ପୃଥିବୀରେ ଏକମାତ୍ର ବେରଙ୍ଗ କାମ ପକ୍ଷୀ; ଠିକଣା ମଙ୍ଗଳାଯୋଡି

୩ ଜଣିଆ ଓଡ଼ିଆ ଗବେଷକ ଟିମଙ୍କ ଗବେଷଣା ପ୍ରକାଶିତ ହେଲା ବିଶ୍ବ ପ୍ରସିଦ୍ଧ ଆନ୍ତର୍ଜାତିକ ଜର୍ନାଲରେ

ଭୁବନେଶ୍ବର: ଗ୍ରେ-ହେଡେଡ ସ୍ଵାମ୍ପ ହେନ ବା ପର୍ପଲ ମୁର ହେନକୁ ଓଡ଼ିଆରେ କାମ ପକ୍ଷୀ ବୋଲି କୁହାଯାଏ । ଏହି ପକ୍ଷୀର ଦେହ ବାଇଗଣୀ-ନୀଳ ରଙ୍ଗର ହେବା ସହ, ନାଲି ରଙ୍ଗର ବଡ ଥଣ୍ଟ ଥାଏ। ଓଡ଼ିଶା ସମେତ ପ୍ରାୟ ସମସ୍ତ ରାଜ୍ୟରେ ଏହି କାମ ପକ୍ଷୀ ଦେଖିବାକୁ ମିଳନ୍ତି । ଏହି ପକ୍ଷୀର ବୈଜ୍ଞାନିକ ନାମ ପରଫାଇରିଓ ପୋଲିଓସେଫାଲସ୍। ଏହି ପରଫାଇରିଓ ଜେନସରେ ବେରଙ୍ଗ ଉଦାହରଣ କେବଳ ଅଷ୍ଟ୍ରେଲିଆ ମହାଦେଶରେ ରେକର୍ଡ କରଯାଇଥିଲା। ତେବେ ୨୦୧୯-୨୦ ମସିହାରେ ଚିଲିକାର ମଙ୍ଗଳାଯୋଡିଠାରେ ଏକ ଧଳା ରଙ୍ଗର ପକ୍ଷୀ ଏକ ସାଧାରଣ ରଙ୍ଗର କାମ ପକ୍ଷୀ ସହିତ ବୁଲିବା ଲକ୍ଷ୍ୟ କରାଯାଇଥିଲା। କିଛି ଫଟୋଗ୍ରାଫର ତଥା ପକ୍ଷୀ ପ୍ରେମୀ ସେହି ବିରଳ ବେରଙ୍ଗ କାମ ପକ୍ଷୀର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ। ତେବେ ୨୦୨୦ ମସିହା ମାର୍ଚ୍ଚ ୪ ତାରିଖ ଦିନ ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ବାର୍ଡ ଗାଇଡ ମଧୁ ବେହେରାଙ୍କ ସହିତ ଯାଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ ଏବଂ ବନ୍ୟ ପ୍ରାଣୀ ଫଟୋଗ୍ରାଫର ତଥା ଆର୍କିଟେକ୍ଟ ଶକ୍ତି ନନ୍ଦ ସେଇ ବିରଳ ଧଳା କାମ ପକ୍ଷୀକୁ ନିରୀକ୍ଷଣ କରିବା ସହିତ ଫଟୋ ମଧ୍ୟ ଉଠାଇଥିଲେ। ଅବଶ୍ୟ ତାର ନାଲି ଆଖି ଏବଂ ଧଳା ରଙ୍ଗ ଦେଖି ପ୍ରଥମେ ସେମାନେ ଏହାକୁ ଏକ ଆଳବିନୋ ବୋଲି ଚିହ୍ନଟ କରିଥିଲେ, ଯାହାକି ଭୁଲ ଥିଲା। ତେବେ ଏହା ଉପରେ ଅଧିକ ଗବେଷଣା ଜାରି ରଖିଥିଲେ ୩ ଜଣ ଓଡ଼ିଆ ଗବେଷକଙ୍କ ଟିମ। ଏହି ଟିମରେ ଶୁଭେନ୍ଦୁ ମଲ୍ଲିକ, ଶକ୍ତି ନନ୍ଦଙ୍କ ସହିତ ଏସିଏଫ ଆଶୁତୋଷ ମଲ୍ଲିକ ମଧ୍ୟ ସାମିଲ ହୋଇଥିଲେ। ସାରା ପୃଥିବୀର ରିପୋର୍ଟକୁ ପରୀକ୍ଷା କରିବାରୁ କେଉଁଠି ହେଲେ ଏହି କାମ ପକ୍ଷୀର ବେରଙ୍ଗ ହେବାର ଉଦାହରଣ କେଉଁ ବହି ବା ଜର୍ନାଲରେ ଉଲ୍ଲେଖ ନଥିଲା। ତେବେ ସେଇ ଗବେଷଣାକୁ ସ୍ୱୀକୃତି ମିଳିଛି ଏବଂ ମଙ୍ଗଳାଯୋଡିରେ ଥିବା ଧଳା କାମ ପକ୍ଷୀଟି ସାରା ପୃଥିବୀରେ ଏକମାତ୍ର ବେରଙ୍ଗ ଉଦାହରଣ ବୋଲି ୩ ଏପ୍ରିଲ ୨୦୨୨ରେ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଆନ୍ତର୍ଜାତିକ ଅରନିଥୋଲୋଜି ଜର୍ନାଲ୍ ୱିଲସନ ଜର୍ନାଲ୍ ଅଫ ଅରନିଥୋଲୋଜିରେ ‘ଅନଲାଇନ ଅର୍ଲି’ ଭାବରେ ‘ବ୍ରିଫ ରିପୋର୍ଟ’ ଶ୍ରେଣୀରେ ପ୍ରକାଶିତ ହୋଇଛି। ଏହି ଗବେଷଣା ପ୍ରକାଶିତ ହେବା ଫଳରେ ସାରା ପୃଥିବୀରେ ଏଇ ଧଳା କାମ ପକ୍ଷୀ ଟି ପ୍ରଥମ ଘଟଣା ବୋଲି ପ୍ରମାଣିତ ହେଲା।

