କାମାକ୍ଷାନଗର: କାମାକ୍ଷାନଗର ପୁଲିସର ମିଳିଛି ବଡ ସଫଳତା। ଡକାୟତି ପାଇଁ ଉଦ୍ୟମ କରୁଥିବା ଏବଂ ଦାଦା ବଟି ମାଗିବା ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବିପୁଳ ପରିମାଣର ବୋମା ତିଆରି ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରାଯାଇଛି ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ କାମାକ୍ଷାନଗର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ସୂଚନା ଦେଇଛନ୍ତି।
ଗତ ରାତିରେ କାମାକ୍ଷାନଗର ଥାନା ଅଧିକାରୀ ଓ ତାଙ୍କ କର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିବା ବେଳେ ୬ ଜଣ ବ୍ୟକ୍ତି ଜିରାଳ କଲେଜ କାଜୁ ପଡିଆ ନିକଟରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ପୁଲିସ ୫ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ତେବେ ଘଟଣାସ୍ଥଳରେ ପୁଲିସକୁ ଦେଖି ଜଣେ ଜଣେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ପୁଲିସ ସେମାନଙ୍କ ଠାରୁ ୨ ଟି ବାଇକ, ଗୋଟିଏ ରିଭଲବର, ୨ଟି ଅଫୁଟା ଗୁଳି, ୨ ଟି ଷ୍ଟିଲ ଛୁରୀ ଓ ଗୋଟିଏ ଖଣ୍ଡା ସହ ବିପୁଳ ପରିମାଣର ବୋମା ତିଆରି ସରଞ୍ଜାମ ଜବତ କରାଯାଇଛି।
ଡକାୟତ ମାନେ ହେଲେ ରଜନୀକାନ୍ତ ମଲିକ, ବାଦଲ ମଲିକ, ନୀଳକାନ୍ତ ମଲିକ, ସୁଶାନ୍ତ ମଲିକ ଓ ଅଜିତ ମଲିକ ଏବଂ ସେମାନଙ୍କ ଘର କାମାକ୍ଷାନଗର ଥାନା ଗୋରଡିଆ ଗ୍ରାମର ବୋଲି ଜଣାପଡିଛି। ସେମାନେ ବାଲି ଚତୁରୀ ଠାରେ ନିର୍ମାଣଧୀନ ପୋଲର ଠିକାଦାର ଏସପି ସିଂଙ୍ଘଲଙ୍କ ଠାରୁ ପୁର୍ବରୁ ଦାଦାବଟି ମାଗିଥିଲେ। ଗତକାଲି ରାତିରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ। ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ଏସଡିପିଓ ଶ୍ରୀ ଦେଓ ପ୍ରକାଶ କରିଛନ୍ତି।



