସାଥୀରେ ରାଜୀବ ହିଆଲ ଯାଇଥିଲେ। ଭିଡଓ ସେ ଉତ୍ତୋଳନ କରି ନ ଥିବା ଏବଂ ଏହାର ତଦନ୍ତ କରିବାକୁ ସେ ଦାବିକରି ଜୟପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଜୀବଙ୍କ ସାଥୀରେ ଥିବା କମଳାଙ୍କ ନାତି ଏତଲା ଦେଇ ନ ଥିବା ଜଣାପଡ଼ିଛି। କଟକରେ ୨୫ ତାରିଖରେ ଭର୍ତ୍ତି ହୋଇ ୩୦ ତାରିଖରେ ପଦ୍ମଶ୍ରୀ କମଳା ଘରକୁ ଫେରିଥିଲେ। ଡାକ୍ତରଖାନାରେ କମଳାଙ୍କୁ ନଚା ଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। କମଳାଙ୍କୁ ଜବରଦସ୍ତି ନଚାଇବା ଠିକ ହୋଇନାହଁ ବୋଲି ଆଦିବାସୀ ପରଜା ବିକାଶ ପରିଷଦର ଅଧ୍ୟକ୍ଷ ହରିଶ ମୁଦୁଲି ଅଭିଯୋଗ ଆଣିଥିଲେ। ଏହାପରେ ଭୁମିଆ ସମାଜ ତରଫରୁ ଏହି ନାଚ ବିରୋଧରେ ଅଭିଯୋଗ ଉଠାଇ ଜୟପୁର ଉପଜିଲାପାଳଙ୍କ ନିକଟରେ ତଦନ୍ତ ଦାବି କରାଯାଇଥିଲା। ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତଦନ୍ତ ପରେ ଯାହା କିଛି କହିହେବ ବୋଲି ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଏସଆଇ ସଞ୍ଜିବ ମହାନ୍ତି ପ୍ରକାଶ କରିଛନ୍ତି।
Comments are closed.