ମୌଳିକ ସମସ୍ୟା ନେଇ ଭୋଟ୍ ବର୍ଜନ ନିଷ୍ପତ୍ତି ଘଟଣା; ଗାଁରେ ପହଞ୍ଚିଲା ପ୍ରଶାସନ

କଲ୍ୟାଣସିଂହପୁର: ଗାଁକୁ ରାସ୍ତା ଏବଂ ପାନୀୟଜଳ ଭଳି ମୌଳିକ ସମସ୍ୟାର ଦୀର୍ଘ ଦିନ ହେବ ସମାଧାନ ହୋଇ ନ ଥିବାରୁ ଗାଁ ଲୋକ ଏକତ୍ରୀତ ହୋଇ ବୈଠକ କରିଥିଲେ ଏବଂ ବୈଠକରେ ଭୋଟ୍‌ ବର୍ଜନ ନିଷ୍ପତ୍ତି ନେଇଥିଲେ। ନେତାଙ୍କୁ ଚରମବାଣୀ ଶୁଣାଇ କହିଥିଲେ, ନିର୍ବାଚନ ପ୍ରତିଶୃତି ବହୁତ ହୋଇଗଲା, ଏବେ କାମ ନାହିଁ ତ ଭୋଟ ନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର କତାଗୁଡା ଗାଁରେ। ଏ ସମ୍ବନ୍ଧୀୟ ଖବର ‘ସମାଜ’ ଖବର କାଗଜରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଡିଓ ମନୀଷା ଦାସ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡା କତାଗୁଡା ଗ୍ରାମରେ ପହଞ୍ଚି ସମସ୍ୟା ବିଷୟରେ ବୁଝିଛନ୍ତି। ଗ୍ରାମବାସୀମାନେ ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା, ନଦୀ ଘାଟ ସମସ୍ୟା ବିଷୟରେ ଲିଖିତ ଅଭିଯୋଗ ଦେଇଛନ୍ତି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ପାନୀୟ ଜଳ ସମସ୍ୟା ସମାଧାନ କରାଯିବ, କିନ୍ତୁ ନିର୍ବାଚନ ପରେ ନଦୀଘାଟ ପଥର ପେକିଙ୍ଗ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କଥା ଆମେ ଆର୍‌ଡି ବିଭାଗକୁ ଚିଠି କରିଦେବୁ ସେ ସେହି କାର୍ଯ୍ୟ କରିବେ ବୋଲି କହିଛନ୍ତି।

prayash

ପ୍ରକାଶ ଥାଉକି, ଆମ ଗାଁକୁ ପାଣି ନାହିଁ, ଭୋଟ୍ ଦେବୁ କାହା ପାଇଁ ଏଭଳି କିଛି ନାରା ଦେଇ ଗାଁରେ ଲୋକମାନେ ବୈଠକରେ ନାରାବାଜୀ କରି ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। କାରଣ ଦୀର୍ଘ ଦିନର ଗୁହାରି ପରେ ମଧ୍ୟ ଗାଁର ପାନୀୟ ଜଳ ସମସ୍ୟା ସମାଧାନ ହୋଇନଥିଲା। ପାଣି ମୁନ୍ଦାଏ ପାଇଁ ମହିଳାମାନଙ୍କୁ ମାଇଲ ମାଇଲ ବାଟ ଯିବାକୁ ପଡୁଛି। ନଦୀକୂଳ ଚୁଆଁରୁ ପାଣି ସଂଗ୍ରହ କରୁଛନ୍ତି ଗାଁ ଲୋକେ। ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ରାସ୍ତା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ବର୍ଷା ଦିନ କଥା କହିଲେ ନସରେ। ରୋଗୀ, ଗର୍ଭବତୀଙ୍କୁ ଖଟିଆ ଭରସା ହେଉଛି। ଗାଁଟି ନାଗାବଳୀ ନଦୀ କୂଳରେ ଅବସ୍ଥିତ। ବର୍ଷାଦିନରେ ନଦୀ କୂଳ ଖାଉଛି। ନଦୀ କୂଳରେ ପଥର ବନ୍ଧା ନ କଲେ ଗାଁ ନଦୀ ଗର୍ଭରେ ଲୀନ ହୋଇଯିବ ବୋଲି ଚିନ୍ତାମଣି ପ୍ରାସ୍କା, ଡିୟୁ ପ୍ରାସ୍କା, ଗୋପୀନାଥ ମିଣିଆକା, ପରମେଶ୍ୱର ପ୍ରାସ୍କା, ଆପାରାଓ ପ୍ରାସ୍କା, ଦାସୁ ମିଣିଆକା, ଆନ୍ତରାଓ ମିଣିଆକା, ଜାଗା ପ୍ରାସ୍କା କହିଛନ୍ତି। ପଞ୍ଚାୟତ, ବ୍ଲକ ଓ ଜିଲା ପ୍ରଶାସନ ନ ଶୁଣିବାରୁ ବିଗତ ଦିନରେ ଗ୍ରାମବାସୀ ଏକତ୍ରିତ ହୋଇ ନିଜେ ଶ୍ରମଦାନ କରି ରାସ୍ତାରେ ମାଟି ପକାଇ ସମତଳ କରିଥିଲେ। ବର୍ତ୍ତମାନ ସମସ୍ୟାର ସମାଧାନ ନ ହେଲେ ଭୋଟ୍ ବର୍ଜନ କରିବାକୁ ପଛାଇବୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

Comments are closed.