କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଭୁବନେ ଥାନା ଅନ୍ତର୍ଗତ କୁମ୍ଭାର ସାହିରେ ଜମି ଭାଗ ବଣ୍ଟା ନେଇ ଦାଦା ଆକ୍ରମାଣରେ ପୁତୁରା ଓ ଭାଉଜ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବ୍ରଜବନ୍ଧୁ ସାହୁଙ୍କ ସ୍ତ୍ରୀ ଓ ଦୁଇ ପୁଅ ବୋହୁଙ୍କୁ ନେଇ ପରିବାର। ବହୁ ଦିନ ହେବ ବ୍ରଜବନ୍ଧୁଙ୍କ ସାନ ଭାଇ ରମେଶଙ୍କ ସହିତ ଜମିବାଡି ଭାଗବଣ୍ଟାକୁ ନେଇ କଳହ ଲାଗିରହିଥିଲା। ତେବେ ଆଜି ବ୍ରଜବନ୍ଧୁ ଧାନ ବିଲକୁ ଚାଷ ପାଇଁ ଯାଇଥିବାରୁ ଘରେ ତାଙ୍କର ସାନ ପୁଅ ମାନସ ଏବଂ ସ୍ତ୍ରୀ ବିଜୁଳି ଘରେ ଥିଲେ। ଏହି ସୁଯୋଗରେ ସାନ ଭାଇ ରମେଶ, ତାଙ୍କ ସ୍ତ୍ରୀ ଓ ପୁଅ ହାପି ମିଶି ବ୍ରଜବନ୍ଧୁଙ୍କ ପରିବାର ଉପରେ ପନିକି ଧରି ଆକ୍ରମଣ କରିଥିଲେ। ତେ ଏହି ଆକ୍ରମଣରେ ବ୍ରଜବନ୍ଧୁଙ୍କ ସ୍ତ୍ରୀ ବିଜୁଳୀ ସାହୁ ଓ ସାନ ପୁଅ ମାନସ ଗୁରୁତର ହୋଇ ତଳେ ପଡିଯାଇଥିଲେ। ମାଆପୁଅଙ୍କୁ ପନିକିରେ ହାଣିବା ପରେ ଅଭିଯୁକ୍ତ ରମେଶ ସାହୁ ଏବଂ ତାର ସ୍ତ୍ରୀ ଓ ପୁଅ ହାପି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗୁରୁତର ମାଆପୁଅଙ୍କୁ ପଡୋଶୀ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାଆପୁଅଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଫେରାର ହେବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତଙ୍କୁ ଧରି ସ୍ଥାନୀୟ ଲୋକେ ପୁଲିସ ଜିମାରେ ଦେଇଥିଲେ। ଏ ସଂକ୍ରାନ୍ତରେ ଭୁବନ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।