୬ ପୃଷ୍ଠା ବିଶିଷ୍ଟ ଏହି ଆରଟିକିଲରେ ପୃଥିବୀରେ ଯେଉଁଠି ବି ପରଫାଇରିଓ ଜେନସ ରେ ବେରଙ୍ଗ ଉଦାହରଣ ଦେଖାଯାଇଛି ସେଗୁଡିକୁ ଗବେଷକ ମାନେ ରିଭ୍ୟୁ ମଧ୍ୟ କରିଥିଲେ। ତେବେ ପକ୍ଷୀମାନଙ୍କ କ୍ଷେତ୍ରରେ ସାଧାରଣ ରଙ୍ଗ, ବେରଙ୍ଗ ହେବା କିଛି ଅସାଧାରଣ ଘଟଣା ନୁହେଁ। ମାତ୍ର ପକ୍ଷୀ ପ୍ରେମୀ ଏବଂ ବିଶେଷଜ୍ଞ ମାନଙ୍କର ଏଇ ରଙ୍ଗଭେଦ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ନଥିବାରୁ ବନ୍ୟ ପକ୍ଷୀମାନଙ୍କ ବେରଙ୍ଗ ଉଦାହରଣ ଚିହ୍ନିବାରେ ଭୁଲ କରିଥାନ୍ତି ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ। ମୁଁ ମଧ୍ୟ ୨୦୨୦ରେ ଏହି ବେରଙ୍ଗ କାମ ପକ୍ଷୀକୁ ଆଲବିନୋ ବୋଲି ଭାବିଥିଲି, ହେଲେ ଅଧିକ ଗବେଷଣା କରିବା ପରେ ଜାଣିଲି ଯେ, ଖରାପ ଦୃଷ୍ଟି ଶକ୍ତି ହେତୁ ବନ୍ୟ ପରିବେଶରେ ଆଲବିନୋ ପକ୍ଷୀ ମାନେ ଅଧିକ ଦିନ ବଞ୍ଚନ୍ତି ନାହିଁ ଏବଂ ଡେଣାରେ ପର ଉଠି ଉଡିବା ବେଳକୁ ଅଧିକାଂଶ ମରି ମଧ୍ୟ ଯାଆନ୍ତି। ମଙ୍ଗଳାଯୋଡିର ବେରଙ୍ଗ କାମ ପକ୍ଷୀଟି ଯେହେତୁ ପ୍ରାପ୍ତ ବୟସ୍କ ହୋଇଯାଇଥିଲା, ଏଣୁ ଆଳବିନୋ ହେବାର ସମ୍ଭାବନା ହିଁ ନଥିଲା।

