ସାଂସଦଙ୍କ ଆହ୍ବାନକ୍ରମେ ଏକ ଘଣ୍ଟା ଜାତୀୟ ରାଜପଥ ଅବରୋଧ

କାମାକ୍ଷାନଗର: ଅବିଭକ୍ତ ଢେଙ୍କାନାଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୩, ୫୫, ୧୪୯ ନିର୍ମାଣରେ ଅହେତୁକ ବିଳମ୍ବ ଏବଂ ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁ ପ୍ରାୟଦିନ ଅନେକ ଧନଜୀବନ ନଷ୍ଟ ହେବା ସହ ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଅବିଭକ୍ତ ଢେଙ୍କାନାଳ ଜିଲା ଅର୍ଥନୈତିକ ଦୃଷ୍ଟିକୋଣରୁ ଖଣିଖାଦାନ ଭରା ଜିଲା। ଯାହାକି କେନ୍ଦ୍ର ସରକାରଙ୍କ କୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଭେଟି ଦେଇଥାଏ। ତେବେ ସର୍ବଦା ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଲାଗି ତତ୍ପର ଥିବା ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁ ରାଜପଥ ନିର୍ମାଣ ବିଳମ୍ବ ଏବଂ ଜନସାଧାରଣ ଭୋଗୁଥିବା କଷ୍ଟକୁ ନେଇ ସଂସଦରେ ବହୁବାର ତଥ୍ୟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ସାକ୍ଷାତ କରି ବାରମ୍ବାର ଦାବିପତ୍ର ପ୍ରଦାନ କରିଥିବା ସତ୍ତ୍ବେ ସ୍ଥିତି ପରିବର୍ତ୍ତନ ହୋଇପାରୁ ନ ଥିବା ଦେଖିବାକୁ ମିଳୁଛି। ଏହାକୁ ସାସଂଦ ଦୃଢ ନିନ୍ଦା କରିବା ସହିତ ଜାତୀୟ ରାଜପଥ ପ୍ରାଧିକରଣ ମନମାନୀ ନୀତି ବିରୁଦ୍ଧରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ଏକ ଘଣ୍ଟା ଜାତୀୟ ରାଜପଥ ଅବରୋଧ ନିଷ୍ପତ୍ତି ନେଇଥିଲେ। ସାଂସଦଙ୍କ ଆହ୍ବାନକ୍ରମେ ଭୁବନଠାରେ ଜାତୀୟ ରାଜପଥ ୫୩କୁ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ଅବାରୋଧ କରାଯାଇଛି। ଏଥିରେ ଜାତୀୟ ରାଜପଥ ପ୍ରାଧିକରଣ ବିରୁଦ୍ଧରେ ବିଜୁ ଜନତାଦଳର ଶତାଧିକ କର୍ମୀ ଓ ଜନସାଧାରଣ ନାରାବାଜୀ କରିଥିଲେ। ପରିଶେଷରେ ଭୁବନ ତହସିଲଦାରଙ୍କ ନିକଟରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

Comments are closed.