ତେବେ ଗୋଟିଏ ରଙ୍ଗୀନ ପକ୍ଷୀ ୫ଟି କାରଣରୁ ବେରଙ୍ଗ ହୋଇ ଧଳା ରଙ୍ଗର ହୋଇ ପାରିବ ବୋଲି ଏହି ଗବେଷଣାରୁ ଜଣାପଡିଛି। ସେଇ ୫ଟି କାରଣ ହେଲା ଆଲବିନୋ, ଲିୟୁସିଷ୍ଟିକ, ଆଇନୋ, ଡ଼ାଇଲ୍ୟୁସନ ଏବଂ ପ୍ରୋଗ୍ରେସିଭ ଗ୍ରେଇଙ୍ଗ। ମଙ୍ଗଳାଯୋଡିର ବେରଙ୍ଗ ଧଳା କାମ ପକ୍ଷୀଟିର ଏଭଳି ରଙ୍ଗର କାରଣ ଡ଼ାଇଲ୍ୟୁସନ ଯୋଗୁଁ ହୋଇଅଛି। ଅଣ୍ଡାରୁ ଫୁଟିବା ବେଳେ ଯଦିଓ ଛୁଆଟି ସାଧାରଣ ରଙ୍ଗର ହୋଇ ଉଭା ହୋଇଥିବ, କିନ୍ତୁ ବୟସ ବଢିବା ସହିତ ଡ଼ାଇଲ୍ୟୁସନ ପ୍ରକ୍ରିୟା ଯୋଗୁଁ ଧୀରେ ଧୀରେ ପକ୍ଷୀଟିର ରଙ୍ଗ ଧଳା ହୋଇଯାଇଥିଲା। ପୃଥିବୀରେ ଏଯାବତ ଗ୍ରେ-ହେଡେଡ ସ୍ଵାମ୍ପ ହେନ ପକ୍ଷୀ ପ୍ରଜାତିରେ କୌଣସି ସ୍ଥାନରେ ବେରଙ୍ଗ ଉଦାହରଣ ନଥିଲା ଏବଂ ଓଡିଆ ଗବେଷକମାନଙ୍କର ଏହି ଗବେଷଣାରୁ ଏହା ପ୍ରଥମ ବୋଲି ଜଣାପଡିଛି। ତେବେ ବେରଙ୍ଗ ପକ୍ଷୀକୁ ଚିହ୍ନିବା ନିଶ୍ଚିତ ଭାବେ କଷ୍ଟସାଧ୍ୟ, କାରଣ ପକ୍ଷୀଠାରୁ ଦୂରତା, ତାର ଗତିବିଧି, ସଠିକ ଆଲୋକ, ଇତ୍ୟାଦି ଅନେକ ପରିମାଣରେ ଦାୟୀ ବୋଲି କହିଛନ୍ତି ଶୁଭେନ୍ଦୁ। ଆମକୁ ମାତ୍ର ୫ ମିନିଟ ସମୟ ମିଳିଥିଲା ଫଟୋ ଉଠାଇବା ପାଇଁ, ଏବଂ ସେତିକି ସମୟ ଭିତରେ ଶକ୍ତି ନନ୍ଦଙ୍କର ଚମତ୍କାର ଫଟୋଗ୍ରାଫୀ ଯୋଗୁଁ ଆମେ ସେହି ବେରଙ୍ଗ କାମ ପକ୍ଷୀର ସଠିକ ଚିହ୍ନଟ କରି ପାରିଥିଲୁ।

Comments are closed.